ରାୟଗଡ ରେଳ ଷ୍ଟେସନରୁ ୨୧କେଜି ୯ଶହ ଗ୍ରାମ ଗଂଜେଇ ଜବତ, ଜଣେ ଗିରଫ

ରାୟଗଡ,୬/୩ : ସହଜ ଉପାୟରେ ଅଧିକ ଟଙ୍କା ରୋଜଗାର ଆଶାରେ ଗଂଜେଇ କାରବାର ଭଳି ଚୋରାଚାଲାଣ ବ୍ୟବସାୟକୁ ଆପଣେଇ ଅପରାଧରେ ଜଡିତ ହୋଇ ଯାଉଛନ୍ତି ବର୍ତମାନ ଯୁବପୀଢି । ତେବେ ଏଥିରେ ସଫଳ ହେବା ପରିବର୍ତେ ବିଫଳ ହୋଇ ହେପାଜତର ଚାରିକାନ୍ଥ ମଧ୍ୟରେ କାଟୁଛନ୍ତି ନିଜ ଭବିଷ୍ୟତ । ଗଂଜେଇ ଚୋରା ଚାଲାଣ ନେଇ ବର୍ତମାନ ଅନେକ ସମୟରେ ଗଣମାଧ୍ୟମର ଶୀର୍ଷକ ଖବରରେ ଏବେ ରହୁଛି ରାୟଗଡ ଜିଲ୍ଳା । ଏହି ନିଶା କାରବାରକୁ ନେଇ ରାୟଗଡ ଜିଲ୍ଳାକୁ ଗଂଜେଇ ମାଫିଆମାନେ ନିଜର ଆଡ୍ଡାସ୍ଥଳୀ କରି ସାରିଛନ୍ତିି । ବିଭିନ୍ନ ଗଣମାଧ୍ୟମରେ ଗଂଜେଇ ଚୋର ଚାଲାଣ ନେଇ ଖବର ପ୍ରକାଶିତ ହେଉଥିବା ବେଳେ ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗର ପଦକ୍ଷେପ ଉପରେ ଏବେ ସାଧାରଣରେ ପ୍ରଶ୍ନ ଉଠିବାରେ ଲାଗିଛି ।

ରାୟଗଡରୁ ଦିଲ୍ଳୀକୁ ୨୧କେଜି ୯୦୦ଗ୍ରାମ ଗଂଜେଇ ଚୋରଚାଲାଣ ହେଉଥିବା ବେଳେ ପୁଣି ବୁଧବାର ଦିନ ରେଳ ଷ୍ଟେସନର ୩ନମ୍ବର ପ୍ଳାଟଫର୍ମରୁ ରେଳବାଇ ସୁରକ୍ଷା ବଳ(ଆରପିଏଫ) ଓ ସରକାରୀ ରେଳବାଇ ପୋଲିସ(ଜିଆରପି)ର ପେଟ୍ରୋଲିଂ ବେଳେ ଧରାପଡିଛି ଜଣେ ଯୁବକ । ଏତେ ପରିମାଣର ଗଂଜେଇ ମିଳିବା ପରେ ଯୁବକକୁ ଗିରଫ କରାଯାଇଛି । ଗରିଫ ଯୁବକ ଜଣକ ହେଲେ ଛତିଶଗଡର ମହାସମୁଦ ଜିଲ୍ଳା ଅର୍ନ୍ତଗତ ଗାଝିପଡାର ପୁରାନୀ ଧାନମଣ୍ଡି ଅଂଚଳର ମହମ୍ମଦ ମୁଜାଇଦ କୁରେସୀ(୩୨) ।

ଷ୍ଟେସନରେ ଆହୁରି କଡା ପେଟ୍ରୋଲିଂ କରାଯିବ – ଡିଏସପି କୈଳାଶ ଚନ୍ଦ୍ର ବୁର୍ଦ୍ଦା

ଏ ନେଇ ରେଳବାଇ ସୁରକ୍ଷା ବଳ ଥାନାରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଆରପିଏସ ଡିଏସପି କୈଳାଶଚନ୍ଦ୍ର ବୁର୍ଦ୍ଦା ଦେଇଥିବା ସୂଚନା ପ୍ରକାରେ ବୁଧବାର ସକାଳେ ପ୍ଳାଟଫର୍ମ ନମ୍ବର ୩ରେ ବିଶାଖାପାଟଣାମ୍-ନିଜାମୁଦ୍ଦିନ ସୁପରଫାଷ୍ଟ ସମତା ଏକ୍ସପ୍ରେସରେ ଦିଲ୍ଳୀକୁ ଯିବା ପାଇଁ ଯୁବକ କୁରେସୀ ନିଜ ସାଥିରେ ଦୁଇଟି ଟ୍ରଲି ବ୍ୟାଗ ନେଇ ଅପେକ୍ଷା କରିଥିବା ବେଳେ ପ୍ରତିଦିନ ଭଳି ଆରପିଏଫ ଓ ଜିଆରପି ପୋଲିସ ପକ୍ଷରୁ କରାଯାଉଥିବା ପେଟ୍ରୋଲିଂ ସମୟରେ ଯାତ୍ରୀମାନଙ୍କ ବ୍ୟାଗଗୁଡିକ ଯାଂଚ ବେଳେ କୁରେସୀର ବ୍ୟାଗରୁ ଗଂଜେଇ ଜବତ ହୋଇଥିଲା । ଏହାପରେ କୁରେସୀକୁ ଆରପିଏଫ ଥାନାରେ ଅଟକ ରଖାଯାଇ ଜେରା କରିବା ବେଳେ ସେ ଦିଲ୍ଳୀକୁ ଏହା ଚୋରାଚାଲାଣ କରିବାକୁ ନେଉଥିବା ସ୍ୱୀକାର କରିଥିଲା । ଜବତ ହୋଇଥିବା ଗଂଜେଇକୁ ମାଜିଷ୍ଟ୍ରେଟ ଶିବ ପ୍ରସାଦ ପାଣିଗ୍ରାହୀଙ୍କ ସମ୍ମୁଖରେ ଖୋଲାଯାଇ ଓଜନ କରାଯାଇଥିବା ବେଳେ ୨୧କେ.ଜି.୯୦୦ଗ୍ରାମର ଗଂଜେଇ ବାହାରି ଥିଲା । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୧ଲକ୍ଷ ଟଙ୍କାରୁ ଉର୍ଦ୍ଧ ବୋଲି ଆକଳନ କରାଯାଇଥିବା ବେଳେ ଅଭିଯୁକ୍ତ କୁରେସୀଙ୍କ ବିରୋଧରେ କେସ ନମ୍ବର ୬/୧୯/୨୦(ବି)/୨(ସି)ଏନଡିପିଏସ୍ ଆକ୍ଟରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଏବଂ ଷ୍ଟେସନ ପରିସରରେ ଆରପିଏଫ ଓ ଜିଆରପି ଦ୍ୱାରା କଡା ପେଟ୍ରୋଲିଂ କରାଯାଇ ଏଭଳି ଗଂଜେଇ କାରବାରକୁ ରୋକାଯିବା ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି ।

ସେହିପରି ଏହି ସାମ୍ବାଦିକ ସମ୍ମିଳନୀରେ ଜିଆରପି ଥାନାଧିକାରୀ ଶୁଭେନ୍ଦୁ ଶବର,ଆରପିଏଫ ଥାନଧିକାରୀ ଡି.ଏନ.ତ୍ରିଲୋକ, କେସର ତଦନ୍ତ ଅଧିକାରୀ ଜିଆରପି ଏସ.ଆଇ.ଉମାଚରଣ ନାୟକ, ଏସ.ଆଇ.ଆଲୋକ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ମିଳିଥିବା ସୂଚନା ପ୍ରକାରେ ଗତ ସେପ୍ଟେମ୍ବର ମାସରୁ ମାର୍ଚ୍ଚ ୬ତାରିଖ ସୁଦ୍ଧା ୫ଟି ଗଂଜେଇ ଚୋରାଚାଲାଣ କେସ ରୁଜୁ ହୋଇଥିବା ବେଳେ ୮୩କେ.ଜି ୪୦୦ଗ୍ରାମ ଗଂଜେଇ ଜବତ କରାଯାଇଛି ଏବଂ ୫ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.