ରାୟଗଡା,୭/୩ : ଦୀର୍ଘ ୩ମାସ ପରେ କାର୍ଯ୍ୟକ୍ଷମ ହୋଇଛି ୩୨୬ନମ୍ବର ଜାତୀୟ ରାଜପଥ ଉପରେ ଥିବା ରାୟଗଡ ସହରର ତହସିଲ ଓ କୋରାପୁଟ ଛକର ଟ୍ରାଫିକ ସିଗନାଲ୍ । ରାୟଗଡ ପୈାର ପରିଷଦର ଉଦାସୀନତା ପାଲଟିଥିଲା ଟ୍ରାଫିକ୍ ପୋଲିସ ଓ ଗାଡି ଚାଳକଙ୍କ ପାଇଁ ସମସ୍ୟା । ତେବେ କୋଲକତାର ଯନ୍ତ୍ରୀଙ୍କ ଉପରେ ନିର୍ଭର ନ କରି ନିଜ ଜ୍ଞାନ ଖଟାଇ ଅଚଳ ଟ୍ରାଫିକ୍ ସିଗନାଲକୁ କାର୍ଯ୍ୟକ୍ଷମ କରାଇଛନ୍ତି ହୋମଗାର୍ଡ ମହାରଣା ବାବୁ । ଯାହାକୁ ନେଇ ସହରବାସୀ ତାଙ୍କୁ ସାଧୁବାଦ ଜଣାଇଛନ୍ତି ।
● ତହସିଲ ଓ କୋରାପୁଟ ଛକ ଟ୍ରାଫିକ ସିଗନାଲ ଲାଇଟ୍ ଅଚଳ ପ୍ରସଙ୍ଗ
ପ୍ରକାଶ ଥାଉ କି ରାୟଗଡ ସହରର ତହସିଲ କାର୍ଯ୍ୟାଳୟ ତଥା ବସଷ୍ଟାଣ୍ଡ ଛକ ଓ କୋରାପୁଟ ଛକରେ ଦୀର୍ଘ ୩ମାସ ଧରି ଟ୍ରାଫିକ ସିଗନାଲ ଅଚଳ ହୋଇପଡିଥିଲା । ଏ ନେଇ ପୈାର ପରିଷଦ ନିକଟରେ ବହୁବାର ଅଭିଯୋଗ କରାଯାଇଥିଲା । ତେବେ ଟେଣ୍ଡର ପାଇଥିବା କମ୍ପାନୀ ରାୟଗଡ କିମ୍ବା ଓଡିଶାର ନୁହେଁ ସୂଦୁର କୋଲକତାର । ଫଳରେ ସେମାନଙ୍କ ସହ ଫୋନ ଯୋଗେ ଯୋଗାଯୋଗ ହେଲେ ମଧ୍ୟ ସେମାନଙ୍କ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ବେଳେ ଟେଣ୍ଡରର ଚୁକ୍ତିନାମା ଶେଷ ନ ହେବା ପର୍ଯ୍ୟନ୍ତ ଅନ୍ୟ କୈାଣସି ଉପାୟ ନ ପାଇ ଟେଣ୍ଡର ଶେଷ ଦିନ ସମାପ୍ତ ପର୍ଯ୍ୟନ୍ତ ସବୁଜାଣି ଶୁଣି ଚୁପ ହୋଇ ବସି ରହିଲା ପୈାର ପରିଷଦ । ଫଳରେ ଦୀର୍ଘ ୯୦ ଦିନରୁ ଉର୍ଦ୍ଧ ହେବ ଉଭୟ ଦୁଇଟି ପୋଷ୍ଟରେ ଟ୍ରାଫିକ୍ ନିୟନ୍ତ୍ରଣ କରିବାରେ ଅସୁବିଧା ହେଲେ ମଧ୍ୟ ନିଜର ଦାୟିତ୍ୱକୁ ସଠିକ୍ ଭାବେ ପରିଚାଳନା କରିଥିଲେ ଟ୍ରାଫିକ୍ ଅଧିକାରୀମାନେ । ଫଳରେ ଏତେ ଦିନ ମଧ୍ୟରେ କୈାଣିସି ହେଲେ ଅଘଟଣ ଘଟି ନ ଥିଲା ।
ଅନ୍ୟପକ୍ଷରେ ପୋଲିସ ପ୍ରଶାସନ ମଧ୍ୟ ପୈାର ପରିଷଦ ଅଧୀନରେ ଏହି ଟ୍ରାଫିକ୍ ସିଗନାଲ ରକ୍ଷଣାବେକ୍ଷଣ ଚୁକ୍ତି ରହିଥିବାରୁ କୈାଣସି ପ୍ରକାର ମରାମତି କାର୍ଯ୍ୟ ହାତକୁ ନେଇ ପାରୁ ନ ଥିଲେ । ତେବେ ଯାହା ହେଉ ନା କାହିଁକି ହୋମଗାର୍ଡ ମହାରଣା ବାବୁଙ୍କ ପ୍ରଚେଷ୍ଠାରେ ଜଳି ଉଠିଲା ଟ୍ରାଫିକ୍ ସିଗନାଲ ଲାଇଟ୍ । ଟିଜିଟାଲ ଯନ୍ତ୍ରପାତିରେ କୈାଣସି ଯାନ୍ତ୍ରୀିକ ତ୍ରୁଟି ଯୋଗୁଁ ବନ୍ଦ ହୋଇ ପଡି ରହିଥିଲା ଏଡି ସିଗନାଲ ଲାଇଟ୍ ଗୁଡିକ । ସେହିପରି ଇୟର୍ଥିଂ ବ୍ୟବସ୍ଥା ମଧ୍ୟ ସଠିକ୍ ଭାବେ କୋଲକତା ପାର୍ଟି ଦ୍ୱାରା କରାଯାଇ ନ ଥିବାରୁ ଘଡଘଡି, ବିଜୁଳିରେ ପୋଡି ହୋଇଯାଉଥିଲା ସିଗନାଲ ଲାଇଟର ସାର୍କିଟ ବୋର୍ଡ । ରାୟଗଡ ବଜାରର ବିଭିନ୍ନ ଦୋକାନଗୁଡିକରୁ ସାର୍କିଟ ବୋର୍ଡ ସଂଗ୍ରହ କରି ଅଚଳ ହୋଇପଡିଥିବା ଟ୍ରାଫିକ୍ ସିଗନାଲ ଲାଇଟଗୁଡିକୁ କାର୍ଯ୍ୟକ୍ଷମ କରିଛନ୍ତି ମହାରଣା ବାବୁ ।
ଏହା ୩୨୬ନମ୍ବର ଜାତୀୟ ରାଜପଥ ହୋଇଥିବା ବେଳେ ଅବିଭକ୍ତ କୋରାପୁଟର ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଓ ପଡୋଶୀ ଆନ୍ଧ୍ର ପ୍ରଦେଶ ଏବଂ ଭୁବନେଶ୍ୱରକୁ ଏହି ମୁଖ୍ୟ ରାସ୍ତା ଦେଇ ଯିବାକୁ ପଡିଥାଏ । ସେହିପରି ପ୍ରତିଦିନ ଶତାଧିକ ମାଲବାହୀ ଟ୍ରକ, ଯାତ୍ରୀବାହୀ ବସ ଓ ସହରର ଯାତାୟାତ କରୁଥିବା ଅଟୋରିକ୍ସା ସାଙ୍ଗକୁ ମୋଟରବାଇକ୍ ଇତ୍ୟାଦି ଚଳପ୍ରଚଳ ହେଉଥିବା ବେଳେ ବିଶେଷ କରି ତହସିଲ ଓ କୋରାପୁଟ ଛକ ମଧ୍ୟରେ ବସଷ୍ଟାଣ୍ଡ ରହୁଥିବାରୁ ସାଧାରଣ ଜନତାଙ୍କ ଯାତାୟାତ ଲାଗି ରହିଥାଏ । ଫଳରେ ରାସ୍ତାର ଏପାରିରୁ ସେପାରିକୁ ଯିବାକୁ ହେଲେ ଜେବ୍ରା କ୍ରସିଂ ପାର ହୋଇ ଯିବାକୁ ପଡେ କିନ୍ତୁ ଟ୍ରାଫିକ୍ ସିଗନାଲ ଲାଇଟ ଅଚଳ ଥିବାରୁ ଅନେକ ସମୟରେ ଯାନବାହାନଗୁଡିକ ଦ୍ରୁତ ଗତିରେ ଏହି ରାସ୍ତାରେ ଚଳପ୍ରଚଳ ହୋଇଥାନ୍ତି । ସହରର କୋରାପୁଟ ଛକ, ତହସିଲ ଛକ, କପିଳାସ ଛକ, ଗଜପତି ଛକ, ଜିଲ୍ଳାପାଳଙ୍କ ବାସଭବନ ନିକଟସ୍ଥ ତଥା ଷ୍ଟେସନ ଛକ, କଲେଜ ରୋଡ ଛକ ଓ ସାଇ ଇଣ୍ଟର ନ୍ୟାସନାଲ ଛକରେ ଡିଜିଟାଲ ଟ୍ରାଫିକ ସିଗନାଲ ବ୍ୟବସ୍ଥା ଗତ ୬ବର୍ଷ ତଳରୁ ଆରମ୍ଭ କରାଯାଇଥିଲା ।
● ସ୍ଥାନୀୟ ସଂସ୍ଥାକୁ ଏଥର ଦିଆଯିବ ରକ୍ଷାଣବେକ୍ଷଣର ଦାୟିତ୍ୱ – ନିର୍ବାହୀ ଅଧିକାରୀ,ପୈାର ପରିଷଦ
ବର୍ତମାନ ସହରରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜିଲ୍ଳା ପୋଲିସ ପକ୍ଷରୁ ଜଣେ ପୋଲିସ ସବଇନ୍ସପେକ୍ଟରଙ୍କୁ ଟ୍ରାଫିକ୍ ଦାୟିତ୍ୱ ଦିଆଯାଇଥିବା ବେଳେ ଜଣେ ହାବିଲଦାର ଓ ୯ଜଣ କନେଷ୍ଟବଳମାନେ ଟ୍ରାଫିକ ପୋଷ୍ଟରେ ସକାଳ ୮ଟା ରୁ ୧୨ଟା ଓ ଅପରାହ୍ନ ୪ଟା ରୁ ରାତ୍ର ୮ଟା ପର୍ଯ୍ୟନ୍ତ ୮ଘଣ୍ଟା କାଳ ଟ୍ରାଫିକ ସେବା ଯୋଗାଇ ଆସୁଛନ୍ତି । ଅନ୍ୟପକ୍ଷେ କୋଲକତା ପାର୍ଟିର ଚୁକ୍ତିନାମା ଶେଷ ପରେ ରାୟଗଡର ସ୍ଥାନୀୟ କେଉଁ ସଂସ୍ଥାକୁ ହେଲେ ଟେଣ୍ଡର ମାଧ୍ୟମରେ ଟ୍ରାଫିକ୍ ସିଗନାଲ ଲାଇଟ୍ର ବାର୍ଷିକ ରକ୍ଷାଣ ବେକ୍ଷଣ ପାଇଁ ଯୋଗାଇ ଦିଆଯିବ ବୋଲି ରାୟଗଡ ପୈାର ପରିଷଦର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି ସୂଚନା ଦେଇଛନ୍ତି ।
ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡ ଙ୍କ ରିପୋର୍ଟ odiabarta.in