ସୋନପୁର ର ରାଜନୈତିକ ପାଣିପାଗ : ସବୁ ଦଳରେ ଆଶାୟୀଙ୍କ ଭିଡ, କିଏ ହେବେ କେଉଁ ଦଳର ପ୍ରାର୍ଥୀ

ସୋନପୁର,୯/୩ : ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇ ନଥିଲେ ମଧ୍ୟ ସବୁ ଦଳରେ ନିର୍ବାଚନୀ ସଜବାଜ ଆରମ୍ଭ ହୋଇଗଲାଣି । ଦଳୀୟ ଟିକଟ ଆଶାରେ ପ୍ରାର୍ଥୀଙ୍କ ଆଶା ବଢିବାରେ ଲାଗିଛି । ସୋନପୁର ନିର୍ବାଚନ ମଣ୍ଡଳୀ ସୋନପୁର ପାଇଁ ସବୁ ଦଳର ଆଶାୟୀ ଦୌଡରେ ଅନେକ ନେତାଙ୍କ ନାମ ଶୁଣାଯାଉଥିବାବେଳେ କାହାର ପ୍ରାର୍ଥୀତ୍ୱ ଉପରେ ଦଳୀୟ ମୋହର ଲାଗିବ ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି । ତେବେ ରାଜନିତି ଭିତରକୁ ଅନେକ ଶିକ୍ଷିତ ଯୁବ ପିଢୀର ନେତା ପ୍ରବେଶ କରୁଥିବାରୁ ଦଳଗୁଡିକ ପକ୍ଷରୁ ସେମାନଙ୍କୁ ପ୍ରାର୍ଥୀ ଭାବରେ ଗୁରୁତ୍ୱ ଦେଇ ଦଳର ଭବିଷ୍ୟତ ପିଢୀ ସୃଷ୍ଟି ପାଇଁ ଉଦ୍ୟମ କରାଯାଉଥିବା ଜଣାଯାଇଛି ।

ଓଡିଶା ବିଧାନସଭାର ୬୫ ନମ୍ବର ଆସନ ସୋନପୁର ୧୯୫୧ ମସିହାରେ ସୃଷ୍ଟି ହୋଇଥିଲା । ଏହି ଆସନରୁ ଗଣତନ୍ତ୍ର ପରିଷଦ ୩ଥର, ସ୍ବତନ୍ତ୍ର ପାର୍ଟି ୩ଥର, ଜନତା ଦଳ ୩ଥର, କଂଗ୍ରେସ ୩ଥର ଓ ବିଜେଡି ମଧ୍ୟ ୩ଥର ନିର୍ବାଚିତ ହୋଇଛି । ୧୯୫୧ ନିର୍ବାଚନରେ ଗଣତନ୍ତ୍ର ପରିଷଦ ପ୍ରାର୍ଥୀ ଅନନ୍ତରାମ ନନ୍ଦ ଏହି ଆସନର ପ୍ରଥମ ବିଧାୟକ ହୋଇଥିବା ବେଳେ ୨୦୧୪ ନିର୍ବାଚନରେ ବିଜେଡିର ନିରଞ୍ଜନ ପୁଝାରୀ ନିର୍ବାଚିତ ହୋଇଛନ୍ତି । ୧୯୮୦ ମସିହା ପର୍ଯ୍ୟନ୍ତ କଂଗ୍ରେସ ଏଥିରେ ପାଦ ପକାଇ ପାରିନଥିଲା । ତେବେ ଅନୁକୂଳ ପାଣିପାଗର ସୂଯୋଗ ନେଇ ୮୦ ନିର୍ବାଚନରେ କଂଗ୍ରେସ ଏହି ଆସନକୁ ଅଧିକାର କଲା, ସେହି ସମୟରେ କଂଗ୍ରେସ ବିଧାୟକ ଥିଲେ ଧନେଶ୍ବର କୁମ୍ଭାର । ସେହିପରି ୧୯୮୫ ନିର୍ବାଚନରେ କଂଗ୍ରେସର ଅଚ୍ୟୁତ ବିଶ୍ବାଳ ବିଧାୟକ ହୋଇ ପାରିଥିଲେ । ୧୯୯୦ ଓ ୧୯୯୫ ରେ ଜନତା ଦଳ ଓ ୨୦୦୦ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ କୁନ୍ଦରୁ କୋଶଲ ସୋନପୁର ବିଧାୟକ ଭାବେ ଲୋକପ୍ରିୟତାର ଶିର୍ଷ ଦେଶରେ ପହଞ୍ଚି ଏଠାରେ ବିଜେଡି ଗଡକୁ ସୁଦୃଢ କରିପାରିଥିଲେ । ତେବେ ୨୦୦୪ରେ ଗଡ ରକ୍ଷା କରି ପାରିଲାନାହିଁ ବିଜେଡି । କଂଗ୍ରେସର ବିନୋଦ ପାତ୍ର ୨୦୦୪ ନିର୍ବାଚନରେ ବିଜୟ ଲାଭ କରିଥିଲେ ।

ଏହାର ପରବର୍ତ୍ତି ଦୃଷ୍ୟପଟ୍ଟ ବଦଳିଗଲା ୨୦୦୯ ରେ ସୋନପୁର ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ବୈତରଣୀ ପାରହେଲେ ନିରଞ୍ଜନ ପୁଝାରୀ ସେହି ସମୟ ଠାରୁ ସୋନପୁରରେ ବିଜେଡିର ଶକ୍ତି କ୍ରମଶଃ ବୃଦ୍ଧିପାଇ ୨୦୧୪ ନିର୍ବାଚନରେ ପ୍ରତିଫଳିତ ହେଲା ଓ ନିରଞ୍ଜନ ପୁଝାରୀ ୯୩,୫୩୪ ଭୋଟ ପାଇ ଦ୍ବିତୀୟ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଓଡିଶା ସରକାରଙ୍କ ଜଳସମ୍ପଦ ଓ ନଗର ଉନ୍ନୟନ ମନ୍ତ୍ରୀ ପରି ଏକ ଗୁରୁ ଦାଇତ୍ବ ଗ୍ରହଣ କରି ମନ୍ତ୍ରୀ ନିରଞ୍ଜନ ପୂଝାରୀ ନିଜର ସଫଳ ରାଜିନୀତି ବଳରେ ଦଳରେ ନିଜର କୌଣସି ପ୍ରତିଦ୍ୱନ୍ଦିକୁ ଛିଡା ହେବାର ସୁଯୋଗ ଦେଇନାହାନ୍ତି । ତେଣୁ ଦଳ ପକ୍ଷରୁ ପୁଣିଥରେ ଶ୍ରୀଯୁକ୍ତ ପୂଝାରୀ ପ୍ରାର୍ଥୀ ହେବା ନିଶ୍ଚିତ କୁହାଯାଉଥିବା ମଧ୍ୟ ଶୁଣା ଯାଉଛି ।

ସେହିପରି ୨୦୧୪ ନିର୍ବାଚନରେ ନିକଟତମ ପ୍ରତିଦ୍ୱନ୍ଦି ଭାବେ ବିଜେପି ରୁ ପ୍ରମୋଦ କୁମାର ମହାପାତ୍ର ୪୨,୦୪୯ ଭୋଟ ପାଇଥିବା ବେଳେ ଚଳିତ ନିର୍ବାଚନ ରେ ସେ ମଧ୍ୟ ବିଜେପିରୁ ପ୍ରାର୍ଥୀ ହୋଇ ପାରନ୍ତ କିମ୍ବା ବଳଦେବ ବେଦବାକ ଓ ଅଶୋକ ପୂଝାରୀ ମଧ୍ୟ ପ୍ରର୍ଥୀ ହୋଇପାରନ୍ତି ବୋଲି କର୍ମୀ ମହଲରେ ଶୁଣାଯାଏ । ୨୦୦୯ ନିର୍ବାଚନରେ ବିଜେପି ନବକୃଷ୍ଣ ଦନ୍ତାଙ୍କୁ ପ୍ରାର୍ଥୀ କରିଥିବାବେଳେ ୨୦୧୪ରେ ପ୍ରମୋଦ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିଲା । ପରାଜିତ ହୋଇଥିଲେ ମଧ୍ୟ ଏହି ଦୁଇଟି ନିର୍ବାଚନରେ ବିଜେପିର ପ୍ରଦର୍ଶନ ଭଲ ରହିଥିଲା । ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଜିଲ୍ଲାର ୧୩ଟି ଜିଲ୍ଲାପରିଷଦ ଆସନରୁ ୧୦ ଟି ନିଜ ହାତକୁ ନେଇ ଏକକ ସଂଖ୍ୟା ଭାବେ ଜିଲ୍ଲାପରିଷଦ ଆଶନ ହାତେଇ ନେଇ ଉଷା କୁମାରୀଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆସନରେ ବସାଇ ପାରିଛି । ତେଣୁ ୨୦୧୯ ନିର୍ବାଚନରେ ବିଜେପି ତାର ପରାକ୍ରମ ଦେଖାଇବା ସହ ଆସନ ହାତେଇବାକୁ ରଣନିତି ଆରମ୍ଭ କରିଦେଇଚି ।

ସେହିପରି ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସର୍ବଶ୍ୱର ପୁରୋହିତ ମଧ୍ୟ ପ୍ରାଥୀ ହୋଇ ୩୫,୭୯୫ ଖଣ୍ଡ ଭୋଟ ପାଇ ଥିବା ବେଳେ ଚଳିତ ନର୍ବାଚନରେ ସେ ମଧ୍ୟ ପ୍ରାର୍ଥି ହୋଇପାରନ୍ତି କିମ୍ବା ଶଙ୍କର ଦାସ, ଓ ଚନ୍ଦ୍ରମଣି ତ୍ରିପାଠୀ ମଧ୍ୟ କଂଗ୍ରେସ ଟିକଟ ରେ ନିର୍ବାଚନ ମଇଦାନ କୁ ଓହ୍ଲାଇ ପାରନ୍ତି ବୋଲି ଶୁଣା ଜିବାସହ କଂଗ୍ରେସରେ ରାହୁଳ ଗାନ୍ଧୀ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନେବାପରେ ଯୁବଗୋଷ୍ଠୀର ନେତାଙ୍କୁ ଅଗ୍ରାଧିକାର ଦେଉଥିବାରୁ ଜିଲ୍ଲାରେ ଅନେକ ଯୁବ ପ୍ରାର୍ଥୀ ଆଶାୟୀ ଥିବା ଶୁଣାଯାଏ । ତେଣୁ କଂଗ୍ରେସ ପାଇଁ ଜିତେନ୍ଦ୍ର ପଟ୍ଟନାୟକ ମଧ୍ୟ ଯୁବ ପ୍ରାର୍ଥୀ ଭାବେ ଆଶାୟୀ ଥିବା ଶୁଣାଯାଏ, ୨୦୦୯ ନିର୍ବାଚନରେ ଜିତେନ୍ଦ୍ରଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା କଂଗ୍ରେସ। ଓଡିଶାରେ ପରିବର୍ତ୍ତନର ଆଭାଷ ଆସୁଥିବାରୁ ଏଥର କଂଗ୍ରେସ ମଧ୍ୟ ଏହି ଆସନକୁ ନେଇ ଆଶାବାଦୀ ରହିଛି ।

ଗତ ପଞ୍ଚାୟତ ନିର୍ବାଚନର ଜିଲ୍ଲାପରିଷଦ ଆସନ ହାତେଇ ନପାରି ଖରାପ ପ୍ରଦର୍ଶନ କରିଥିବା ବିଜେଡି ୬ଟି ବ୍ଲକ ରୁ ୫ଟିରେ ବ୍ଲକ ଅଧ୍ୟକ୍ଷ ଆସନ ହାସଲ କରିଥିବା ବେଳେ କଂଗ୍ରେସ ମଧ୍ୟ ଗୋଟିଏ ବ୍ଲକ ଅଧ୍ୟକ୍ଷ ଆସନ ହାସଲ କରିବାରେ ସକ୍ଷମ ହୋଇଥିଲେ । ତେବେ ଶାସକ ଦଳର ବିଧାୟକ ତଥା ମନ୍ତ୍ରୀ ନିରଞ୍ଜନ ପୁଝାରୀ ଓ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ସୋନପୁରର ବିଜେଡି ଗଡକୁ ସବୁଦୃଷ୍ଟିରୁ ସୁରକ୍ଷିତ କରି ରଖିଥିବା ଅନୁମେୟ ହେଉଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ତଥା ନବୀନ ବାବୁଙ୍କ ସ୍ବଚ୍ଛ ଭାବମୂର୍ତ୍ତୀକୁ ନେଇ ଲୋକଙ୍କ ଆଶିର୍ବାଦ ଆଶା ରଖିଛି ବିଜେଡି ।

ତେବେ ସମସ୍ତ ଦଳରେ ଲୋକ ପ୍ରିୟତା ଠିକ୍ ଥିବାରୁ ଆଶୟୀ ଙ୍କ ଭିତର କିଏ କେଉଁ ଦଳରେ ପ୍ରାର୍ଥୀ ହେବେ ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ତେବେ ଆଶାୟୀଙ୍କ ଭିତରେ କିଏ କେଉଁ ଦଳର ଦଳୀୟ ପ୍ରାର୍ଥୀ ଘୋଷଣା ହେବେ ଓ କିଏ କେଉଁ ଦଳରେ ମଙ୍ଗ ଧରିବେ ଏହାକୁ ନେଇ ଜିଲାରେ ରାଜନୈତିକ ମହଲରେ ଆଲୋଚନା ହେଉଛି । ସୋନପୁରର ରାଜନୈତିକ ପାଣିପାଗ ଯାହା ସୂଚନା ଦେଉଛି ଏଥର ତିନିଦଳ ମଧ୍ୟରେ ତିବ୍ର ପ୍ରତିଦ୍ବନ୍ଦିତା ହେବ ।

ସୋନପୁରରୁ ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.