ନୂଆଦିଲ୍ଲୀ: ଆସନ୍ତା ଉତ୍କଳ ଦିବସରୁ ଓଡ଼ିଆ ଭାଷାରେ ମିଳିବ ରେଳ ଟିକେଟ। କେନ୍ଦ୍ର ରେଳମନ୍ତ୍ରଣାଳୟ ନିଷ୍ପତି ଅନୁସାରେ ରାଜ୍ୟର ବିଭିନ୍ନ ରେଳ ଜୋନରେ ଏହା ମିଳିବ। ପୂର୍ବତଟ ରେଳବାଇ, ଦକ୍ଷିଣ-ପୂର୍ବାଞ୍ଚଳ ରେଳବାଇ ଏବଂ ସାଉଥ୍ ଇଷ୍ଟ ସେଣ୍ଟ୍ରାଲ ରେଳବାଇ ଜୋନରେ ଅନ୍ତର୍ଭୁକ୍ତ ଥିବା ଷ୍ଟେସନଗୁଡ଼ିକରେ ଓଡ଼ିଆରେ ଛପା ରେଳ ଟିକେଟ୍ ମିଳିବ। ରାଜ୍ୟରେ ମୋଟ୍ ୩୧୭ଟି ରେଳ ଷ୍ଟେସନରେ ଓଡ଼ିଆ ଭାଷାରେ ଛପା ହୋଇଥିବା ଅଣ-ସଂରକ୍ଷିତ ଟିକେଟ୍ ମିଳିବ।
ରେଳ ଟିକେଟ୍ରେ ହିନ୍ଦୀ ଓ ଇଂରାଜୀ ଭାଷା ସମେତ ଓଡ଼ିଆ ମଧ୍ୟ ରହିବ। ତେଣୁ ଇଂରାଜୀ ଓ ହିନ୍ଦୀ ପଢ଼ି ପାରୁ ନଥିବା ଯାତ୍ରୀ ଆଉ ଟିକେଟ ପଢ଼ିବାରେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ।
ଏଠାରେ ସୂଚନାଯୋଗ୍ୟ ଯେ, ଟ୍ରେନ୍ ଟିକେଟରେ ଓଡ଼ିଆ ଭାଷା ସ୍ଥାନିତ କରିବା ନେଇ ପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଥିଲେ। ଓଡିଶାରେ ଟିକେଟ୍ ଯଦି ଓଡିଆରେ ଉପଲବ୍ଧ ହେବ, ତେବେ ଆମ ରାଜ୍ୟର ଲୋକମାନେ ଆହୁରି ଲାଭବାନ ହେବେ ବୋଲି ଚିଠି ଲେଖି ଅନୁରୋଧ କରିଥିଲେ ଧର୍ମେନ୍ଦ୍ର।