୧୧ଦିନ ତଳେ ସରିଲାଣି ମିଶନଶକ୍ତି କାର୍ଯ୍ୟକ୍ରମ ; ରାସ୍ତାକଡରେ ପଡିରହିଛି କୁଢକୁଢ ଅଳିଆ ଆର୍ବଜନା

ସ୍ବଚ୍ଛ ଭାରତ ଅଭିଯାନକୁ ଅଣଦେଖା !

ରାୟଗଡ,୯/୩/ : ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଦେଶକୁ ପରିଷ୍ପାର ଓ ପରିଚ୍ଛ୍ନ୍ନ କରିବାର ଲକ୍ଷ୍ୟ ନେଇ ଯେଉଁ ସଚେତନତାମୂଳକ କାର୍ଯ୍ୟକ୍ରମଗୁଡିକ ଅନୁଷ୍ଠିତ ହେଉଛି ଦେଶର ବିଭିନ୍ନ ରାଜ୍ୟରେ ତାହା ସଫଳତା ପାଇଥିବା ବେଳେ ଓଡିଶାର ରାୟଗଡ ଜିଲ୍ଳାରେ ତାହା ଯେମିତି ବିଫଳ ହୋଇଥିବା ପରି ଜଣାପଡିଛି । ତାହାପୁଣି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଏକ କାର୍ଯ୍ୟକ୍ରମ ଶେଷ ହେବା ପରେ ଦେଖିବାକୁ ମିଳିଛି । ଗତ ଫେବୃୟାରୀ ମାସର ୨୭ତାରିଖରେ ରାୟଗଡ ଜିଲ୍ଳା ପ୍ରଶାସନ ତରଫରୁ ମିଶନଶକ୍ତି କାର୍ଯ୍ୟକ୍ରମ ଜିଲ୍ଳା ସଦର ମହକୁମା ଉପକଣ୍ଠ ଖଲିଗୁଡା ଗ୍ରାମ ସମ୍ମୁଖରେ ଥିବା ଖୋଲା ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ମହିଳା ସମାବେଶ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦାନ କରିଥିଲେ ।

କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାୟଗଡ ଜିଲ୍ଳା ବିଜୁ ଜନତା ଦଳ ଓ ଜିଲ୍ଳା ପ୍ରଶାସନର ଉଦ୍ୟମରେ ପାଖାପାଖି ୧ଲକ୍ଷ ମହିଳାଙ୍କ ସମାବେଶ ହୋଇଥିଲା । ଏଥିପାଇଁ ଖଲିଗୁଡା ଠାରୁ ଭାକୁରଗୁଡା ମଧ୍ୟରେ ୩୨୬ନମ୍ବର ଜାତୀୟ ରାଜପଥ କଡରେ ଥିବା ଖୋଲାପଡିଆଗୁଡିକରେ ସମସ୍ତଙ୍କ ପାଇଁ ରନ୍ଧାଖାଦ୍ୟ ଯୋଗାଇ ଦିଆଯବାର ବ୍ୟବସ୍ଥା କରାଯାଇଥିଲା । ତେବେ କାର୍ଯ୍ୟକ୍ରମ ଶେଷ ହେବା ପରେ ହଜାର ହଜାର ଲୋକମାନେ ଆୟୋଜିତ ଖାଇବା ସ୍ଥାନଗୁଡିକରେ ଭୋଜନ କରିଥିଲେ । କିନ୍ତୁ ଏତେ ସଂଖ୍ୟକ ଲୋକଙ୍କ ଖାଇବା ପରେ ପଡିଆରେ ପଡି ରହିଥିବା ପେପର ପ୍ଳେଟ, ପଲିଥିନ୍, ପାଣି ପାଉଚ ଆଦି ଯୋଗୁଁ ଚାରିଆଡେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଥିବା ବେଳେ ପଡିଥିବା ଅଇଁଠା, ପେପର ପ୍ଳେଟ ଓ ପଲିଥିନଗୁଡିକକୁ ଗାଇଗୋରୁ ମାନେ ଖାଉଥିବା ଦେଖିବାକୁ ମିଳିଛି । ଫଳରେ ଗାଇଗୋରୁଙ୍କ ଜୀବନ ପ୍ରତି ବିପଦ ରହିଛି ଏବଂ ଏହାକୁ ନେଇ ପଶୁପ୍ରେମୀମାନେ ଉଦବେଗ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ ୩୨୬ନମ୍ବର ଜାତୀୟ ରାଜପଥରେ ପ୍ରତିଦିନ ଶତାଧିକ ଯାନବାହନ ଚଳାଚଳ କରୁଥିବାରୁ ସମାନ୍ୟ ପବନ ହେଲେ ମଧ୍ୟ ଏହି ପେପର ପ୍ଳେଟ, ପଲିଥିନଗୁଡିକ ରାସ୍ତା ଉପରକୁ ଉଡି ଆସୁଥିବା ଯୋଗୁଁ ବଡ ଦୁର୍ଘଟଣା ହେବାର ସମ୍ଭାବନା ରହିଛି ।

ସେହିପରି ମିଶନଶକ୍ତି ସମାବେଶ କାର୍ଯ୍ୟକ୍ରମ ସମୟରେ ଯାନବାହାନ ଚଳାଚଳ ସୁବିଧା ଦୃଷ୍ଟିରୁ ପୋଲିସ ପ୍ରଶାସନ ତରଫରୁ ଟ୍ରାଫିକ୍ ବ୍ୟାରିକେଟ୍ଗୁଡିକକୁ କାଢି ଦିଆଯାଇଥିଲା । ତେବେ ବର୍ତମାନ ସୁଦ୍ଧା ସେଗୁଡିକ ରାସ୍ତାକଡରେ ପଡି ରହିଥିବାରୁ ଦୁର୍ଘଟଣା ପ୍ରବଣ ସ୍ଥାନଗୁଡିକରେ ମଧ୍ୟ ସଡକ ଦୁର୍ଘଟଣା ଘଟିବାର ସମ୍ଭାବନା ବଢିଯାଇଛି । ଏପରିସ୍ଥଳେ ଗାଇଗୋରୁଙ୍କ ଜୀବନ ପ୍ରତି ଥିବା ବିପଦ,ରାଜପଥରେ ସଡକ ଦୁର୍ଘଟଣାର ସମ୍ଭାବନା ଓ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମକୁ ଖୋଦ୍ ଜିଲ୍ଳା ପ୍ରଶାସନ ନୀରବଦ୍ରଷ୍ଟା ହୋଇ ଚୁପ ବସିଛି । ଯାହାକୁ ନେଇ ପ୍ରଶାସନର ନୀରବଦ୍ରଷ୍ଟା ପ୍ରତି ସାଧାରଣରେ ଆଲୋଚନା ହେବା ଆରମ୍ଭ ହେଲାଣି । ଦେଖାଯାଉ ଜାତୀୟ ରାଜପଥରେ ପଡି ରହିଥିବା ଏହି ଅଳିଆ ଆର୍ବଜନା କେତେ ଦିନରେ ସଫା ହେଉଛି ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.