ରାୟଗଡାରୁ ପୁଣି ଜବତ ହେଲା ୧୬କେଜି ଗଞ୍ଜେଇ, ୬ ଗିରଫଙ୍କ ମଧ୍ୟରେ ଜଣେ ଯୁବତୀ

ରାୟଗଡ,୧୦/୩ : ରାୟଗଡା ଜିଲ୍ଳାରେ ଗଂଜେଇ ଭଳି ନିଶାଦ୍ରବ୍ୟର ଚୋରାଚାଲାଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରାୟଗଡା ପୋଲିସ , ସରକାରୀ ରେଳବାଇ ପୋଲିସ (ଜିଆରପି) ଓ ରେଳବାଇ ସୁରକ୍ଷା ବଳ (ଆରପିଏଫ) ତରଫରୁ ଗତ କିଛି ମାସ ମଧ୍ୟରେ କ୍ୱିଟାଂଲ କ୍ୱିଟାଂଲ ଗଂଜେଇ ଜବତ କରାଯାଉଥିବା ବେଳେ ନିଦରେ ଶୋଇଛି ଜିଲ୍ଳା ଅବକାରୀ ବିଭାଗ । ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ କେବଳ ୫୦କେଜି ଭିତରେ ଜବତ କରାଯାଇଛି ଗଂଜେଇ ବୋଲି ଜଣାପଡିଛି ।

ରାୟଗଡା ଥାନା ପୋଲିସକୁ ମିଳିଛି ଏକ ବଡ ସଫଳତା । ରାୟଗଡ ସହରର ରାଜଭବନ ହୋଟେଲରୁ ୧୬କେଜି ଗଂଜେଇ ଜବତ କରି ଏଥିରେ ସଂପୃକ୍ତ ୬ଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ନେଇ ରବିବାର ଅପରାହ୍ନ ସମୟରେ ରାୟଗଡ ଥାନା ପରିସରରେ ଏସଡିପିଓ ତପନ ନାରାୟଣ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଗିରଫ ୬ଜଣଙ୍କ ମଧ୍ୟରେ ଜଣେ ଯୁବତୀ ରହିଥିବା ବେଳେ ୩ଟି ବ୍ୟାଗରୁ ୧୬କେ.ଜି.୧୦୦ଗ୍ରାମ ଗଂଜେଇ ଓ ସେମାନଙ୍କ ଠାରୁ ୬ଟି ମୋବାଇଲ୍ ଜବତ୍ କରାଯାଇଛି । ଏସଡିପିଓ ଶ୍ରୀ ରଥଙ୍କ ସୂଚନା ପ୍ରକାରେ ଗତ ଶନିବାର ସଂଧ୍ୟାରେ ରାୟଗଡ ସହରର ଷ୍ଟେସନ ନିକଟରେ ଥିବା ହୋଟେଲ ରାଜଭବନର ରୁମ ନମ୍ବର ୨୧୩ରେ ୫ଜଣ ଯୁବକ ଓ ଜଣେ ଯୁବତୀ ରହିଥିଲେ । ରୁମ ଭିତରୁ ଗଂଜେଇର ବାସ୍ନା ହେଉଥିବାରୁ ରାୟଗଡା ଥାନା ଅଧିକାରୀଙ୍କୁ ଏ ନେଇ କେହି ସୂଚନା ଦେଇଥିଲେ । ଥାନାଧିକାରୀ ନିହାର ରଂଜନ ପ୍ରଧାନଙ୍କ ନିର୍ଦ୍ଦେଶରେ ଏସଆଇ.ଟି.ଏ.ଖାନ୍,ଜୟସ୍ମିତା ବେହେରା, କନେଷ୍ଟବଳ ଆଇ.ମାର୍ଥା, ଏଚ.ଆର.ପୁଜାରୀ, ବି.କେ.ଝୋଡିଆ ପ୍ରମୁଖ ହୋଟେଲକୁ ଯାଇ ୨୧୩ ନମ୍ବର ରୁମରେ ଚଢାଉ କରିଥିଲେ । ଏହି ସମୟରେ ରୁମ ଭିତରୁ ୩ଟି ବ୍ୟାଗରୁ ଗଂଜେଇ ଉଦ୍ଧାର ହୋଇଥିଲା । ଜବତ ଗଂଜେଇକୁ ରାୟଗଡ ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ସୁନୀଲ ଖରାଙ୍କ ଉପସ୍ଥିତରେ ଓଜନ କରାଯାଇ ସିଲ କରାଯାଇଥିଲା ।

ଗିରଫମାନଙ୍କ ମଧ୍ୟରେ ଶ୍ୟାମ ବିହାରୀ ଯାଦବ(୨୪), ସୁନୀଲ ଦାସ(୨୧), ସଂଦୀପ ପାଣ୍ଡେ(୨୧),ଏସ.କେ.ସଇଦ(୨୩) ଓ ଦୀପକ ମୁଖୀ(୨୮) ରହିଥିବା ବେଳେ ଜଣେ ଯୁବତୀ ରହିଛି । ଯୁବତୀ ଜଣଙ୍କ ନାବାଳିକା ହୋଇଥିବାରୁ ତାଙ୍କ ନାମ ଉଲ୍ଳେଖ କରାଯାଇନାହିଁ । ତେବେ ସମସ୍ତ ଅଭିଯୁକ୍ତ ସୁନ୍ଦରଗଡ ଜିଲ୍ଳାର ରାଉରକେଲା ପ୍ଳାଣ୍ଟ ସାଇଡର ଗୋପବନ୍ଧୁ ପାଲି ଅଂଚଳର ବୋଲି ଜଣାପଡିଥିବା ବେଳେ ଦୀପକ ମୁଖୀ ନାମରେ ରାଉରକେଲା ଜିଆରପିଏସ ଥାନାରେ ୬ଟି ଓ ପ୍ଳାଂଟ ସାଇଡ ଥାନାରେ ୫ଟି ସମୁଦାୟ ୧୧ଟି ଏବଂ ଶ୍ୟାମବିହାରୀ ଯାଦବ ନାମରେ ପ୍ଳାଂଟ ସାଇଡ୍ ଥାନାରେ ଗୋଟିଏ ଏବଂ ସମ୍ବଲପୁର ଟାଉନ ଥାନାରେ ଗୋଟିଏ ସମୁଦାୟ ୨ଟି କେସ ପୂର୍ବରୁ ରହିଥିବା ଜଣାପଡିଛି । ମାଲକାନଗିରି ଜିଲ୍ଳା ସୀମାନ୍ତ ଅଂଚଳରୁ ଏହି ଗଂଜେଇଗୁଡିକ କମ ଦରରେ କ୍ରୟ କରି ଝାରଖଣ୍ଡରେ ଏହା ଅଧିକ ମୂଲ୍ୟରେ ବିକ୍ରି କରିବା ପାଇଁ ଚୋରାଚାଲାଣ ହେଉଥିବା ଜଣାପଡିଛି । ରାୟଗଡ ଥାନାରେ କେସ ନମ୍ବର ୬୪/୧୦/୩/୧୯ରେ ୟୁ/ଏସ/୨୦(ବି)(!!)(ବି)ଏନଡିପିଏସ ଅ୍ଧଳ । ୧୯୮୫ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ଆଜିର ଯୁବପୀଢିମାନେ ଅଳ୍ପ ସମୟ ମଧ୍ୟରେ ଯେ କୈାଣସି ଉପାୟରେ ଅଧିକା ଟଙ୍କା ରୋଜଗାର କରିବା ପାଇଁ ଯୋଜନା କରୁଥିବ ବେଳେ ସେମାନଙ୍କ ମଧ୍ୟରୁ କିଛି ଏହି ଗଂଜେଇ ଚୋରାଚାଲାଣକୁ ବାଛି ନେଇଛନ୍ତି । ଫଳରେ ଟଙ୍କା ରୋଜଗାର କରିବା ଉଦ୍ଦେଶ୍ୟରେ ପୋଲିସ ହାତରେ ଧରାପଡି ନିଜର ଭବିଷ୍ୟତକୁ ଜେଲ କୋଠରୀରେ ଠେଲି ଦେଉଛନ୍ତି । ତେଣୁ ରାୟଗଡ ସହର ସମେତ ଉପଖଣ୍ଡର ସମସ୍ତ ହୋଟେଲ,ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ସ୍ଥାନଗୁଡିକରେ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯିବା ସହ ଯାଂଚ କରାଯାଇ ଏହି ପରି ଚୋରାଚାଲାଣ କାର୍ଯ୍ୟରେ ଲିପ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସଡିପଓ ତପନ ନାରାୟଣ ରଥ ପ୍ରକାଶ କରିଛନ୍ତି ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.