ଝାରସୁଗୁଡା ୧୫/୧୧: ଝାରସୁଗୁଡା ଜିଲ୍ଲାରେ ଗତ ଦୁଇମାସ ମଧ୍ୟରେ ୨ଟି ପୃଥକ ଡକାୟତି ଘଟଣାରେ ସଂପୃକ୍ତ ୪ ଆନ୍ତଃରାଜ୍ୟ ଡକାୟତଙ୍କୁ ପୁଲିସ ଗିରଫ କରିଛି | ଗିରଫ ଡକାୟତମାନେ ହେଲେ ଝାଡଖଣ୍ଡର ଆନନ୍ଦ ସୋରେଙ୍ଗ, ରାଉରକେଲାର ଦୁର୍ଦ୍ଦାନ୍ତ ଅପରାଧୀ ବିନୟ ଗୁରୁ, ରାହୁଲ ସାହୁ ଏବଂ ସହଯୋଗୀ ଡେଭିଡ।
ଗତ ଜୁଲାଇ ମାସରେ ଲଇକେରା ଥାନା ବାଗଡିହିରେ ଜଣେ ପେଟ୍ରୋଲ ପମ୍ପ୍ ମାଲିକଙ୍କ ଘରୁ ନଗଦ ୭ ଲକ୍ଷ ଟଙ୍କା ଲୁଟ୍ ଘଟଣା ସହ ଗତ ମାସ ୯ ତାରିଖରେ ଝାରସୁଗୁଡା ସହରର ଜଣେ ବ୍ୟବସାୟୀ ବିଜୟ ଝୁନଝୁନୱାଲାଙ୍କ ଘରେ ବନ୍ଧୁକ ଦେଖାଇ ଲୁଟ ପରେ ଫେରାର୍ ହୋଇଥିଲେ। ଏମାନଙ୍କୁ ଧରିବା ପାଇଁ ପୋଲିସ ଝାଡଖଣ୍ଡର ସିମଡେଗା, ରାଜଗାଙ୍ଗପୁର, ରାଉରକେଲା ଆଦି ଅଞ୍ଚଳରେ ଚଢାଉ କରିଥିଲା। ସେମାନଙ୍କ ନିକଟରୁ ଗୋଟିଏ ୯ଏମ୍ ଏମ୍ ପିସ୍ତଲ, ଗୋଟିଏ ୭.୬ ଏମ୍ ଏମ୍ ପିସ୍ତଲ ସହ ୭ଟି ଜୀବନ୍ତ ଗୁଳି, ନଗଦ ୨୦ହଜାର ଟଙ୍କା ଜବତ କରିଛି | ଅନ୍ୟ ଦୁଇଜଣ ଅପରାଧୀ ଫେରାର୍ ଅଛନ୍ତି | ଏମାନେ ଏକ ଗ୍ୟାଙ୍ଗ୍ କରି ବିଭିନ୍ନ ସ୍ଥାନକୁ ଯାଇ ବ୍ୟବସାୟୀମାନଙ୍କୁ ଟାର୍ଗେଟ୍ କରି ସେମାନଙ୍କ ଘରୁ ଡକାୟତି କରୁଥିଲେ ବୋଲି ପୋଲିସ କହିଛି |