ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତରେ ଆରମ୍ଭ ହେଲା ‘ମୋ ପଞ୍ଚାୟତ’ କାର୍ଯ୍ୟକ୍ରମ

ସର୍ଗିଗୁଡ଼ାପଦରରେ ମନରେଗା ପ୍ରକଳ୍ପ ପ୍ରାରମ୍ଭିକ ସଭା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ନିଜସ୍ୱ କାର୍ଯ୍ୟକ୍ରମ ମୋ ପଞ୍ଚାୟତକୁ ନେଇ ପଞ୍ଚାୟତସ୍ତରରେ ଜନସାଧାରଣଙ୍କ ଆଗ୍ରହ ବୃଦ୍ଧି ପାଉଥିବାବେଳେ ବ୍ଲକର ପ୍ରଥମ ପଞ୍ଚାୟତ ଭାବେ ଲାଞ୍ଜିଗଡରୋଡ ଗ୍ରାମପଞ୍ଚାୟତରେ ଗୁରୁବାର ମୋ ପଞ୍ଚାୟତ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ନବନିର୍ବାଚିତ ସରପଞ୍ଚ ମମତା ଶବର ବୁଧବାର ଦିନ କାର୍ଯ୍ୟଭାର ଗ୍ରହଣ କରିଥିବାବେଳେ ଗୁରୁବାର ନିଜ ପଞ୍ଚାୟତର ସର୍ଗିଗୁଡାପଦରରୁ ଟାଙ୍କିଚୁଆଁ ରାସ୍ତାକୁ ମନରେଗା ଯୋଜନାରେ ସାମିଲ କରି ଲୋକଙ୍କୁ କାମ ଯୋଗାଇଦେବାକୁ ନେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ଏଥିପାଇଁ ଆଜି ମହେଶ୍ୱରପୁର ସର୍ଗିଗୁଡାପଦର ଠାରେ ପ୍ରକଳ୍ପ ପ୍ରାରମ୍ଭିକ ସଭା ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରପଞ୍ଚ ମମତା ଶବର ଏହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ ନୀଲେଶ କୁମାର ନାଗ ଯୋଗଦେଇ ମନରେଗା ଯୋଜନା ସଂପର୍କରେ ମତବ୍ୟକ୍ତ କରିଥିଲେ । ଗ୍ରାମ ରୋଜଗାର ସେବକ ବିଭୁଦାନନ୍ଦ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସଭାରେ ପ୍ରଥମ ଦିନର କାମରେ ମାହେଶ୍ୱରୀପୁର, ସର୍ଗିଗୁଡାପଦର, ମାଡିବନ୍ଧା ଆଦି ଗାଁର ୮୬ଜଣ ଶ୍ରମିକ ଯୋଗଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.