✍🏾 ଡମ୍ବରୁଧର ବେହେରା
ସେ ରାଜ ରାସ୍ତାରେ ଗଲାବେଳେ
ଶୁଣାଯାଏ ତୁମ ‘ତୁମ’ ଡାକ
ତୁମ ଖିଲି ଖିଲି ହସ
ସେ ରାଜ ରାସ୍ତାରେ ଗଲାବେଳେ
ଭେଟ ହୁଏ
ସେହି ଥୁଣ୍ଟା ବରଗଛ
ଦେଖା ହୁଏ
ବାଇ ଚଢ଼େଇର ବସା
ଶୁଣାଯାଏ କିଚିରି ମିଚିରି ଶବ୍ଦ
ସେ ରାଜ ରାସ୍ତାରେ ଗଲାବେଳେ
ଏବେ ବି ମନେପଡେ
ମୋ ଅଭୁଲା ଅତୀତ
କିଛି ଅଘଟଣ ବିଗତ
ତୁମ ସ୍ୱପର ଜଗତ,
ସେ ରାଜ ରାସ୍ତାରେ ଗଲାବେଳେ
ହୋଇଯାଏ ଆଖି ଟଳମଳ/ଲୁହ ଛଳ ଛଳ
ହୁଏତ ଦେଖା ନାହିଁ
ତୁମ ସହ ଅନେକ ଦିନରୁ,
ପ୍ରେମରୁ ପ୍ରେମାତୀତ
ଭୂତ ଭବିଷ୍ୟତ
ତୁମ ପାଇଁ ମିଛ
ହେଲେ ମୋ ପାଇଁ ସତ…..।
ଉଭେଇ ଯାଇଛ ମିତ
ଦୂରକୁ ବହୁ ଦୂରକୁ
ଅପହଞ୍ଚ ଇଲାକାକୁ
ଭୂମିରୁ ଭୁମାକୁ
ସ୍ମୃତି ବିସ୍ମୃତିରୁ
ତୁମେ ଆଜି ମୋ ପାଇଁ ସ୍ବପ୍ନ ସମ
ଆକାଶର ତାରା
ଅଛୁଆଁ ଅଛପା
ଅନ୍ତର ଜ୍ଵାଳା
ଶ୍ମଶାନ ଜୁଇରେ ଜଳୁଥିବା
ଏକ ରଡ଼ ନିଆଁ…/ଅଚିହ୍ନା ଅଚିହ୍ନା…… ।।