ପୌର ନିର୍ବାଚନ ପୂର୍ବରୁ ଜୟପୁର ସହରରେ ଫୁଟିଲା ଗୁଳି

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ଜୟପୁର ସହରରେ ପୌର ନିର୍ବାଚନ ପୂର୍ବରୁ ଗୁଳି ଫୁଟିଛି। କେତେକ ଦୁର୍ବୃତ୍ତ ଗୋପବନ୍ଧୁ ନଗରର କାର୍ତ୍ତିକ ନାଗଙ୍କୁ ଅପହରଣ କରି ଗୁଳିକରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଜୟପୁରରେ ରାଜନୀତି ସରଗରମ ହୋଇଛି। ଘଟଣା ପଛରେ ବିଜେଡିର ହାତ ଥିବା ଦର୍ଶାଇ ବିଧାୟକ ତାରାପ୍ରସାଦ ବାହିନୀପତି ଟାଉନ ଥାନା ଘେରାଉ କରିବା ସହ ୨୬ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ।ଏହାକୁ ବିରୋଧ କରି ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ରଥ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଘଟଣାକୁ ନେଇ ରାଜନୀତି କରା ନ ଯାଉ ବୋଲି ସେ କହିଛନ୍ତି। ଘଟଣା ନେଇ କାର୍ତ୍ତିକଙ୍କ ଭଉଣୀ ସବିତା ଟାଉନ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରାଯାଇଛି ବୋଲି ଏସ୍‌ପି ବରୁଣ ଗୁଣ୍ଠପାଲ୍ଲି ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସବିତାଙ୍କ ସୂଚନା ଅନୁଯାୟୀ, କାର୍ତ୍ତିକ ତାଙ୍କର ୩ ସାଙ୍ଗଙ୍କ ସହ ୨ଟି ବାଇକ୍‌ରେ ଯାଉଥିବା ସମୟରେ ଅଭିଯୁକ୍ତ ଉମୁରି ଅଞ୍ଚଳର ସଞ୍ଜୟ ସୁନା, ପ୍ରିନ୍ସ ଓ ଗୌତମ ଟାକରି ପହଞ୍ଚି ଏକ ରାଉଣ୍ଡ ଗୁଳିଚଳନା କରିଥିଲେ। ସୌଭାଗ୍ୟବଶତଃ ଗୁଳିଟି କାର୍ତ୍ତିକଙ୍କ ଦେହରେ ନ ବାଜି ଲକ୍ଷ୍ୟଚ୍ୟୁଚ ହୋଇଥିଲା। ପରେ ଅଭିଯୁକ୍ତମାନେ ତାଙ୍କୁ ଅଟକାଇ ସ୍କର୍ପିଓରେ ଅପହରଣ କରିନେଇଥିଲେ। କାର୍ତ୍ତିକଙ୍କୁ ଆକ୍ରମଣ କରି କୁମୁଲିପୁଟ ଗ୍ରାମ ନିକଟରେ ଅଭିଯୁକ୍ତମାନେ ଫିଙ୍ଗିଦେଇ ଚାଲିଯାଇଥିଲେ। ଏହି ଖବର ପାଇ ପୋଲିସ ତାଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ପରେ ତାଙ୍କୁ କୋରାପୁଟ ପରେ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଧାୟକ ତାରା ପ୍ରସାଦ ବାହିନୀପତି କାର୍ତ୍ତିକଙ୍କ ପରିବାର, ସାହିବାସିନ୍ଦା ଓ କଂଗ୍ରେସ କର୍ମୀଙ୍କ ସହ ଟାଉନଥାନା ଘେରାଉ କରି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ଧାରଣାରେ ବସିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ଧାରଣାରୁ ଉଠିବେ ନାହିଁ ବୋଲି ଜିଦ୍‌ ଧରିଥିଲେ। ପରେ ଅତିରିକ୍ତ ଏସ୍‌ପି ବିମଳକାନ୍ତ ବ୍ରହ୍ମା ବାହିନୀପତିଙ୍କ ସହ ଆଲୋଚନା କରି ୨ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କାରିବାକୁ ପ୍ରତିଶ୍ରୁତି ଦେବାରୁ ବାହିନୀପତି ରାସ୍ତା ରୋକୋରୁ ଓହରିଥିଲେ। ଏହି ମାମଲାରେ ୧୦ରୁ ଅଧିକ ବ୍ୟକ୍ତି ଜଡିତ ଥିବା ବେଳେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ଏସ୍‌ପି ଗୁଣ୍ଟପାଲ୍ଲି ପ୍ରକାଶ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଲିଙ୍ଗରାଜ ନଗରର ଚନ୍ଦ୍ରସାଇ ସଗରିଆ (୪୨), କୁମୁଲିପୁଟର ପ୍ରଶାନ୍ତ ଖରା (୨୯), ଅଜୟ ହରିଜନ (୨୫), କୋରାପୁଟ ଏଲଆଇସି କଲୋନୀର ରାକେଶ ଦାସ (୩୦)। ଘଟଣାରେ ବ୍ୟବହୃତ ସ୍କର୍ପିଓ (ଓଡି୩୩ଏଡି- ୮୨୪୯), ୨ଟି ନମ୍ବରବିହୀନ ବାଇକ ଜବତ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟଣା ଘଟଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ୩ଟି ଟିମ୍‌ ଗଠନ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.