ମଙ୍ଗଳମ ଜ୍ବେଲର୍ସରୁ ବଡ ଧରଣର ଚୋରି, ଲକ୍ଷ ଲକ୍ଷ ଟଙ୍କାର ସୁନା ଓ ରୂପା ଲୁଟି ନେଲେ ଦୁର୍ବୃତ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମରେ ଏକ ବଡ ଧରଣର ଚୋରି ହେଇଥିବା ଖବର ହସ୍ତଗତ ହୋଇଛି । ବେହେରା ଗ୍ରାମ ପ୍ରରମ୍ଭରେ ଥିବା ମଙ୍ଗଲମ ଜ୍ବେଲର୍ସରୁ ଗତକାଲି ରାତିରେ ଲକ୍ଷାଧିକ ଟଙ୍କାର ସୁନା ଓ ୧୨ କିଗ୍ରା ରୁପା ଦୁର୍ବତ୍ତ ମାନେ ଚୋରି କରି ନେଇଥିବା ସୂଚନା ମିଳିଛି । ଦୋକାନ ମାଲିକ ଏ ସମ୍ପର୍କରେ କୋକସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଜ୍ବେଲର୍ସ ମାଲିକ ପିଣ୍ଟୁ ଆଚାରିଙ୍କ କହିବା ଅନୁଯାୟୀ ରାତି ୧୨ଟା ଯାଏଁ ଆମେ ଦୋକାନରେ କାମ କରିଥିଲୁ । ପରେ ଦୋକାନ ବନ୍ଦ କରି ଘରକୁ ଯିବା ପରେ ମୋ’ ଦୋକାନ ସାମ୍ନାରେ ଥିବା ଷ୍ଟ୍ରିଟ୍ ଲାଇଟକୁ ବନ୍ଦ କରି ସଟରର ତାଲା ଭାଙ୍ଗି ଚୋରି ହେଇଛି । ଏଠାରେ ପ୍ରକାଶଯୋଗ୍ୟ ଯେ, ବେହେରା ହେଉଛି କଳାହାଣ୍ଡି ଜିଲ୍ଲାର ଏକ ବଡ ଗ୍ରାମ ପଞ୍ଚାୟତ । ଏଠାରେ ପଞ୍ଚାୟତ କାର୍ଯ୍ୟାଳୟ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ମହାବିଦ୍ୟାଳୟ, ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅନେକ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ରହିଛି । ଏହାସହ ଦଣ୍ଡପାଟ ଅଞ୍ଚଳର ଏକ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳୀ ହେଉଛି ବେହେରା ଗ୍ରାମ । ତେବେ ଏହି ଅଞ୍ଚଳରେ ଦିନକୁ ଦିନ ଚୋରି ଘଟଣା ବଢୁଥିବାରୁ ଜନସାଧାରଣ ଚିନ୍ତା ପ୍ରକଟ କରିଛନ୍ତି । ବେହେରା ଠାରେ ଏକ ପୋଲିସ ଥାନାର ଆବଶ୍ଯକ ଅଛି ବୋଲି ଅନେକେ ଥର ଗଣମାଧ୍ୟମରେ ପ୍ରଚାରିତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଫଳ ଶୁନ୍ୟ ରହିଛି । ଅନ୍ୟପକ୍ଷରେ ଆଗାମୀ ଦିନରେ ବେହେରାରେ ଭାରତୀୟ ଷ୍ଟେଟ ବ୍ଯାଙ୍କର ଶାଖା ଖୋଲିବାକୁ ଯାଉଛି । ତେଣୁ ବେହେରା ଠାରେ ଏକ ପୋଲିସ ଥାନା ସ୍ଥାପନ ହେଲେ ଅଞ୍ଚଳରେ ସଦା ଶାନ୍ତି ବିରାଜମାନ କରିବ ବୋଲି ଅଞ୍ଚଳବାସୀ ଆଶା ବାନ୍ଧି ବସିଛନ୍ତି । ତେଣୁ ସରକାର ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣକରି ବେହେରା ଠାରେ ଏକ ଥାନା ସ୍ଥାପନ କରିବାକୁ ନିବେଦନ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.