ଲାଞ୍ଜିଗଡରୋଡ ଜୁନିୟର କଲେଜରେ ଛାତ୍ରୀଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଲାଞ୍ଜିଗଡରୋଡ ଜୁନିୟର ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କ ପାଇଁ ଆୟୋଜିତ ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉଦ୍ଘାଟିତ ହୋଇଯାଇଛି । ଲାଞ୍ଜିଗଡରୋଡ ସରପଞ୍ଚ ସୁଶ୍ରୀ ମମତା ଶବର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉକ୍ତ କାର୍ଯ୍ୟକ୍ରମଟିର ଶୁଭ ଉଦ୍ଘାଟନ କରି ଶୃଙ୍ଖଳିତ ଭାବରେ ଛାତ୍ରୀ ମାନେ ଆତ୍ମରକ୍ଷା କରିବାର କୌଶଳ ପ୍ରଶିକ୍ଷଣ ନେବା ପାଇଁ ପରାମର୍ଶ ଦେଇଥିଲେ । ଲାଞ୍ଜିଗଡରୋଡ +୨ ମହାବିଦ୍ୟାଳୟ ଅଧ୍ୟକ୍ଷ ଜୟକୃଷ୍ଣ ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଭୁଗୋଳ ଅଧ୍ୟାପକ ସରୋଜ କୁମାର ଜେନା ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଉଗ୍ରଆଧୁନିକ ସମାଜରେ ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା କୌଶଳ ଶିଖିବା କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ନିକୁଞ୍ଜ ଭୋଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ଦେବା ପାଇଁ ମାଷ୍ଟର ଟ୍ରେନର ଭାବରେ ମହାବିଦ୍ୟାଳୟର ରୋଜାଲିନ ପାତ୍ର ଓ ଶୈଳ ମାଝୀ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷାର କୌଶଳ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । କଲେଜର ପ୍ରଥମ ବର୍ଷର ୬୩ ଜଣ ଛାତ୍ରୀ ଏହି ଶିବିରରେ ପ୍ରଶିକ୍ଷଣ ନେଉଥିବା ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟକୃଷ୍ଣ ପଧାନ ସୂଚନା ପ୍ରଦାନ କରିଛନ୍ତି । ମାର୍ଚ୍ଚ ୨୪ରେ ଉଦ୍ଘାଟିତ ହୋଇଥିବା ଏହି ଶିବିର ଅପ୍ରେଲ ୨ ତାରିଖ ଯାଏଁ ଚାଲିବ ଓ ଉକ୍ତଦିନ ଦିବା ୧୦ ଘଣ୍ଟା ସମୟରେ ଉଦ୍ୟାପନୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ପଧାନ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମ ଶେଷରେ ଇଂରାଜୀ ଅଧ୍ୟାପକ ଶ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.