ପଞ୍ଚାୟତ ନିର୍ବାଚନରେ ଉଡୁଥିଲା ଟଙ୍କା: କେବଳ ନର୍ଲାରେ ନିର୍ବାଚନୀ ଖର୍ଚ୍ଚ ୨୧ କୋଟି !

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ସମାପନ ହେବାପରେ ଏହାର ବିଭିନ୍ନ ଦିଗ ଉପରେ ସମୀକ୍ଷା ଆରମ୍ଭ ହୋଇଯାଇଛି । ସାରା ରାଜ୍ୟରେ ଏହି ନିର୍ବାଚନ ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରୁ ବାଦ ପଡ଼ିନାହିଁ କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ । ଏଥରକ ନର୍ଲାରେ ହିସାବ ବିହୀନ ଟଙ୍କା ଖର୍ଚ୍ଚ ହୋଇଥିବା ଆଲୋଚନା ହେଉଛି । ପ୍ରାର୍ଥୀ/ପ୍ରାର୍ଥୀନୀଙ୍କ ଆଉ ଯୋଗ୍ୟତା ମାପକାଠି ହୋଇ ରହିନାହିଁ । ଟଙ୍କା ହିଁ ସବସ୍ୱ ରହିଥିଲା ବୋଲି ବିଭିନ୍ନ ମହଲରେ ଆଲୋଚନା ହେବା ସହ ଏଥରକ ନିର୍ବାଚନରେ ଗଣତନ୍ତ୍ରକୁ ହତ୍ୟା କରାଯାଇଥିବା କୁହାଯାଉଛି । ଏକ ଆକଳନରୁ ନର୍ଲାରେ ନିର୍ବାଚନ ବାବଦକୁ ଆନୁମାନିକ ୨୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି । ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତରେ ସରପଞ୍ଚ ପଦବୀ ନିମନ୍ତେ ୯୦ ଜଣ, ସମିତି ସଦସ୍ୟ ପଦବୀ ନିମନ୍ତେ ୮୬ ଜଣ, ତିନିଗୋଟି ଜିଲ୍ଲା ପରିଷଦ ଜୋନ ପାଇଁ ୧୦ ଜଣ ପ୍ରାର୍ଥୀ/ପ୍ରାର୍ଥୀନୀ ପ୍ରତିଦ୍ୱନ୍ଦିତା କରୁଥିଲେ । ନର୍ଲା ବ୍ଲକରେ ବିଭିନ୍ନ ପଦ ପଦବୀ ନିମନ୍ତେ ସର୍ବମୋଟ ୫୬୫ ଜଣ ନିର୍ବାଚନ ଲଢୁଥିଲେ । ନିର୍ବାଚନ କମିଶନଙ୍କ ନିୟମାନୁଯାୟୀ ଜଣେ ସରପଞ୍ଚ ଓ ସମିତି ସଦସ୍ୟ ପ୍ରାର୍ଥୀ/ପ୍ରାର୍ଥୀନୀଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ/ପ୍ରାର୍ଥୀନୀଙ୍କ ପାଇଁ ୫ ଲକ୍ଷ ଟଙ୍କା ମଧ୍ୟରେ ଖର୍ଚ୍ଚ ଅଟକଳ ସୀମିତ ରଖାଯାଇଥିଲା । ହେଲେ ଏହା ଧର୍ମକୁ ଆଖିଠାର ସଦୃଶ ରହିଥିବା କୁହାଯାଉଛି । ନର୍ଲାରେ ସରପଞ୍ଚ ପଦବୀ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ୧୦ ରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିଥିବା ବିଜୟୀ ଓ ପରାଜିତ ପ୍ରାର୍ଥୀ ମାନଙ୍କ ଠାରୁ ସୂଚନା ମିଳିଥିବା ବେଳେ ନର୍ଲା ବ୍ଲକର ୫ ଗୋଟି ଗ୍ରାମ ପଞ୍ଚାୟତରେ ଏହା ୨୦ ରୁ ୨୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରିଥିବା ସୂଚନା ମିଳିଛି । ସେହିଭଳି ପ୍ରତି ସମିତି ସଦସ୍ୟ ୫ ରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିଥିବା ବେଳେ ତିନିଗୋଟି ଗ୍ରାମ ପଞ୍ଚାୟତରେ ଜଣେ ଜଣେ ପ୍ରାର୍ଥୀ/ପ୍ରାର୍ଥୀନୀ ୩୦ ଲକ୍ଷ ଟଙ୍କାରୁ ମଧ୍ୟ ଉର୍ଦ୍ଧ୍ୱ ଖର୍ଚ୍ଚ କରିଥିବା ଜଣାପଡିଛି । ଏକ ପ୍ରମୁଖ ରାଜନୈତିକ ଦଳ ତରଫରୁ ପ୍ରତି ଜିଲ୍ଲା ପରିଷଦ ଜୋନ ପାଇଁ ୩୦ ରୁ ୫୦ ଲକ୍ଷ ଟଙ୍କା ମଦ ପାଣି, ଗାଡି ମୋଟର ଓ ଭୋଟର୍ସଙ୍କୁ ବାଣ୍ଟିବା ବାବଦକୁ ଖର୍ଚ୍ଚ କରାଯାଇଥିବା ଚର୍ଚ୍ଚା ହେଉଥିବାବେଳେ ବାକି ଦୁଇଗୋଟି ରାଜନେତିକ ଦଳ ତରଫରୁ ପ୍ରାର୍ଥୀ/ପ୍ରାର୍ଥୀନୀ ମାନଙ୍କୁ ୩ ରୁ ୫ ଲକ୍ଷ ଲେଖାଏଁ ଟଙ୍କା ଖର୍ଚ୍ଚ ବାବଦକୁ ପ୍ରଦାନ କରାଯାଇଥିବା ସୂଚନାରୁ ଜଣାପଡିଛି । ଏପରି ଭାବରେ ସରପଞ୍ଚ ପ୍ରାର୍ଥୀ/ପ୍ରାର୍ଥୀନୀ ମାନଙ୍କର ୯ କୋଟି, ସମିତି ସଦସ୍ୟ ପ୍ରାର୍ଥୀ/ପ୍ରାର୍ଥୀନୀ ମାନଙ୍କର ୭ କୋଟି, ଜିଲ୍ଲା ପରିଷଦ ପ୍ରାର୍ଥୀ/ପ୍ରାର୍ଥୀନୀ ମାନଙ୍କ ପାଇଁ ପାଖାପାଖି ୨ କୋଟି ଖର୍ଚ୍ଚ ହୋଇଥିବା ଏକ ଆକଳନରୁ ଜଣାପଡିଛି । ନର୍ଲା ବ୍ଲକରେ ରହିଥିବା ୨୬ ଗୋଟି ଗ୍ରାମ ପଞ୍ଚାୟତର ୩୨୩ ଗୋଟି ୱାର୍ଡ ମଧ୍ୟରୁ ୭୯ ଗୋଟି ୱାର୍ଡରେ ୱାର୍ଡ ସଭ୍ୟ ପଦବୀ ନିମନ୍ତେ ପ୍ରତିଦ୍ୱନ୍ଦିତା ହୋଇଥିଲା । ପ୍ରତିଦ୍ୱନ୍ଦିତା କରୁଥିବା ପ୍ରତି ୱାର୍ଡ ସଦସ୍ୟ ମଦପାଣି ଓ ଭୋଟର୍ସଙ୍କୁ ବାଣ୍ଟିବା ବାବଦକୁ ୫୦ ହଜାର ରୁ ୧ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଥିବା ଜଣାପଡିଛି । ଏହାବାଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ନିର୍ବାଚନ ବାବଦକୁ ପାଖାପାଖି ୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । ଏତଦ୍ ବ୍ୟତୀତ ସରକାରୀ ଭାବରେ ବୁଥ ପରିଚାଳନା, ପୁଲିଙ୍ଗ, ପ୍ରିଜାଇଡିଂ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ନିର୍ବାଚନ ଜନିତ ପାଉଣା, ବସ, ବୋଲେରୋ, ତେଲ ଓ ମିଲସ୍, ଟିଫିନ ବାବଦକୁ ୨୫ ଲକ୍ଷ ଟଙ୍କା । ଏହାବାଦ ସୁରକ୍ଷା ବାହିନୀ ବାବଦକୁ ଖର୍ଚ୍ଚ । ଏଭଳି ନର୍ଲା ବ୍ଲକରେ ନିର୍ବାଚନ ବାବଦକୁ ଖର୍ଚ୍ଚ ଅଟକଳକୁ ଆକଳନ କଲେ ଏହା ୨୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି । ପ୍ରାର୍ଥୀ/ପ୍ରାର୍ଥୀନୀ ମାନଙ୍କର ଖର୍ଚ୍ଚ ଆକଳନକୁ ସମୀକ୍ଷା କଲେ ବାସ୍ତବରେ କଣ ଏହା ଗଣତାନ୍ତ୍ରୀକ ପଦ୍ଧତିରେ ନିର୍ବାଚନ କି ? ଏଇଠି ଯୋଗ୍ୟ ଅଯୋଗ୍ୟର ବିଚାର ହେଉଛି କି ? ଆଗାମୀ ଦିନ ଗୁଡିକରେ ଯାହା ପାଖରେ ଟଙ୍କା ନାହିଁ ସେ ଯେତେ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତି ହୋଇଥାଆନ୍ତୁନା କାହିଁକି ନିର୍ବାଚନରେ ପ୍ରାର୍ଥୀ ହେବାକୁ ଭାବି ବି ପାରିବ ନାହିଁବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.