‘ଭକ୍ତ ଓ ଭଗବାନଙ୍କର ମିଳନ ହେଉଛି ଯୋଗ’

ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଓ ଶ୍ରବଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵର ପକ୍ଷରୁ ଗୀତାମୃତ ପଠନ ଓ ଶ୍ରବଣ କାର୍ଯ୍ୟକ୍ରମ ମାର୍ଚ୍ଚ ୨୪ ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ ଏବଂ ପରିବାରର ବରିଷ୍ଠ ଉପଦେଷ୍ଟା ଅରୁଣ କୁମାର ମହାପାତ୍ରଙ୍କର ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତଙ୍କୁ ସୁସ୍ଵାଗତ କରିଥିବାବେଳେ ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପ୍ରବଚକ ଡ଼ଃ. ଚନ୍ଦ୍ର ଶେଖର ଦାଶ ଉପସ୍ଥିତ ରହି ‘ଯେଉଁମାନେ ଗୀତା ଶ୍ରବଣ କରନ୍ତି ସେମାନେ ମହାନ । କାରଣ ଭଗବାନ ଶ୍ରୀକୃଷ୍ଣଙ୍କ ଶ୍ରୀମୁଖରୁ ଗୀତା ଶ୍ରବଣ କରିଥିଲେ ଦ୍ବିତୀୟ ପାଣ୍ଡବ ଅର୍ଜୁନ । ଆତ୍ମା ଓ ପରମାତ୍ମାଙ୍କର ମିଶ୍ରଣ ହିଁ ଯୋଗ । ଭକ୍ତ ଓ ଭଗବାନଙ୍କର ମିଳନ ହେଉଛି ଯୋଗ’ ବୋଲି କହିବା ସହ ସାଙ୍ଖ୍ୟଯୋଗର ଦଶଟି ଶ୍ଲୋକର ବ୍ୟାଖ୍ୟା କରିଥିଲେ । ମୁମ୍ବାଇର ଶ୍ରୀମତୀ ସ୍ନେହ ମିଶ୍ର, କଟକରୁ ପ୍ରଭାତୀ ରଞ୍ଜନ ମହାନ୍ତି, ପ୍ରାଧ୍ୟାପିକା ସଂଯୁକ୍ତା ରାଉତ, କଟକରୁ ଗୀତାଞ୍ଜଳି ପୃଷ୍ଟି ଗୀତା ର ଦଶଟି ଶ୍ଲୋକ ପାଠ କରିବା ସହ ଅନ୍ଵୟ ମଧ୍ୟ କରିଥିଲେ । ସଂଯୁକ୍ତା ରାଉତ ସାଂଖ୍ୟଯୋଗର ଦଶଟି ଶ୍ଲୋକର ସାରତତ୍ତ୍ଵ ବର୍ଣ୍ଣନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସାରସ୍ଵତ ଗୀତାମୃତ ପ୍ରେମୀ ଯୋଗ ଦେଇ ସାହିତ୍ୟିକ କବି ବନ୍ଧୁ ପରିବାରର ଏହି ନିଆରା କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ସ୍ନେହ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.