ଶାନ୍ତି ଶୃଙ୍ଖଳାର ସହିତ ଶେଷ ହେଲା କେସିଙ୍ଗା ପୌର ନିର୍ବାଚନ, ଫଳାଫଳକୁ ଅପେକ୍ଷା

୫ ଅଧ୍ୟକ୍ଷ ଓ ୩୭ କାଉନସିଲର ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨୪ ତାରିଖ ସକାଳ ୮ଟାରୁ କେସିଙ୍ଗା ଏନଏସିର ୧୭ଟି ବୁଥ୍ ରେ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା । କେସିଙ୍ଗା ଏନ୍ଏସି ଅଧୀନରେ ଥିବା ୧୨ ଗୋଟି ୱ।ର୍ଡ ପାଇଁ ୧୭ ଗୋଟି ମତଦାନ କେନ୍ଦ୍ରରେ ଭୋଟ ଅନୁଷ୍ଠିତ ହୋଇଥିଲା । ଭୋଟ ଗ୍ରହଣ ଶେଷ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ମୋଟ୍ ୧୪,୨୦୫ ଭୋଟର୍ ଙ୍କ ମଧ୍ୟରୁ ମତଦାନ ସାବ୍ୟସ୍ତ କରିଛନ୍ତି ୧୧,୨୧୦ ଭୋଟର । ସେଥିମଧ୍ୟରୁ ପୁରୁଷ ଭୋଟର୍ ଙ୍କ ସଂଖ୍ୟା ରହିଛି ୫୭୧୯ ଏବଂ ମହିଳା ଭୋଟର୍ ଙ୍କ ସଂଖ୍ୟା ରହିଛି ୫୪୯୧ । ତେବେ ମୋଟ୍ ୭୮.୯୨ ପ୍ରତିଶତ ମତଦାନ ହୋଇଛି । ଏହି ଭୋଟ କେନ୍ଦ୍ର ଗୁଡିକ ମଧ୍ୟରୁ କେସିଙ୍ଗା ସରକାରୀ ବାଳିକା ବିଦ୍ୟାଳୟ ଠାରେ ୬ ଓ ୭ ନମ୍ବର ୱାର୍ଡ ପାଇଁ ପିଙ୍କ୍ ବୁଥ ର ବ୍ୟବସ୍ଥା କରାଯାଇଥିଲା । ସେହିପରି ଓ୍ବାର୍ଡ ନମ୍ବର ୯ ଓ ୧୦ ର ମତଦାନ କେନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ହେଇଥିବା ବେଳେ ଏଥିରେ ଆଦର୍ଶ ମତଦାନ କେନ୍ଦ୍ର କରାଯାଇଥିଲା । ନିର୍ବାଚନ ଅଧିକାରୀ ତଥା ତହସିଲଦାର ଜ୍ୟୋତିର୍ମୟ କରଙ୍କ ପରିଚାଳନାରେ ସ୍ଵତନ୍ତ୍ର ଭୋଟ କେନ୍ଦ୍ର ରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ ନିର୍ବାଚନ ସମୟରେ କେସିଙ୍ଗା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ସେହିପରି କେସିଙ୍ଗା ପୁଲିସ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ଓ କେସିଙ୍ଗା ଆଦର୍ଶ ଥାନା ଅଧିକାରୀ ସତ୍ୟ କୁମାର ନନ୍ଦଙ୍କ ନେତୃତ୍ବରେ ପୋଲିସ ଟିମ ଗଠନ କରାଯିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ନିର୍ବାଚନକୁ ଶେଷ କରାଯାଇଛି । ତେବେ କିଛି ସ୍ଥାନରେ କାଁ ଭାଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୋଲିସ ପକ୍ଷରୁ ସ୍ଥିତି ଉପରେ ନଜର ରଖିବା ସହ ପେଟ୍ରୋଲିଂକୁ କଡାକଡି କରାଯାଇଥିଲା । କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ପଦବୀ ପାଇଁ ବିଜେଡିରୁ ନୃପରାଜ ଯାଦବ, ବିଜେପିରୁ ସଚିନ ଜୈନ, କଂଗ୍ରେସରୁ ରାମକୁମାର ଜୈନ, ଆମ୍ ଆଦମୀ ପାର୍ଟିରୁ ରାଧେଶ୍ୟାମ ଅଗ୍ରୱାଲ ଓ ସ୍ବାଧିନ ପ୍ରାର୍ଥୀ ଭାବେ ମୋତି କୈବର୍ତ୍ତ ନିର୍ବାଚନ ମଇଦାନରେ ରହିଛନ୍ତି । ସେହିପରି ୧୨ ଗୋଟି ଓ୍ବାର୍ଡ କାଉନସିଲର ପାଇଁ ୩୭ ଜଣ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ତେବେ ଆସନ୍ତା ୨୬ ତାରିଖ ଶନିବାର ଦିନ ନିର୍ବାଚନ ଫଳାଫଳ ବାହାରିବ । ଏଥିରେ କାହା ମୁଣ୍ଡରେ ସୁନା କଳସ ଲାଗିବ ସେ ନେଇ ସମସ୍ତଙ୍କ ନଜର ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.