ଜୀବନ ଯନ୍ତ୍ରଣାରେ ପ୍ରହଲ୍ଲାଦ ଲୁହାର, ସହାୟତା ପାଇଁ ନିବେଦନ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗୋଡାଲ ଗ୍ରାମର ପ୍ରହଲ୍ଲାଦ ଲୁହାର ଦୀର୍ଘ ୪ ବର୍ଷ ହେଲା କୈାଣସି ଏକ ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇ ପଡି ରହିଛନ୍ତି । ଏହି ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ଥିବାବେଳେ ପ୍ରହଲ୍ଲାଦ ଘରର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ସେ ରୋଗାକ୍ରାନ୍ତ ହେବାପରେ ତାଙ୍କ ପରିବାରର ସ୍ଥିତି ଦୟନୀୟ ହୋଇପଡ଼ିଛି । ଦିନରାତି ଅନ୍ନ ଚିନ୍ତା ଲାଗି ରହିଥିବା ବେଳେ ଚିକିତ୍ସା ପାଇଁ ହାତରେ କାଣି କଉଡିଟିଏ ବି ନାହିଁ । ଏମିତି ସ୍ଥିତିରେ ଜୀବନ ଯନ୍ତ୍ରଣା ମଧ୍ୟରେ ବିତୁଛି ପ୍ରହଲ୍ଲାଦଙ୍କ ଦିନ । ସେ ନିତ୍ୟକର୍ମ, ଖାଇବା ପିଇବା ଠାରୁ ଆରମ୍ଭ କରି ଉଠାବସା ପର୍ଯ୍ୟନ୍ତ ସ୍ତ୍ରୀ ସୁଶୀଳା ଉପରେ ନିର୍ଭର କରୁଛନ୍ତି । ପ୍ରହଲ୍ଲାଦଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ଏହି ପରିବାର ମୁଣ୍ଡ ଗୁଞ୍ଜିବା ପାଇଁ ଭଲଘର ଟିଏ ମଧ୍ୟ ନାହିଁ । ଝାଟି ମାଟି ଘରେ ବିତୁଛି ଜୀବନ । ଏନେଇ ପ୍ରଶାସନ ଓ ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୈାଣସି ସୁଫଳ ମିଳିପାରିନାହିଁ । ଏହି ପରିବାର ପାଖରେ ବିଜୁ ସ୍ୱାସ୍ଥ୍ୟ ଯୋଜନା କାର୍ଡ ମଧ୍ୟ ରହିଛି ହେଲେ କିଛି କାମକୁ ନୁହଁ । ଏପଟେ ରାସନ କାର୍ଡ, ଭତା ଛଡା ଏହି ପରିବାରକୁ ଅନ୍ୟ କୌଣସି ସରକାରୀ ଯୋଜନା ପହଁଞ୍ଚି ପାରିନାହିଁ । ସ୍ବାମୀ ପ୍ରହଲ୍ଲାଦ ରୋଗାଗ୍ରସ୍ଥ ହେବାପରେ ଆଉ କାମଦାମ କରି ନପାରିବାରୁ ସ୍ତ୍ରୀ ସୁଶୀଳା ଅନ୍ୟ ଘରେ ଖଟି ପରିବାର ପ୍ରତିପୋଷଣ କରୁଛନ୍ତି । ଅର୍ଥ ନ ଥିବାରୁ ଚିକିତ୍ସା ହୋଇ ପାରୁନାହିଁ । ତେଣୁ ସ୍ବାମୀଙ୍କ ଚିକିତ୍ସା ପାଇଁ ଆକୁଳ ନିବେଦନ କରିଛନ୍ତି ସୁଶୀଳା । ତେବେ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରି ପ୍ରହଲ୍ଲାଦଙ୍କ ଉଚ୍ଚ ଚିକିତ୍ସା କରାଇବା ପାଇଁ ଦାବୀ କରିଛନ୍ତି ଗ୍ରାମବାସୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.