ନର୍ଲାରୋଡ଼ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣି ଦାବୀ ପ୍ରସଙ୍ଗ: ୧୧ ରେ ହେବ ରେଳରୋକୋ ଆନ୍ଦୋଳନ

ରେଳରୋକ ପାଇଁ ଅଣ୍ଟା ଭିଡୁଛି ନର୍ଲାରୋଡ଼ ରେଳ ଯାତ୍ରୀ ସୁରକ୍ଷା ସଂଘ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆସନ୍ତା ଅପ୍ରେଲ ୬ରେ କୋଭିଡ କଟକଣା ସମ୍ପୂର୍ଣ୍ଣ ଭାବରେ ଉଠିଯିବ । ଆଗଭଳି ସବୁ ସ୍ୱାଭାବିକ ହେବ ବୋଲି ସରକାର ଘୋଷଣା କରିବା ପରେ ଲୋକେ ଆସ୍ୱସ୍ତି ଅନୁଭବ କରୁଛନ୍ତି । କୋଭିଡ କଟକଣା ପୂର୍ବରୁ ନର୍ଲାରୋଡ଼ ରେଳ ଷ୍ଟେସନରେ ରହଣି ରହିଥିବା ଏକ୍ସପ୍ରେସ ଟ୍ରେନ ଗୁଡିକର ଷ୍ଟପେଜ ଆସନ୍ତା ଅପ୍ରେଲ ୬ ରୁ ଯଦି ଦିଆ ନଯାଏ ତା ହେଲେ ଅପ୍ରେଲ ୧୧ରେ ନର୍ଲାରୋଡ଼ ରେଳ ଯାତ୍ରୀ ସୁରକ୍ଷା ସଂଘ ତରଫରୁ ରେଳରୋକ କରାଯିବ ବୋଲି ସଂଘ ନିଷ୍ପତି ନେଇ ଇଷ୍ଟକୋଷ୍ଟ ରେଳ ବିଭାଗ ଡିଆରଏମ ଙ୍କୁ ପତ୍ର ସଂ-ଆରଆରଏନଆରଏଲଆର ୦୨୩/୨୨ ତା.୨୯/୩/୨୦୨୨ ରେ ଏକ ପତ୍ର ପ୍ରେରଣ କରିଛି ନର୍ଲାରୋଡ଼ ରେଳଯାତ୍ରୀ ସୁରକ୍ଷା ସମିତି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ନର୍ଲାରୋଡ଼ ରେଳ ଷ୍ଟେସନରେ କରୋନା ସଂକ୍ରମଣ ହେବା ପୂର୍ବରୁ ବିଶାଖାପାଟନମ- ନିଜାମୁଦ୍ଦିନ ସମତା ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ, ଏଲେପି- ଧାନବାଦ, କୋରବା – ବିଶାଖାପାଟନମ ଲିଙ୍କ୍ ଏକ୍ସପ୍ରେସ ଟ୍ରେନ, ପୁରୀ- ଅହମଦାବାଦ, ବିଲାସପୁର-ତିରୁପତି ଏକ୍ସପ୍ରେସ ପ୍ରଭୃତି ଏକ୍ସପ୍ରେସ ଟ୍ରେନ ଗୁଡିକ ନର୍ଲାରୋଡରେ ରହଣୀ ରହିଥିଲା । ନର୍ଲାରୋଡ଼ ତଥା ୧୦ ରୁ ଉର୍ଦ୍ଧ୍ବ ଗାଁର ଲୋକେ ବିଭିନ୍ନ ସ୍ଥାନକୁ ଯାତ୍ରା ନିମନ୍ତେ ନର୍ଲାରୋଡ଼ ରେଳ ଷ୍ଟେସନ ଉପରେ ନିର୍ଭର କରିଥାନ୍ତି । ବିଶେଷ କରି ସମତା ଏକ୍ସପ୍ରେସରେ ରାଜଧାନୀ ଦିଲ୍ଲୀ ଯିବାର ସୁବିଧା ରହିଥିବା ବେଳେ ସମତା ଓ କୋରବା ଏକ୍ସପ୍ରେସରେ ଏଠାକାର ଲୋକେ ବିଭିନ୍ନ ରୋଗରେ ପିଡିତ ମାନଙ୍କୁ ନେଇ ଚିକିତ୍ସା ନିମନ୍ତେ ବିଶାଖାପାଟନମ ଯାଇଥାନ୍ତି । କରୋନା ଲକଡାଉନ ଯୋଗୁଁ ଗତ ୨୦୨୦ ଅପ୍ରେଲ ୩୧ ରୁ ଟ୍ରେନ ଚଳାଚଳ ବନ୍ଦ ହୋଇ ଯାଇଥିଲା । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଖୋଲିବା ପରେ ଗତ ୨୦୨୦ ଅଗଷ୍ଟ ମାସରୁ ସ୍ୱତନ୍ତ୍ର ଟ୍ରେନ ଭାବରେ ସମତା, କୋରବା, ଏଲେପି-ଧାନବାଦ, ତିରୁପତି ଏକ୍ସପ୍ରେସ ପ୍ରଭୃତି ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଆଗରୁ ଷ୍ଟପେଜ ରହିଥିବା ନର୍ଲାରୋଡ ଷ୍ଟେସନରେ ଏବେ ଆଉ ଉପରୋକ୍ତ ଟ୍ରେନ ଗୁଡିକର ଷ୍ଟପେଜ ଦିଆଯାଇ ନାହିଁ । କଳାହାଣ୍ଡି ଜିଲ୍ଲାର କେବଳ କେସିଙ୍ଗା ଗୋଟିଏ ଷ୍ଟେସନରେ ହିଁ ଷ୍ଟପେଜ ରହିଛି । ଯାହା ଫଳରେ ନର୍ଲା ଅଞ୍ଚଳର ଲୋକେ ଦିଲ୍ଲୀ, ବିଶାଖାପାଟନମ, ରାୟପୁର ଯିବା ନିମନ୍ତେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି । ନର୍ଲାରୋଡ଼ ଷ୍ଟେସନରେ କେବଳ ସମ୍ବଲପୁର- ରାୟଗଡା ଇଣ୍ଟରସିଟି ଓ ପାସେଞ୍ଜର ଟ୍ରେନ ରହୁଛି । ଉପରୋକ୍ତ ଅତ୍ୟାବଶ୍ୟକ ଟ୍ରେନ ଗୁଡିକର ନର୍ଲାରୋଡ଼ ଷ୍ଟେସନରେ ରହଣୀ ନିମନ୍ତେ ଅଞ୍ଚଳ ବାସୀଙ୍କ ତରଫରୁ ବାରମ୍ବାର ଦାବୀ ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ନର୍ଲାରୋଡ଼ ରେଳଯାତ୍ରୀ ସୁରକ୍ଷା ସଂଘ ତରଫରୁ ୨୦୨୦ ଅକ୍ଟୋବର ରୁ ନର୍ଲା ବିଧାୟକ ଭୁପିନ୍ଦର ସିଂ, କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ରାଜ୍ୟ ସଭା ସାଂସଦ ସୁଜୀତ କୁମାର ସେଠ, ଏପରିକି ରେଳବାଇର ସର୍ବୋଚ୍ଚ ଅଧିକାରୀ ଙ୍କୁ ମଧ୍ୟ ଉପରୋକ୍ତ ଏକ୍ସପ୍ରେସ ଟ୍ରେନ ଗୁଡିକର ରହଣୀ ପାଇଁ ବିଭିନ୍ନ ସମୟରେ ଲିଖିତ ଭାବରେ ଦାବୀପତ୍ର ଦେଇଥିଲେ ମଧ୍ୟ ତାହା ଏଯାଏଁ ଫଳପ୍ରସୁ ହୋଇ ପାରିଲା ନାହିଁ । ଏଣୁ ଏନେଇ ନର୍ଲାରୋଡ଼ ରେଳ ଯାତ୍ରୀ ସୁରକ୍ଷା ସଂଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇ ଏଥିରେ ରେଳରୋକୋ ଆନ୍ଦୋଳନ କରି ଟ୍ରେନ ଲାଇନରେ ନର୍ଲାରୋଡ଼ ତଥା ଆଖପାଖ ୧୦ ଗୋଟି ଗ୍ରାମର ଜନସାଧାରଣ ଧାରଣାରେ ବସିବେ ବୋଲି ନିଷ୍ପତି ନିଆଯାଇଥିବା ନର୍ଲାରୋଡ଼ ରେଳଯାତ୍ରୀ ସୁରକ୍ଷା ସଂଘ ର ସଭାପତି ପ୍ରଦୀପ କୁମାର ନାଏକ ସୂଚନା ଦେଇଛନ୍ତି। ପତ୍ର ମାଧ୍ୟମରେ ସଂଘ ଡିଆରଏମଙ୍କୁ ଗତ କାଲି ୨୯/୩ ରେ ଜଣାଇ ଥିବା ବେଳେ ଏହି ପତ୍ରର ଏକ କିତା ଲେଖାଏଁ କପି ନର୍ଲା ଥାନା, ନର୍ଲା ବିଡ଼ିଓ ମାନସ ରଞ୍ଜନ ତ୍ରିପାଠୀ, କଳାହାଣ୍ଡି ସାଂସଦ, ନର୍ଲା ବିଧାୟକ ଭୁପିନ୍ଦର ସିଂ, ରାଜ୍ୟସଭା ସାଂସଦ ସୁଜିତ କୁମାର, ନର୍ଲାରୋଡ଼ ଷ୍ଟେସନ ମାଷ୍ଟର ପ୍ରମୁଖଙ୍କୁ ପ୍ରଦାନ କରି ଅବଗତ କରାଯାଇଥିବା ସଂଘର ସମ୍ପାଦକ ହମେଶ କୁମାର ଜୈନ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.