ଆଜିଠୁଁ ଆରମ୍ଭ ହେଲା କିନ୍ନର ମାନଙ୍କ ବହୁଚରା ମାତା ପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହେଉଛି ସେବାକାରୀ କିନ୍ନର ସଂଘର ବହୁଚାରା ମାତା ପୂଜା । କିନ୍ନର ମାନଙ୍କ ଅଧିଷ୍ଠାତ୍ରୀ ଦେବୀ ବହୁଚରା ବା ମୁର୍ଗିମାତାଙ୍କ ପୂଜା ମହା ଆଡମ୍ବର ସହକାରେ ଅନୁଷ୍ଠିତ ହେଉଛି । କଳାହାଣ୍ଡି କିନ୍ନର ସଂଘର ସଭାପତି କାମିନୀ କିନ୍ନରଙ୍କ ନେତୃତ୍ୱରେ ଏହି ପୂଜା ଅନୁଷ୍ଠିତ ହୋଇଥିବା ବେଳେ, ଆଜି (ମାର୍ଚ୍ଚ ୩୦ ବୁଧବାର) ଅପରାହ୍ନ ୫ ଘଣ୍ଟା ସମୟରେ ତୁଳାଗାଁ ପୋଖରୀରୁ କଳସୀରେ ଜଳନେଇ କିନ୍ନର ମାନେ ଏକ ଭବ୍ୟ କଳସ ଯାତ୍ରା କରି ବିକ୍ରମ ଲଜ୍ ସମ୍ମୁଖସ୍ଥ ପୂଜା ମଣ୍ଡପରେ ସ୍ଥାପନା କରିଥିଲେ ।

ଅଧିଷ୍ଠାତ୍ରୀ ଦେବୀ ବହୁଚରାଙ୍କ ପୂଜା ଆଜି ସଂଧ୍ୟା ୮ ଘଣ୍ଟା ସମୟରେ ଆରମ୍ଭ ହୋଇଯାଇଛି । ୩୧ ମାର୍ଚ୍ଚରେ ପୀଠ ପୂଜା ଅନୁଷ୍ଠିତ ହେବ । ଅପ୍ରେଲ ୧ ରେ ବୁଦ୍ଧିଜୀବୀଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ନର୍ଲାରୋଡ ସେବାକାରୀ କିନ୍ନର ସଂଘର ସଭାପତି ତଥା ବହୁଚାରା ମାତା ପୂଜାର ଉଦ୍ୟୋକ୍ତା କାମିନୀ କିନ୍ନର ସୂଚନା ପ୍ରଦାନ କରିଛନ୍ତି । ବହୁଚାରା ପୂଜାରେ ପଣ୍ଡିତ ବୃନ୍ଦାବନ ମିଶ୍ର ପୂଜନ କାର୍ଯ୍ୟ ପରିଚାଳନା କରୁଛନ୍ତି । ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ମା ବହୁଚାରାଙ୍କ ପୂଜା ଚାଲିବ । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାୟଗଡା, ବରଗଡ, ସମ୍ବଲପୁର ଓ ଟିଟିଲାଗଡରୁ ଶତାଧିକ କିନ୍ନର ଆସି ନର୍ଲାରୋଡ ରେ ଅନୁଷ୍ଠିତ ବହୁଚାରାଙ୍କ ପୂଜାରେ ଅଂଶ ଗ୍ରହଣ କରିଥିବା ଦେଖିବାକୁ ମିଳିଛି ।

ଗତ ୬ ବର୍ଷ ଧରି କିନ୍ନର ମାନଙ୍କର ଏହି ବହୁଚାରା ପୂଜା ଅନୁଷ୍ଠିତ ହୋଇ ଆସୁଛି । ଚୈତ୍ର ମାସରେ ଏହିପୂଜା ଅନୁଷ୍ଠିତ ହୋଇଥାଏ । କୋଭିଡ କଟକଣା ଯୋଗୁଁ ଦୁଇବର୍ଷ ଧରି ପୂଜା ବନ୍ଦ ହୋଇ ରହିଥିଲା । ଚଳିତ ବର୍ଷ ପୂଜା ଅନୁଷ୍ଠିତ ହେଉଥିବାରୁ କିନ୍ନର ମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳୁଛି । କିନ୍ନରଙ୍କ ବହୁଚାରା ପୂଜା ଯୋଗୁଁ ନର୍ଲାରୋଡ ମଧ୍ୟ ଚଳଚଞ୍ଚଳ ଲାଗୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.