ରେଳ ଯାତ୍ରୀ ସୁରକ୍ଷା ସମିତି ପକ୍ଷରୁ ରୁପ୍ରାରୋଡରେ ରେଳରୋକ

ଆନ୍ଦୋଳନକୁ ମିଳିଲା ପ୍ରଭୁତ ଜନ ସମର୍ଥନ, ୨୦୦୦ ରୁ ଉର୍ଦ୍ଧ୍ବ ଲୋକ ସାମିଲ

ଓଡିଆ ବାର୍ତ୍ତା/ କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ରୁପ୍ରାରୋଡ ରେଳ ଷ୍ଟେସନରେ ଚାଲିଥିବା ରେଳରୋକ ଆନ୍ଦୋଳନରେ ରୁପ୍ରାରୋଡ ତଥା ରୁପ୍ରାରୋଡ ଆଖପାଖର ଜନସାଧାରଣ, ନର୍ଲା ବ୍ଲକ୍ ଅଧିନସ୍ଥ ୨୬ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତିସଦସ୍ୟ ଓ ତିନିଗୋଟି ଜୋନ ର ଜିଲ୍ଲା ପରିଷଦ ସଦସ୍ୟ ମାନେ ଏଥିରେ ସାମିଲ ହୋଇଥିଲେ । ରେଳଯାତ୍ରୀ ସୁରକ୍ଷା ସମିତି ରୁପ୍ରାରୋଡର ପୂର୍ବ ଘୋଷଣା ଅନୁଯାୟୀ ଆଜି ରବିବାର ଅପ୍ରେଲ ୧୦ ସକାଳ ୮ ଘଣ୍ଟା ସମୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଆନ୍ଦୋଳନକାରୀ ମାନେ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରି ରୁପ୍ରାରୋଡ ରେଳ ଷ୍ଟେସନକୁ ଯାଇଥିଲେ । ଆଗରୁ ଷ୍ଟେସନରେ ମୁତୟନ ହୋଇଥିବା ରେଳବାଇ ସୁରକ୍ଷା କର୍ମୀ ଓ ସ୍ଥାନୀୟ ପୋଲିସ୍ ତରଫରୁ ଆନ୍ଦୋଳନକାରୀଙ୍କୁ ଷ୍ଟେସନ ଭିତରକୁ ପ୍ରବେଶ କରାଇ ନଦେବା ପାଇଁ ଉଦ୍ୟମ କରିଥିଲେ । ହେଲେ ହଜାର ହଜାର ସଂଖ୍ୟାରେ ଆସିଥିବା ଆନ୍ଦୋଳନକାରୀ ମାନେ ଷ୍ଟେସନ ଭିତରକୁ ଧସେଇ ପଶି ରେଳ ଧାରଣା ଉପରେ ବ୍ୟାନର ବାନ୍ଧିବା ସହ ରେଳ ଧାରଣା ଉପରେ ଆନ୍ଦୋଳନରେ ବସି ରହିଥିଲେ । ରେଳଯାତ୍ରୀ ସୁରକ୍ଷା ସମିତି ରୁପ୍ରାରୋଡର ଚେୟାରମ୍ୟାନ ଦୁର୍ଗାପ୍ରସାଦ ମହାନ୍ତିଙ୍କ କହିବାନୁଯାୟୀ ଯେତେ ସମୟ ପର୍ଯ୍ୟନ୍ତ ସମ୍ବଲପୁର ଡିଆରଏମ୍ ଙ୍କ ତରଫରୁ ରୁପ୍ରାରୋଡ ରେଳ ଷ୍ଟେସନରେ କୋଭିଡ ପୂର୍ବରୁ ରହୁଥିଭା ୬ ଗୋଟି ଏକ୍ସପ୍ରେସ ଟ୍ରେନର ରହଣୀ ପାଇଁ ଲିଖିତ ପ୍ରତିଶୃତି ଓ ଧାର୍ଯ୍ୟ ସମୟ ( ଏକ ମାସ ମଧ୍ୟରେ) ଲିଖିତ ଭାବରେ ଦିଆ ନଯାଇଛି, ସେତେ ସମୟ ପର୍ଯ୍ୟନ୍ତ ରେଳରୋକ ଆନ୍ଦୋଳନ ବଳବତ୍ତର ରହିବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି । ରେଳରୋକ ଆନ୍ଦୋଳନକୁ ଆଖି ଆଗରେ ରଖି ଆରପିଏଫ୍ ଫୋର୍ସ, ସ୍ଥାନୀୟ ପୋଲିସ୍ ଫୋର୍ସ ମୁତୟନ ହୋଇଥିବା ବେଳେ ନର୍ଲା ପ୍ରଶାସନ ତରଫରୁ ତହସିଲଦାର ମାନସରଞ୍ଜନ ତ୍ରିପାଠୀ ଓ ରେଳବାଇ ଉଚ୍ଚ ପଦସ୍ଥ ଅଧିକାରୀମାନେ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି । ହେଲେ ଆନ୍ଦୋଳନକାରୀ ମାନଙ୍କ ଏକା ଜିଦ୍ ଡିଆରଏମ୍ ରୁପ୍ରାରୋଡ ଷ୍ଟେସନରେ ପୂର୍ବରୁ ରହୁଥିବା ଏକ୍ସପ୍ରେସ୍ ଟ୍ରେନ ଗୁଡିକର ରହଣୀ ପାଇଁ ଧାର୍ଯ୍ୟ ସମୟ ଲିଖିତ ଭାବରେ ପ୍ରଦାନ କଲେ ସେମାନେ ଆନ୍ଦୋଳନନରୁ ଓହରିବେ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ରୁପ୍ରାରୋଡ ଷ୍ଟେସନରେ କରୋନା ସଂକ୍ରମଣ ହେବା ପୂର୍ବରୁ ବିଶାଖାପାଟନମ- ନିଜାମୁଦଦିନ ସମତା ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ, ଏଲେପି- ଧାନବାଦ, କୋରବା – ବିଶାଖାପାଟନମ ଲିଙ୍କ୍ ଏକ୍ସପ୍ରେସ ଟ୍ରେନ, ପୁରୀ- ଅହମଦାବାଦ ପ୍ରଭୃତି ଏକ୍ସପ୍ରେସ ଟ୍ରେନ ଗୁଡିକ ନର୍ଲାରୋଡରେ ରହଣୀ ରହିଥିଲା । ଲକଡାଉନ ଯୋଗୁଁ ୩୦ ଅପ୍ରେଲ ୨୦୨୦ ରୁ ଟ୍ରେନ ଗୁଡିକ ଚଳାଚଳ ବନ୍ଦ ହୋଇଯାଇଥିଲା । ଜୁନ୍ ମାସରେ କୋଭିଡ ସ୍ପେସାଲ ଟ୍ରେନ ଭାବରେ ପୁଣି ଟ୍ରେନ ଗୁଡିକ ଚାଲିଲା । ହେଲେ ଆଗରୁ ଷ୍ଟପେଜ ରହିଥିବା ରୁପ୍ରାରୋଡ ଓ ନର୍ଲାରୋଡ ଷ୍ଟେସନରେ ଆଉ ଟ୍ରେନ ଗୁଡିକ ରହିଲା ନାହିଁ । ୨୦୨୦ ଅକ୍ଟୋବର ମାସରୁ ରେଳଯାତ୍ରୀ ସୁରକ୍ଷା ସମିତି ପକ୍ଷରୁ ରେଳବାଇ ମନ୍ତ୍ରୀ, ରେଳବାଇ ବିଭାଗ ଉଚ୍ଚ ପଦସ୍ଥ ଅଧିକାରୀ, ସ୍ଥାନୀୟ ସାଂସଦ, ରାଜ୍ୟସଭା ସାଂସଦ ଙ୍କୁ ଏକ୍ସପ୍ରେସ୍ ଟ୍ରେନ ରହଣୀ ଦାବୀ ନେଇ ବାରମ୍ବାର ଲେଖିକି ଜଣାଇଥିଲେ ମଧ୍ୟ କୌଣସୀ ସୁଫଳ ମିଳିଲା ନାହିଁ । ଏଣୁ ରୁପ୍ରାରୋଡ ଯାତ୍ରୀ ସୁରକ୍ଷା ସମିତି ୧୦ ରେ ଏବଂ ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସଂଗ ତରଫରୁ ୧୧ ରେ ରେଳରୋକ ଆନେ୍ଦାଳନ ପାଇଁ ନିଷ୍ପତି ନେଲେ । ଗତକାଲି ନର୍ଲା ଥାନାକୁ ରେଳବାଇ ଉଚ୍ଚ କତ୍ତୃପକ୍ଷ, ଜିଲ୍ଲା ପୋଲିସ୍, ରେଳବାଇ ପୋଲିସ୍ ଓ ସ୍ଥାନୀୟ ତହସିଲଦାର ଦୁଇ ଗୋଟି ସ୍ଥାନର ଆନ୍ଦୋଳନକାରୀଙ୍କୁ ଡାକି ଆଲୋଚନା ମାଧ୍ୟମରେ ବୁଝାସୁଝା କରିଥିଲେ । ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସଂଘ ମାସକ ପର୍ଯ୍ୟନ୍ତ ସମୟ ଦେଇ ଧାରଣାରୁ ଓହରିଥିବା ବେଳେ ରୁପ୍ରାରୋଡ ରେଳଯାତ୍ରୀ ସୁରକ୍ଷା ସମିତି ଆନ୍ଦୋଳନ ଜିଦ୍ ରେ ଅଟଳ ରହିଲା । ଏବଂ ପୂର୍ବ ନିର୍ଦ୍ଧାରିତ ଦିନ ଅନୁଯାୟୀ ଆଜି ଆନ୍ଦୋଳନ କରୁଛି । ଆଜି ରାୟପୁର ବିଶାଖାପାଟନମ ଓ ସମ୍ବଲପୁର ବିଶାଖାପାଟନମ ଦେଇ ଆସୁଥିବା ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଥିବା ଜଣାପଡିଛି ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.