ବଢିଲା ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଫି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଫି ବୃଦ୍ଧି ପାଇଛି । ନୂତନ ଫି ଅନୁଯାୟୀ ୫ରୁ ୧୨ବର୍ଷ ବୟସର ପିଲାଙ୍କ ପାଇଁ ମାସିକ ୧୦୦୦ ଟଙ୍କା ୧୨ରୁ ୧୮ବର୍ଷ ବୟସର ପିଲାଙ୍କ ପାଇଁ ମାସିକ ୧୫୦୦ ଟଙ୍କା ଏବଂ ୧୮ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ମାସିକ ୨୦୦୦ ଟଙ୍କା ଧାର୍ଯ୍ୟ ହୋଇଛି । ମାର୍ଚ୍ଚ ମାସରୁ ଛୋଟ ପିଲାଙ୍କ ନାମଲେଖା ଆରମ୍ଭ ହୋଇଥିବାବେଳେ ପ୍ରାୟ ମାସକ ଫରେ ପରିଚାଳନା କମିଟି ଫି ଧାର୍ଯ୍ୟ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ଛୋଟ ପିଲାଙ୍କୁ ପହଁରିବାପାଇଁ ମାସକୁ ୭୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ସେମାନଙ୍କୁ ସପ୍ତାହରେ ୬ଦିନ ପହଁରିବାର ସୁଯୋଗ ମିଳୁଥିଲା । ହେଲେ ଏବେ ମାସକୁ ୧୦୦୦ ଟଙ୍କାରେ ତିନି ଦିନ ସୁଯୋଗ ପ୍ରଦାନ କରାଯାଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ପହଁରିବା ତାଲିମ ଦାୟିତ୍ୱ ଶିଳ୍ପ ସଂସ୍ଥା ଜେଏସ୍‍ଡବ୍ଲ୍ୟୁକୁ ପ୍ରଦାନ କରାଯାଇଛି । ସମ୍ପୃକ୍ତ ସଂସ୍ଥା ଏଠାରେ ପିଲାଙ୍କ ନାମଲେଖା ସହିତ ସେମାନଙ୍କ ସହ ଯୋଗାଯୋଗରେ ରହିଛି । ତେବେ ଏଭଳି ଦୈନିଦିନ ପରିଚାଳନା ଖର୍ଚ୍ଚକୁ ଦୃଷ୍ଟିରେ ରଖି ଏହି ଦର ଧାର୍ଯ୍ୟ କରାଯାଇଥିବା ସନ୍ତରଣାଗାର ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି । ତେବେ ସନ୍ତରଣାଗାରରେ ପୂର୍ବରୁ ପହଁରୁଥିବା ଆଜୀବନ ସଦସ୍ୟ ଓ କର୍ପୋରେଟ ସଦସ୍ୟଙ୍କ ଫି ଅପରିବର୍ତ୍ତିତ ରହିଛି। ଅନ୍ୟ ସବୁବର୍ଗଙ୍କ ପାଇଁ ନୂତନ ଫି ଧାର୍ଯ୍ୟ ହୋଇଛି । ଏହି ନୂଆ ଦର ଏପ୍ରିଲ ପହିଲାରୁ ଲାଗୁ ହୋଇଥିବା ବେଳେ ବହୁ ବିଳମ୍ବରେ ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ପିଲାଙ୍କ ଠାରୁ ଏକକାଳୀନ ଦୁଇ ମାସର ଫି ଆଦାୟ କରାଯାଉଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.