ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ୍ ପକ୍ଷରୁ ପକ୍ଷାଘାତ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ବ୍ଲକ ସିରୋଲ ଗ୍ରାମର ଜଣେ ପକ୍ଷାଘାତ ପିଡିତଙ୍କୁ ‘ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ୍ କଳାହାଣ୍ଡି, କେସିଙ୍ଗା ଶାଖା’ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ସୂଚନା ଅନୁସାରେ ସିରୋଲ ଗାଁର ଧର୍ମଦାସ ନାଗ ଆଜକୁ ଦୁଇ ବର୍ଷ ହେଲା ପକ୍ଷାଘାତରେ ପିଡିତ ହୋଇଛନ୍ତି । ସେ ପକ୍ଷାଘାତରେ ପିଡିତ ହେବାପରେ ତାଙ୍କ ସ୍ତ୍ରୀ ତିନୋଟି ଛୋଟ ଛୋଟ ପିଲା (୨ ଝିଅ ଜଣେ ପୁଅ)ଙ୍କୁ ଛାଡି ଚାଲି ଯାଇଛନ୍ତି । ପିଲାମାନେ ଅଳ୍ପ ବୟସ୍କ ହୋଇଥିବାରୁ ସେମାନେ ନିଜେ ନିଜର ଯତ୍ନ ଠିକ୍ ଭାବରେ ନେଇ ପାରୁନାହାନ୍ତି, ତେଣୁ ସେମାନଙ୍କ ପାଠ ପଢାରେ ମଧ୍ୟ ବ୍ୟାଘାତ ହେଉଛି । ଏପଟେ ପରିବାର ପ୍ରତିପୋଷଣ ପାଇଁ ମଧ୍ୟ କଷ୍ଟ ହେଉଛି । ଏମିତି ଏକ ସନ୍ଧିକ୍ଷଣ ଭିତର ଦେଇ ବିତୁଛି ଧର୍ମଦାସଙ୍କ ପାରିବାରିକ ଜୀବନ । ପିଲାଙ୍କ ଯତ୍ନ, ପାଠପଢା, ଦେଖାଶୁଣା ସହ ପକ୍ଷାଘାତ ବେଡି ଉପରେ କୋରଡ଼ା ମାଡ ସଦୃଶ୍ୟ ହୋଇଛି । ଏହି ଖବର ପାଇବା ପରେ ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ୍ କଳାହାଣ୍ଡି, କେସିଙ୍ଗା ଶାଖାର ବଦାନ୍ୟ ବ୍ୟକ୍ତିଙ୍କ ତରଫରୁ ଆର୍ଥିକ ସହାୟତା ୯ହଜାର ଟଙ୍କା ସଭାପତି ଲୋକନାଥ ନାଗ, ଗିରୀଜା ବେହେରା, ତେଜରାଜ ବେହେରା, ତ୍ରିନାଥ ନାଏକ, ସତ୍ୟାନନ୍ଦ ନାଗ, ଗଜାନନ ନାଏକ, ଜୟପ୍ରକାଶ ଜାଲଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଛି । ଧର୍ମଦାସଙ୍କ ଉତ୍ତମ ଚିକିତ୍ସା ଓ ତାଙ୍କ ଶିଶୁ ମାନଙ୍କୁ ଆବାସିକ ବିଦ୍ୟାଳୟରେ ପାଠପଢା ନେଇ ବ୍ୟବସ୍ଥା କରିବାକୁ ସ୍ଥାନୀୟ ସରପଞ୍ଚ ଓ ବିଡ଼ିଓଙ୍କୁ ଅନୁରୋଧ କରାଯିବ ବୋଲି ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ୍ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ଏହାସହ ଧର୍ମଦାସଙ୍କ ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ସମାଜର ସହୃଦୟ ବ୍ୟକ୍ତି ମାନଙ୍କୁ ଅନୁରୋଧ କରିବାକୁ ଆଲୋଚନା ହୋଇଥିଲା । ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ୍ ପକ୍ଷରୁ ନିରନ୍ତର ଏପରି ସେବା କାର୍ଯ୍ୟକ୍ରମ ଚାଲିଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.