ସମାଜସେବୀଙ୍କ ପ୍ରୟାସରେ ସ୍କୁଲ ଯିବ ବାପା ମା’ ଛେଉଣ୍ଡ ଶିଶୁ ରାଜେଶ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଛୋଟ ଛୋଟ ଶିଶୁମାନେ କିପରି ବିଦ୍ୟାଳୟ ମୁହାଁ ହେବେ ସେଥିପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ପିଲା ମାନଙ୍କୁ ବହି ବସ୍ତାନି ଠାରୁ ଆରମ୍ଭ କରି ଖାଇବା ଓ ଡ୍ରେସ ମଧ୍ୟ ଦେଉଛନ୍ତି । କିନ୍ତୁ ଅନେକ ଗାଁ ମାନଙ୍କରେ କିଛିପିଲା ଏହି ପାଠ ପଢ଼ାରୁ ବଂଚିତ ହେଉଛନ୍ତି । ଏହିପରି ଏକ ସମସ୍ୟା ଦେଖିବାକୁ ମିଳିଥିଲା ଭବାନୀପାଟଣା ବ୍ଲକ ତିଳଯୋଡି ଗାଁର ହରିଜନ ପଡାଠାରେ । ରାଜେଶ ପୁଝାରୀ ନାମକ ଏକ ୧୦ବର୍ଷର ଶିଶୁ ଜନ୍ମରୁ ସ୍କୁଲ ଦୁଆର ମୁହଁ ଦେଖିନଥିଲା । ନିଜର ବୋଲି ନାଁ ବାପା ଅଛି ନାଁ ମା ଅଛି । ସେ ଜନ୍ମ ହେଲାପରେ ବାପ କିଏ ମା କିଏ ଜାଣି ନାହିଁ । ନିଜର ଅଜା ଗୁଣ ପରାଭୋଇଙ୍କ ଠାରେ ସେ ରହିଆସୁଛି । ଜେଜେ ହାତୁଡି ପିଟି କମାର କାମରେ ଯାହା ରୋଜଗାର କଲେ ସେଥିରେ ଦୁଇଜଣ ଖୁସିରେ ଚଲି ଯାଆନ୍ତି । ରାଜେଶ ମଧ୍ୟ ତାଙ୍କର ଅଜାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରନ୍ତି । ରାଜେଶ ସ୍କୁଲ ଯାଉନଥିବା ଜାଣି ସମାଜସେବୀ ଯଶୋବନ୍ତ ରଣା ତାଙ୍କ ପାଖକୁ ଯାଇ ସବୁ ସମସ୍ୟା ବିଷୟରେ ଜାଣିବା ପରେ ଅଙ୍ଗନୱାଡ଼ି କର୍ମୀଙ୍କ ଠାରୁ ଆବଶ୍ୟକିୟ କାଗଜପତ୍ର ଆଣି ତାଙ୍କୁ ତିଳଯୋଡି ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖେଇଦେବାକୁ ପ୍ରତିଶୃତି ଦେଇଥିଲେ । ରାଜେଶ ପଢିବାକୁ ଇଛା ପ୍ରକାଶ କରିଥିବାରୁ ତାଙ୍କର ଅଜା ମଧ୍ୟ ପଢେଇବାକୁ ରାଜି ହୋଇଥିଲେ । ସମାଜସେବୀ ଯଶୋବନ୍ତ ରଣା ଗଣ୍ଡବରାଝୋଲା ସରପଞ୍ଚ ମୁରଲି ପ୍ରଧାନ, ଶିକ୍ଷକ ଭୁବନହରି ପ୍ରଧାନ, ମହେନ୍ଦ୍ର ନାଏକଙ୍କ ଉପସ୍ଥିତିରେ ତିଳଯୋଡି ପ୍ରାଥମିକ ବିଦ୍ୟାଳୟରେ ଦ୍ୱିତୀୟ ଶ୍ରେଣୀରେ ଆଡ଼ମିସନ କରାଇଛନ୍ତି । ସ୍କୁଲ ପକ୍ଷରୁ ତାଙ୍କୁ ଏକ ହଲ ଜୋତା ସହ ଏକ ଡ୍ରେସ ଯୋଗାଇ ଦିଆଯାଇଛି । ରାଜେଶ କୌତୁହଳ ହୋଇ ପ୍ରତିଦିନ ସ୍କୁଲ ଆସିବି ବୋଲି ଶିକ୍ଷକଙ୍କ ପାଖରେ କହିଛନ୍ତି । ସମାଜସେବୀଙ୍କ ଏହିପରି କାର୍ଯ୍ୟକୁ ଗ୍ରାମବାସୀ ସାଧୁବାଦ ଜଣେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.