ଦିବାଲୋକରେ ଦୁର୍ବୁତ ଝାମ୍ପିନେଲେ ବୃଦ୍ଧାଙ୍କ ନାକ ଓ କାନରୁ ସୁନା ଗହଣା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରରେ ବୃଦ୍ଧି ପାଉଥିବା ଲୁଟ, ଚୋରି, ଡକାୟତି ଭଳି ଘଟଣାକୁ ନିୟନ୍ତ୍ରଣ କରିବାରେ ରାୟଗଡା ଥାନା ପୋଲିସ ସଫଳତା ହାସଲ କରି ପାରୁ ନ ଥିବା ବେଳେ ପୋଲିସ ପେଟ୍ରୋଲିଂର ଢିଲା ବ୍ୟବସ୍ଥାର ଫାଇଦା ଉଠାଇ ଅପରାଧ ଘଟାଇବାରେ ସଫଳ ହେଉଛନ୍ତି ଦୁର୍ବୁତ । ଆଜି ରାୟଗଡା ଥାନା ଅନ୍ତର୍ଗତ ସହରର ତୁମ୍ବିଗୁଡା ଗ୍ରାମର ଜଣେ ବୃଦ୍ଧାଙ୍କ ନାକ ଓ କାନରେ ଥିବା ସୁନାଗହଣା ଜୋର ଜବରଦସ୍ତ ଲୁଟି ନେଇଛନ୍ତି ଦୁର୍ବୁତ । ଲୁଟର ଶୀକାର ହୋଇଥିବା ବୃଦ୍ଧା ଜଣକ ହେଲେ ୧୯ନମ୍ବର ୱାର୍ଡର କାଉନସିଲର ଅଭି କୁମାର ନାଚିକାଙ୍କ ମାଁ ଜାମି ନାଚିକା ବୋଲି ଜଣାପଡିଥିବା ବେଳେ ରାୟଗଡା ଥାନାରେ ଏ ନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ପ୍ରକାରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ତୁମ୍ବିଗୁଡା- କୋଣ୍ଡା ତୁମ୍ବିଗୁଡା ରାସ୍ତା ମଝିରେ ଥିବା ପଡିଆ ଆଡକୁ ବୃଦ୍ଧା ଜାମି କିଛି କାମରେ ଯାଇ ଫେରୁଥିବା ବେଳେ ପୂର୍ବରୁ ଉକ୍ତ ରାସ୍ତାରେ ଜଗି ରହିଥିବା ମାସ୍କ ପିନ୍ଧା ଦୁର୍ବୁତମାନେ ଏକାଥରକେ ଜାମିଙ୍କ ଉପରେ ମାଡିବସି ତାଙ୍କ ନାକ ଓ କାନରେ ଥିବା ସୁନାଗହଣାକୁ ଜୋରଜବରଦସ୍ତ ଛିଣ୍ଡାଇ ନେଇଥିଲେ । ଘଟଣାସ୍ଥଳରେ ଜାମି ଚିତ୍କାର ମଧ୍ୟ କରି ପାରି ନ ଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ଘରକୁ ଫେରି ପରିବାର ସଦସ୍ୟଙ୍କୁ ଜଣାଇଥିଲେ । ପରିବାର ଲୋକେ ଓ ଗ୍ରାମବାସୀ ଘଟଣାସ୍ଥଳକୁ ଯାଇଥିବା ବେଳେ ଦୁର୍ବୁତମାନେ ଚମ୍ପଟ ମାରିଥିଲେ । ରାୟଗଡା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଦିବାଲୋକରେ ଦୁର୍ବୁତମାନେ ଲୁଟ କରୁଥିବା ପୋଲିସର ପାରିବା ପଣିଆ ଉପରେ ଖୁଲମଖୁଲା ଚ୍ୟାଲେଂଜ ସୃଷ୍ଟି କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.