ଅନୁସୂଚିତ ଜାତିର ବ୍ୟକ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ: ବିଭିନ୍ନ ମହଲରୁ ନିନ୍ଦା

କଳାହାଣ୍ଡିର ୧୦ଟି ସଂଗଠନ ପକ୍ଷରୁ ଭବାନୀପାଟଣା ଟାଉନ ଥାନାରେ ଏତଲା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ମୃତ ଗାଈର ଚମଡ଼ାକୁ ଛାଲି ବିକ୍ରି କରିବାକୁ ନେଉଥିବାବେଳେ ତିନିଜଣ ଦଳିତ ବ୍ୟକ୍ତିଙ୍କୁ ଅମାନୁଷିକ ଭାବେ ମରଣାନ୍ତକ ଆକ୍ରମଣ କରିବା ଓ ସେମାନଙ୍କୁ ଉଲଗ୍ନ କରି ଭିଡିଓ ଭାଇରାଲ କରିବା ଭଳି ଏକ ସଂଗୀନ ଅଭିଯୋଗ ଆସି ପହଞ୍ଚିଛି ବରଗଡ ଜିଲ୍ଲାରୁ । ଏହାକୁ ନେଇ ସାରା ରାଜ୍ୟରେ ପ୍ରତିବାଦର ସ୍ବର ତିବ୍ର ହେବାରେ ଲାଗିଛି । ସୂଚନା ଅନୁଯାୟୀ, ବରଗଡ ସଦର ଥାନା ଅନ୍ତର୍ଗତ ନିଲେଶ୍ବର ଗାଁର ବୃନ୍ଦାବନ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଥିବା ଗୋଟିଏ ଗାଈର ମୃତ୍ୟୁ ଘଟିବା ପରେ ସେ ନିକଟସ୍ଥ ଚକରକେନ ଗାଁର ଚମାର ସଂପ୍ରଦାୟର କୈଳାସ ମେହେର, ଦୁଃଖୁ ମେହେର ଓ ବିଭା ମେହେରଙ୍କୁ ଡାକି ଗାଈର ଶବକୁ ଫିଙ୍ଗିଦେବାକୁ ଅନୁରୋଧ କରିଥିଲେ । ବୃନ୍ଦାବନଙ୍କ ଅନୁରୋଧ କ୍ରମେ ଏଇ ତିନିଜଣ ମୃତ ଗାଈର ଶବ ଫିଙ୍ଗିଦେବା ସହ ତାର ଚମଡ଼ା ଛାଲିବା ପରେ ବିକ୍ରି କରିବାକୁ ନେଉଥିଲେ । ଏଇ ସମୟରେ କିଛି ଅସାମାଜିକ ବ୍ୟକ୍ତି ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିବା ସହିତ ସେମାନଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଏପରିକି ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିବା ସହିତ ଉଲଗ୍ନ କରି ଭିଡିଓ ଉତ୍ତୋଳନ ପରେ ଭାଇରାଲ କରିଥିଲେ । ବର୍ତ୍ତମାନ ସେଇ ତିନିଜଣ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି । ଗାଈର ମାଲିକଙ୍କ ଅନୁରୋଧ କ୍ରମେ ଗୋଟିଏ ମୃତ ଗାଈର ଚମଡ଼ା ଛାଲିବା ଅପରାଧ ଶ୍ରେଣୀରେ ଯାଉନଥିବାବେଳେ ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣକୁ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା କରାଯାଇଛି । ଏହାସହିତ ଆକ୍ରମଣକାରୀମାନଙ୍କ ବିରୁଦ୍ଧରେ କଠୋରରୁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

ଗାଈଗୋରୁ, ପୋଢ଼ ମଇଁଷି, ଗୋଧି, କୁମ୍ଭୀର ଆଦି ପ୍ରାଣୀଙ୍କ ଚମଡ଼ା ସବୁରେ ଦାମୀ ଜୋତା, ବ୍ୟାଗ୍, ବେଲ୍ଟ ଭଳି ସୌଖୀନ ସାମଗ୍ରୀ ତିଆରି ହୁଏ ଏବଂ ଏହାର ଚାହିଦା ସବୁଠି ସବୁବେଳେ ବହୁତ ବେଶୀ । ଚମଡ଼ା ଜୋତା, ବ୍ୟାଗ୍, ବେଲ୍ଟ ବ୍ୟବହାର କରିବାକୁ ମଧ୍ୟ ଆମ ଲୋକେ ପସନ୍ଦ କରନ୍ତି । ଏପରିକି ଢୋଲ, ନିଶାନ୍, ତାସା ଭଳି ମ୍ରୁଦଙ୍ଗ, ଖଞ୍ଜଣୀ ଆଦି ବାଦ୍ୟଯନ୍ତ୍ର ମଧ୍ୟ ଗାଈ, ଛେଳି ଆଦି ଚମଡ଼ାରେ ତିଆରି ହୋଇଥାଏ, ଯାହାର ଶବ୍ଦ ଆମକୁ ବିମୋହିତ କରେ । ତେବେ ମୃତ ଗାଈର ଚମଡ଼ାକୁ ଛାଲି ବିକ୍ରି କରିବାକୁ ନେଉଥିବାବେଳେ ତିନିଜଣ ଦଳିତ ବ୍ୟକ୍ତିଙ୍କୁ ଅମାନୁଷିକ ଭାବେ ମରଣାନ୍ତକ ଆକ୍ରମଣ କରିବା ଓ ସେମାନଙ୍କୁ ଉଲଗ୍ନ କରି ଭିଡିଓ ଭାଇରାଲ କରିବା ଭଳି ଅଭିଯୋଗ ସଭ୍ୟ ସମାଜର ମୁହଁକୁ ତଳକୁ କରିଦେଇଛି ।

ଏହାକୁ ନେଇ କଳାହାଣ୍ଡି ଜିଲ୍ଲାରେ ସକ୍ରିୟ ଥିବା ଦଶରୁ ଉର୍ଦ୍ଧ୍ବ ରାଜନୈତିକ ଓ ସାମାଜିକ ସଂଗଠନ ପକ୍ଷରୁ ଭବାନୀପାଟଣା ଟାଉନ ଥାନାରେ ଅସାମାଜିକ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ମାମଲା ଦାୟର କରାଯାଇଛି । ଏଥିରେ ସନ୍ଥ ରବିଦାସ ସମାଜର କଳାହାଣ୍ଡି ଜିଲ୍ଲା ସଭାପତି ଶଙ୍କର ମେହେର, ଲକ୍ଷ୍ମଣ ମେହେର, ରାଜୁ ସତନାମୀ, ନିରଞ୍ଜନ ସତନାମୀ, ଡମ୍ବରୁ ସତନାମୀ, ସିଦ୍ଧେଶ୍ବର ମେହେର, ଭୀମ ଆର୍ମୀର ରାଜ୍ୟ ଉପସଭାପତି ଆଶିଷ ନାଏକ, ଜିଲ୍ଲା ସଭାପତି ରଜନୀକାନ୍ତ ସମର୍ଲିଆ, ବିଏସ୍‌ପିର ଜିଲ୍ଲା ସଭାପତି ଜଳନ୍ଧର ବେହେରା, ଦାମୋଦର ବେହେରା, ବିଏମପି ଓବିସି ମୋର୍ଚ୍ଚାର ଜିଲ୍ଲା ସଭାପତି ଆଦିତ୍ୟ ହଂସ, ମୁସଲିମ ସଂଗଠନର ଜିଲ୍ଲା ମୁଖ୍ୟ ମହମ୍ମଦ ମେହବୁବ ରଜାକ, ଏପିଆଇର ରାଜ୍ୟ ସଂଯୋଜକ ଛବିଲାଲ ନିଆଲ, ରବିଦାସ ସମାଜର ମେହେର, ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଧନଞ୍ଜୟ ଦୀପ, ସାଧାରଣ ସଂପାଦକ ଯତୀନ୍ଦ୍ର କର, ଉପସଭାପତି ବିଭୀଷଣ ନାଏକ, ଆଇନ ବିଭାଦର ସୂର୍ଯ୍ୟ ନାରାୟଣ କୁମାର, ଯୁବ ସଂଗଠନର ସଞ୍ଜୟ ସୁନାନୀ, କୈଳାସ ଦୁର୍ଗା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହାସହିତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.