ହରି ନାମ ଶ୍ରବଣରେ ତଲ୍ଲିନ ଭକ୍ତ ମଣ୍ଡଳୀ : ଚାଲିଛି ମାଣ୍ଡେଲର ୧୬ ପ୍ରହର ନାମଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲର ପ୍ରସିଦ୍ଧ ନାମଯଜ୍ଞ ଚଳିତ ବର୍ଷ ଅନୁଷ୍ଠିତ ହେଉଛି । ବୁଧବାର ସକାଳ ୬.୫୮ରେ ନାମ ଆରମ୍ଭ ହୋଇଯାଇଛି । ସୋମବାର ସଂଧ୍ୟା ୪ ଘଣ୍ଟା ସମୟରେ ଏନେଇ ଭବ୍ୟ କଳସଯାତ୍ରା ଅନୁଷ୍ଠିତ ହୋଇଥିଲା । ମାଣ୍ଡେଲ ଓ ପୁଜିପଦରର ଶତାଧିକ ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ଭକ୍ତ କଳସ ଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ସାନ୍ଦୁଲ ନଦୀ ଦହଲ ଘାଟରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସୋମବାର ସଂଧ୍ୟା ୬ ଘଣ୍ଟା ସମୟରେ ତ୍ରୀନାଥ ମନ୍ଦିର ନିକଟସ୍ଥ ଅସ୍ଥାୟୀ ନାମଯଜ୍ଞ ମଣ୍ଡପରେ କଳସ ସ୍ଥାପନ ସାଙ୍ଗକୁ ବିଲ୍ୱ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ମାଣ୍ଡେଲ ତ୍ରୀନାଥ କମିଟି ଆନୁକୂଲ୍ୟରେ ପ୍ରତିବର୍ଷ ୧୬ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ମାଣ୍ଡେଲ ଓ ପୁଜିପଦରର ଶ୍ରଦ୍ଧାଳୁ ଭକ୍ତମାନେ ଯଜ୍ଞ ପରିଚାଳନା କରୁଥିବା ଜଣାପଡିଛି । କୋଭିଡ ଯୋଗୁଁ ନାମଯଜ୍ଞ ଦୁଇବର୍ଷ ବନ୍ଦ ପରେ ଚଳିତ ବର୍ଷ ମହା ଆଡମ୍ବର ସହକାରେ ନାମଯଜ୍ଞ ଅନୁଷ୍ଠିତ ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଏନେଇ ଅନେକ ଉତ୍ସାହ ଓ ଉଦ୍ଦୀପନା ରହିଥିବା ଦେଖିବାକୁ ମିଳୁଛି । ଏବର୍ଷ ନାମଯଜ୍ଞ କର୍ତ୍ତା ଭାବରେ ଶ୍ରୀମତୀ ମନୋରମା ବାରିକ ଓ ବୃନ୍ଦାବନ ବାରିକ, ପୂଜକ ଭାବରେ ପଣ୍ଡିତ ଅର୍ଜୁନ ମିଶ୍ର ଏବଂ ଜପକ ଭାବରେ ନୀଳମାଧବ ପାଢ଼ୀ ବିଧି ସଂପାଦନ କରୁଛନ୍ତି ‌। ଚଳିତ ବର୍ଷ ଉପରୋକ୍ତ ଦୁଇ ଗ୍ରାମର ଯୁବ ଗୋଷ୍ଠି ଓ ଗ୍ରାମବାସୀ ସମସ୍ତ ବିଭାଗ ଯଥା; ଦଳଡକା, ଦଳ ପ୍ରବେଶ କରାଇବା, ଅନ୍ନଛତ୍ର, ଭୋଗ ପ୍ରସ୍ତୁତି, ସ୍ୱାଗତ କାଉଣ୍ଟର, ଅତିଥି ସେବା କାଉଣ୍ଟର, ଭୋଗ କାଉଣ୍ଟର ପ୍ରଭୃତି ବିଭାଗ ଗୁଡିକର କାର୍ଯ୍ୟ ସୂଚାରୁରୂପେ ସଂପାଦନ କରୁଥିବା ଦେଖାଯାଇଛି । ବିଶେଷ କରି ଗ୍ରାମର ନାମଯଜ୍ଞ ପରିଚାଳନାରେ ଗ୍ରାମର ବହୁ ଅନୁଭବୀ ବ୍ୟକ୍ତି ଉପଦେଷ୍ଟା ଭାବରେ ରହି ମାର୍ଗଦର୍ଶନ ଦେଉଥିବା ଜଣାପଡିଛି । ମାଣ୍ଡେଲ ଓ ପୁଜିପଦରର ସଂକୀର୍ତ୍ତନ୍ୟ ମଣ୍ଡଳୀ ବ୍ୟତୀତ ଜିଲ୍ଲା ତଥା ଜିଲ୍ଲା ବାହାରୁ ୮ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଏଥିରେ ଅଂଶ ଗ୍ରହଣ କରିଛନ୍ତି । ସେଥି ମଧ୍ୟରୁ ଦୁଇଗୋଟି ମହିଳା ସଂକୀର୍ତ୍ତନ ମଣ୍ଡଳୀ ରହିଛି । ଏଥିରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ଉପସ୍ଥିତ ରହି ହରି ନାମ ଶ୍ରବଣ କରୁଛନ୍ତି ‌। ପରମ ପବିତ୍ର ହରିନାମ ଶ୍ରବଣରେ ତଲ୍ଲିନ ହୋଇ ଉଠୁଛନ୍ତି ଶ୍ରୋତା ମଣ୍ଡଳୀ । ବୁଧବାର ଓ ଗୁରୁବାର ଦୁଇଦିନ ଧରି ଯଜ୍ଞରେ ଅଖଣ୍ଡ ନାମ ଚାଲିବ । ଶୁକ୍ରବାର ସକାଳ ୬.୫୮ ସମୟରେ ପୂର୍ଣ୍ଣାହୁତି ପଡିବ ବୋଲି ଜଣାପଡିଛି । ଏଇଠି ନାମଯଜ୍ଞ ସମେତ ଅନ୍ନଯଜ୍ଞ ମଧ୍ୟ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.