ପୂର୍ଣ୍ଣାହୁତି ସହ ସଂପନ୍ନ ହେଲା ମାଣ୍ଡେଲର ୧୬ ପ୍ରହର ନାମଯଜ୍ଞ

ସଂକୀର୍ତ୍ତନ ମଣ୍ଡଳୀ ସହ ଦହିହାଣ୍ଡିର ନଗର ପରିକ୍ରମା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦୁଇଦିନ ଧରି ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଠାରେ ଚାଲିଥିବା ୧୬ ପ୍ରହର ନାମଯଜ୍ଞ ପୂର୍ଣ୍ଣାହୁତି ସହ ସମାପନ ହୋଇଯାଇଛି । ଆଜି ଶୁକ୍ରବାର ସକାଳ ୬.୫୮ ସମୟରେ ପ୍ରହରର ନାମ ଛାଡାଯାଇଥିଲା । ଏହାପରେ ଦଧିହାଣ୍ଡି ମାଣ୍ଡେଲ ଓ ପୂଜିପଦର ଗ୍ରାମ ପରିକ୍ରମା କରି ନାମଯଜ୍ଞ ମଣ୍ଡପ କୁ ଫେରିଥିଲା । ସେଠାରେ ଦଧିହାଣ୍ଡି ଭାଙ୍ଗିଥିଲେ ଶ୍ରଦ୍ଧାଳୁ ଓ ଭକ୍ତ ବୃନ୍ଦ । ଏବର୍ଷର ନାମଯଜ୍ଞ କର୍ତ୍ତା ମନୋରମା ବାରିକ ଓ ବୃନ୍ଦାବନ ବାରିକ ଦମ୍ପତ୍ତି ଦଧିହାଣ୍ଡି ମୁଣ୍ଡେଇ ନଗର ପରିକ୍ରମା କରିଥିଲେ । ପ୍ରତି ଘର ଦୁଆରେ ଝୋଟି ଦେଇ, କଳସ ସ୍ଥାପନା କରି ଫୁଲ, ଚନ୍ଦନ ଦେଇ ଦଧିହାଣ୍ଡିକୁ ବନ୍ଦେଇ ପୂଜା କରି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଶଙ୍ଖ, ଘଣ୍ଟ ଓ ସଂକୀର୍ତ୍ତନ ନାଦରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ମାଣ୍ଡେଲ ଓ ପୂଜିପଦର ଗ୍ରାମର ଆବାଳ ବୃଦ୍ଧ ବନିତା ଏଥିରେ ସାମିଲ ହୋଇଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ମଙ୍ଗଳବାର ଅପରାହ୍ନ ୪ ଘଣ୍ଟା ସମୟରେ ଭବ୍ୟ କଳସଯାତ୍ରାରେ ମହିଳା ଓ ପୁରୁଷମାନେ ସାମିଲ ହୋଇ ସାନ୍ଦୁଲ ନଦୀ ଘାଟରୁ ଜଳ ଆଣି ପ୍ରହରୀ ମଣ୍ଡପରେ ସ୍ଥାପନା କରିଥିଲେ । ବୁଧବାର ସକାଳ ୬.୫୮ ସମୟରେ ନାମ ଆରମ୍ଭ ହୋଇଥିଲା । ପୂଜକ ଭାବରେ ପଣ୍ଡିତ ଅର୍ଜୁନ ମିଶ୍ର ଓ ଜପକ ଭାବରେ ନୀଳମାଧବ ପାଢ଼ୀ ପୂଜନ କାର୍ଯ୍ୟ ପରିଚାଳନା କରିଥିଲେ । ଚଳିତ ବର୍ଷ ଉପରୋକ୍ତ ଦୁଇ ଗ୍ରାମର ଯୁବ ଗୋଷ୍ଠି ଓ ଅନୁଭବୀ ଶ୍ରଦ୍ଧାଳୁ ଭକ୍ତ ୧୬ ପ୍ରହର ନାମଯଜ୍ଞ ପରିଚାଳନା ନିମନ୍ତେ ଆଗେଇ ଆସି ବିଭିନ୍ନ ପଦ ପଦବୀରେ ରହି ଯଜ୍ଞ ପରିଚାଳନା ନିମନ୍ତେ ଦାଇତ୍ୱ ତୁଲାଇଥିଲେ । ବିଶେଷ କରି ଗ୍ରାମର ନାମଯଜ୍ଞ ପରିଚାଳନାରେ ଗ୍ରାମର ବହୁ ଅନୁଭବୀ ବ୍ୟକ୍ତି ଉପଦେଷ୍ଟା ଭାବରେ ରହି ମାର୍ଗଦର୍ଶନ ଦେଇଥିଲେ। ମାଣ୍ଡେଲର ସଂକୀର୍ତ୍ତନ ମଣ୍ଡଳୀ ବ୍ୟତୀତ ଜିଲ୍ଲା ତଥା ଜିଲ୍ଲା ବାହାରୁ ୮ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ଦୁଇଗୋଟି ମହିଳା ସଂକୀର୍ତ୍ତନ ମଣ୍ଡଳୀ ରହିଥିଲା । ବୁଧବାର ଓ ଗୁରୁବାର ଦୁଇଦିନ ଧରି ଅଖଣ୍ଡ ନାମ ଓ ଅନ୍ନ ଯଜ୍ଞ ଚାଲିବା ପରେ ଆଜି ସକାଳ ୬.୫୮ ସମୟରେ ପୂର୍ଣ୍ଣାହୁତି ପଡିଛି । ବହୁତ ଶୃଙ୍ଖଳାର ସହିତ ମାଣ୍ଡେଲ ନାମଯଜ୍ଞ ସଂପନ୍ନ ହୋଇଥିବାରୁ ଯଜ୍ଞ ପରିଚାଳନା କମିଟି ତରଫରୁ ମାଣ୍ଡେଲ ଅଂଚଳ ବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.