ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ମାଡ଼ ଆଭିଯୋଗ

କଳାବ୍ୟାଚ ପିନ୍ଧି ଧାରଣା ଦେଲେ କାର୍ଯ୍ୟରତ ସାମ୍ବାଦିକ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା [ମହେନ୍ଦ୍ର ବାଗ (ରାହୁଲ)]: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନାକୁ ଖବର ସଂଗ୍ରହ କରିବା ପାଇଁ ରାତିରେ ଯାଇଥିବା ସାମ୍ବାଦିକ ରବି ଠେଲାଙ୍କୁ ଥାନା ଆଗରେ କିଛି ଯୁବକ ଆକ୍ରମଣ କରି ନିସ୍ତୁକ ମାଡ଼ ମାରିଥିଲେ। ଏହାକୁ ନେଇ ନୂଆପଡ଼ା ଜିଲ୍ଲାର ସାମ୍ବାଦିକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତୁରନ୍ତ ଆକ୍ରମଣକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାମ୍ବାଦିକମାନେ ଦାବି କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ ଜଣେ ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଥିଲା। ହତ୍ୟା ସନ୍ଦେହରେ ପୁଲିସ ସଂପୃକ୍ତ ମହିଳାଙ୍କ ସ୍ବାମୀଙ୍କୁ ଥାନାରେ ଅଟକ ରଖିଥିଲା। ଏହି ଘଟଣାର ଖବର ସଂଗ୍ରହ କରିବାକୁ ସାମ୍ବାଦିକ ଶ୍ରୀ ଠେଲା ଯାଇଥିଲେ। ତେବେ ଥାନା ସାମନାରେ ଆକ୍ରମଣ ହୋଇଥିଲେ ମଧ୍ୟ ପୁଲିସ ଚୁପ ରହିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣାର ପ୍ରତିବାଦରେ ନୂଆପଡ଼ା ଜିଲ୍ଲାର ସାମ୍ବାଦିକମାନେ କଳାବ୍ୟାଚ୍ ପିନ୍ଧି ଖଡ଼ିଆଳ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଯେପର୍ଯ୍ୟନ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସେଠାରେ ନ ପହଞ୍ଚିବେ ଏବଂ ଆକ୍ରମଣକାରୀଙ୍କୁ ଗିରଫ ନ କରାଯିବ ସେଯାଏ ଏହି ଧାରଣା ଜାରି ରହିବ ବୋଲି ଜଣାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.