ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ଼ ରେଳ ଷ୍ଟେସନରେ ଗତ ୧୫/୫ ରୁ ପୁରୀ-ଅହମଦାବାଦ, ହାବଡା- ଜଗଦଲପୁର ସମଲେଶ୍ବରୀ ଓ କୋରବା- ବିଶାଖାପାଟଣା ଏହି ତିନିଗୋଟି ଏକ୍ସପ୍ରେସ ଟ୍ରେନର ପୁନଃ ରହଣୀ ହୋଇଥିବାରୁ ଆଜି ସୋମବାର ନର୍ଲା ରେଳଯାତ୍ରୀ ସୁରକ୍ଷା ସମିତି ତରଫରୁ ସମିତିର ସଭାପତି ତଥା କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ ନାଏକଙ୍କ ନେତୃତ୍ୱରେ ସମିତିର ବରିଷ୍ଠ କର୍ମକର୍ତ୍ତା ରାମଚନ୍ଦ୍ର ପରିଡା, ଥବିରାମ ବୁଦ୍ଧିଆ, ନୀଳକଣ୍ଠ ବେହେରା, ନିରଞ୍ଜନ ଗଉଡ଼, ଅଶ୍ୱିନ, ସରୋଜ ବୁଦ୍ଧିଆ ପ୍ରମୁଖ ନର୍ଲାରୋଡ଼ ରେଳ ଷ୍ଟେସନକୁ ଯାଇ ଷ୍ଟେସନ ମାଷ୍ଟର ଏବଂ ରେଳବାଇ କର୍ମଚାରୀଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ । ଏହାପରେ ପୁନଃ ରହଣୀ କରିଥିବା ହାବଡା- ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସ ଟ୍ରେନ ଆସିବାରୁ ଇଞ୍ଜିନ ଡ୍ରାଇଭର ଓ ଗାର୍ଡ ତଥା ଯାତ୍ରୀ ମାନଙ୍କୁ ମିଠା ବାଣ୍ଟିଥିବା ଦେଖିବାକୁ ମିଳିଥିଲା ।
(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)
ଏଠାରେ ପ୍ରକାଶ ଯୋଗ୍ୟ ଯେ, ନର୍ଲାରୋଡ଼ ଓ ରୁପ୍ରାରୋଡ ରେଳ ଷ୍ଟେସନରେ କରୋନା ପୂର୍ବରୁ ରହୁଥିବା ଏକ୍ସପ୍ରେସ ଟ୍ରେନ ଗୁଡିକର ଷ୍ଟପେଜ ନେଇ କରୋନା ଦ୍ୱିତୀୟ ଲହରର ଲକଡାଉନ ଖୋଲିବା ପରେ ପରେ ଏଥିପାଇଁ ଅନେକ ଦାବୀ ହେଉଥିଲା । କେନ୍ଦ୍ର ସରକାର, ନେତା, ମନ୍ତ୍ରୀ ମଧ୍ୟ ଟ୍ରେନ ଷ୍ଟପେଜ ନେଇ କୌଣସୀ ପଦକ୍ଷେପ ନନେବା ଯୋଗୁଁ ଅଞ୍ଚଳବାସୀ ଅତିଷ୍ଠ ହୋଇ ରେଳରୋକ ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଲେ । ନିଷ୍ପତି ନିଆଗଲା ରୁପ୍ରାରୋଡ ଷ୍ଟେସନରେ ଅପ୍ରେଲ ୧୦ ଓ ନର୍ଲାରୋଡ ଷ୍ଟେସନରେ ଅପ୍ରେଲ ୧୧ ରେ ରେଳରୋକ ଆନ୍ଦୋଳନ କରାଯିବ । ରେଳବାଇ ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କ ଅନେକ ବୁଝାସୁଝା ପରେ ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସମିତି ଆନ୍ଦୋଳନରୁ ଓହରିବେ ଓ ମାସଟେ ସମୟ ଦେବେ ବୋଲି ମାନିଗଲେ । ହେଲେ ରୁପ୍ରାରୋଡ ରେଳ ଷ୍ଟେସନରେ ପୂର୍ବ ନିଷ୍ପତି ଅନୁଯାୟୀ ଅପ୍ରେଲ ୧୦ରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ରେଳରୋକ ଆନ୍ଦୋଳନ ହେଲା । ରେଳ ବିଭାଗ କତ୍ତୃପକ୍ଷ ଆନ୍ଦୋଳନ ସମୟରେ ଜବାବ୍ ମଧ୍ୟ ଦେଲେ ମାସକ ମଧ୍ୟରେ ଏହି ଦୁଇ ଷ୍ଟେସନରେ ଟ୍ରେନ ଷ୍ଟପଜ କରାଇବେ ବୋଲି । ଜବାବ୍ ରଖିଲେ ରେଳବାଇ ବିଭାଗ । ମାସକ ମଧ୍ୟରେ ଅଞ୍ଚଳବାସୀଙ୍କ ଦାବୀ ରହିଥିବା ଉପରୋକ୍ତ ଏକ୍ସପ୍ରେସ୍ ଟ୍ରେନ ଗୁଡିକ ରହିବ ବୋଲି ଚିଠି ଆସିଲା । ଏଥିପାଇଁ କରୋନା ସଂକ୍ରମଣ ହେବା ପୂର୍ବରୁ ବିଶାଖାପାଟନମ- ନିଜାମୁଦଦିନ ସମତା ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ, ଏଲେପି- ଧାନବାଦ, କୋରବା – ବିଶାଖାପାଟନମ ଲିଙ୍କ୍ ଏକ୍ସପ୍ରେସ ଟ୍ରେନ, ପୁରୀ- ଅହମଦାବାଦ ପ୍ରଭୃତି ଏକ୍ସପ୍ରେସ ଟ୍ରେନ ଗୁଡିକ ନର୍ଲାରୋଡ ଓ ରୁପ୍ରାରୋଡ ଷ୍ଟେସନରେ ରହଣୀ ରହିଥିଲା । ନର୍ଲା, ମ.ରାମପୁର ଓ ଲାଞ୍ଜିଗଡ ବ୍ଲକର ୧୮ ରୁ ଉର୍ଦ୍ଧ୍ବ ଗାଁର ଲୋକେ ବିଭିନ୍ନ ସ୍ଥାନକୁ ଯାତ୍ରା ନିମନ୍ତେ ନର୍ଲାରୋଡ ଓ ରୁପ୍ରାରୋଡ ରେଳ ଷ୍ଟେସନ ଉପରେ ନିର୍ଭର କରିଥାନ୍ତି । ବିଶେଷ କରି ସମତା ଏକ୍ସପ୍ରେସରେ ରାଜଧାନୀ ଦିଲ୍ଲୀ ଯିବାର ସୁବିଧା ରହିଥିବା ବେଳେ ସମତା ଓ କୋରବା ଏକ୍ସପ୍ରେସରେ ଏଠାକାର ଲୋକେ ବିଭିନ୍ନ ରୋଗରେ ପିଡିତ ମାନଙ୍କୁ ନେଇ ଚିକିତ୍ସା ନିମନ୍ତେ ବିଶାଖାପାଟନମ ଯାଇଥାନ୍ତି । କରୋନା ଲକଡାଉନ ଯୋଗୁଁ ଗତ ଅପ୍ରେଲ ୨୦୨୦ରୁ ଟ୍ରେନ ଚଳାଚଳ ବନ୍ଦ ହୋଇ ଯାଇଥିଲା । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ ଖୋଲିବା ପରେ ଗତ ଅଗଷ୍ଟ ୨୦୨୧ରୁ ସ୍ୱତନ୍ତ୍ର ଟ୍ରେନ ଭାବରେ ସମତା, କୋରବା, ଏଲେପି-ଧାନବାଦ ପ୍ରଭୃତି ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଆଗରୁ ଷ୍ଟପେଜ ରହିଥିବା ଷ୍ଟେସନ ଗୁଡିକ ନର୍ଲାରୋଡ, ରୁପ୍ରାରୋଡରେ ଆଉ ଉପରୋକ୍ତ ଟ୍ରେନ ଗୁଡିକର ଷ୍ଟପେଜ ଦିଆଯାଇ ନଥିଲା । କଳାହାଣ୍ଡି ଜିଲ୍ଲାର କେବଳ କେସିଙ୍ଗା ଗୋଟିଏ ଷ୍ଟେସନରେ ହିଁ ଷ୍ଟପେଜ ରହିଥିଲା । ଯାହା ଫଳରେ ନର୍ଲା ଅଞ୍ଚଳର ଲୋକେ ଦିଲ୍ଲୀ, ବିଶାଖାପାଟନମ ଯିବା ନିମନ୍ତେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଥିଲା । ଦାବୀ ହୋଇ ଆସୁଥିବା ଟ୍ରେନ ଗୁଡିକର ପୁନଃ ରହଣୀ କରାଯାଇଥିବାରୁ ରେଳ କତ୍ତୃପକ୍ଷ ଓ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି ରୁପାରୋଡ ଓ ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସମିତି ।