ଦହଲ ପିଏମଜିଏସୱାଇ ରାସ୍ତା ନିର୍ମାଣ ପ୍ରସଙ୍ଗ : କାମ ନସରୁଣୁ ଉଠିଲାଣି ପିଚୁ, ୩ବର୍ଷ ହେଲା ସରି ପାରୁନି ବ୍ରୀଜ କାମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଚିପୁଲ ନାଲା କଡ ପିଡବ୍ଲୁଡି ରାସ୍ତାରୁ ଦହଲ ଓ ଦୋରାପଦର ଦେଇ ମାଣ୍ଡେଲ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଜୋଜନାରେ ହୋଇଛି ରାସ୍ତାକାମ । ଏହି ରାସ୍ତାଟିର ଦୈର୍ଘ୍ୟ ୪ କିମି ୬ ଶହ ମିଟର ହୋଇଥିବା ବେଳେ ୯୫୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେଉଛି ରାସ୍ତାଟି । ଭବାନୀପାଟଣାର ଜନୈକ ଠିକାଦାର ରାସ୍ତା ନିର୍ମାଣ କରୁଛନ୍ତି । ରାସ୍ତା ଆରମ୍ଭରୁ ଏହି ରାସ୍ତାଟିର ଦାଇତ୍ୱରେ ରହିଥିବା କନିଷ୍ଠ ଯନ୍ତ୍ରୀ କିମ୍ବା ଏସଡିଓଙ୍କର ଦେଖା ନାହିଁ । ଠିକାଦାର ନିଜ ମର୍ଜିରେ ନିଜ ଇଚ୍ଛା ମୁତାବକ ରାସ୍ତା ନିର୍ମାଣ କରିଚାଲିଲେ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଦହଲ ଓ ଦୋରାପଦର ଦେଇ ରାସ୍ତାଟି ମାଣ୍ଡେଲ ନିକଟରେ ରୁପ୍ରାରୋଡ ପିଡବ୍ଲୁଡି ରାସ୍ତାକୁ ସଂଯୋଗ କରୁଛି । ହେଲେ ପାଖାପାଖି ଏକ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେଉଥିବା ରାସ୍ତା ବିଭାଗୀୟ (ଆରଡି) କନିଷ୍ଠ ଯନ୍ତ୍ରୀ କିମ୍ବା ଏସଡିଓ କାମ ସମୟରେ ନରହିବାରୁ ଅତି ନିମ୍ନ ମାନର ରାସ୍ତାକାମ ହୋଇଛି ବୋଲି ଅଭିଯୋଗ ହୋଇଛି ।

ରାସ୍ତା ଲୋକାର୍ପିତ ନହେଉଣୁ ସ୍ଥାନେ ସ୍ଥାନେ ପିଚୁ ଉଠି ଯାଉଥିବାରୁ କାମ ଅତି ନିମ୍ନ ମାନର ହୋଇଥିବା ଅଭିଯୋଗ କରୁଛନ୍ତି ଦହଲ ଓ ଦୋରାପଦର ଗ୍ରାମବାସୀ । ଅଗଷ୍ଟ ୨୦୧୯ ରେ ରାସ୍ତା କାମ ଆରମ୍ଭ ହୋଇଥିବା ବେଳେ ଗତବର୍ଷ ରାସ୍ତା ପିଚୁକାମ ସରିଛି । ମଝି ମଝି ଦୁଇ ଦିନିଗୋଟି ସ୍ଥାନରେ ପିଚୁକାମ କରାଯାଇ ନଥିବାରୁ ଲୋକେ କାଦୁଅ ପାଣିରେ ଚାଲୁଥିବା ଦୃଶ୍ୟମାନ ହେଉଛି । ଗତବର୍ଷ ବର୍ଷା ଋତୁରେ ଗୋଟିଏ ଦୁଇଟି ବର୍ଷା ମାଡରେ ରାସ୍ତାର ସ୍ଥାନେ ସ୍ଥାନେ ପିଚୁ ସବୁ ଉଠି ରାସ୍ତାରେ ଗର୍ତ୍ତ ସୃଷ୍ଟି ହେବା ଆରମ୍ଭ କଲାଣି । ଅନ୍ୟପକ୍ଷେ ସାନ୍ଦୁଲ ନଦୀ ଉପରେ ଏହି ରାସ୍ତାର ସେତୁ ନିର୍ମାଣ କାମ ଚାଲିଛି । ବ୍ରୀଜ ନିର୍ମାଣ ପାଇଁ ଠିକାଦାରଙ୍କ ପାଖରେ ମେସିନ ନଥିବାରୁ ବ୍ରୀଜ କାମ କଚ୍ଛପ ଗତିରେ ଚାଲିଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି । ଦୀର୍ଘ ତିନି ବର୍ଷ ହୋଇଯାଇଥିଲେ ମଧ୍ୟ ଅଦ୍ୟାବଧି ସରିପାରି ନାହିଁ ବ୍ରୀଜ କାମ ।

ଏହି ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ରାସ୍ତା କାମରେ କାହିଁକି ଆପଣଙ୍କ ବିଭାଗ ଯନ୍ତ୍ରୀ କିମ୍ବା ଅନ୍ୟ ଅଧିକାରୀ ଉପସ୍ଥିତ ରହୁ ନାହାନ୍ତି ଫଳରେ ରାସ୍ତାକାମ ଅତି ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି । ଏବଂ ଏବଠୁଁ ପିଚୁ ଓ ମେଟାଲ ଉଠିବା ଆରମ୍ଭ ହେଲାଣି ବୋଲି ବିଭାଗୀୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ଆମର କନିଷ୍ଠ ଯନ୍ତ୍ରୀ ସବୁବେଳେ ଉପସ୍ଥିତ ରହୁଛନ୍ତି । ଆଉ ଯୋଉଠି ପିଚୁ କିମ୍ବା ମେଟାଲ ଗୁଡିକ ଉଠି ଯାଇଛି ସେସବୁକୁ ଆମେ ପୁଣି ସଜାଡି ଦେବୁ । ବ୍ରୀଜ କାମରେ ମଧ୍ୟ ଦାଇତ୍ୱରେ ରହିଥିବା ଆମର କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହୁଛନ୍ତି ବୋଲି କହୁଛନ୍ତି ବିଭାଗୀୟ ନିର୍ବାହୀ ଅଧିକାରୀ । ଠିକାଦାର ବିଭାଗୀୟ ଅଧିକାରୀଙ୍କୁ ଅଣଦେଖା କରି ନିଜ ମର୍ଜିରେ କାମ କରି ଚାଲିଛି । ଯାହା ଫଳରେ ବ୍ରୀଜର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ବୁଦ୍ଧିଜୀବୀ ମାନେ । ଦହଲ ଗାଁ ମଝୀରେ ୩୦୦ ମିଟର ରାସ୍ତା ଅଦ୍ୟାବଧି ବାକି ରହିଯାଇଥିବା ବେଳେ ପୁଣି ବର୍ଷା ଦିନ ଆସିଗଲାଣି । ତଥାପି ସରି ପାରୁନି ବ୍ରୀଜ କାମ । ପିସି ଲାଳସାରେ ବିଭାଗୀୟ ଅଧିକାରୀମାନେ କାମ ସମୟରେ ଉପସ୍ଥିତ ନରହି ଠିକାଦାରଙ୍କୁ ନିମ୍ନ ମାନର କାମ କରିବା ପାଇଁ ଉତ୍ସାହିତ କରୁଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ନିମ୍ନ ମାନର କାମ ଫଳରେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେଉଥିବା ରାସ୍ତା ଅଳ୍ପାୟୁ ହୋଇଯିବ । ଦୀର୍ଘ ଦିନର ଦାବୀ ଓ ଭୋଟ ବର୍ଜନ ନିଷ୍ପତି ପରେ ରାସ୍ତା କାମ ହୋଇଛି । ରାସ୍ତା ଖରାପ ହେଲେ କାହାର କିଛି ଅସୁବିଧା ହେବନି କେବଳ ସ୍ଥାନୀୟ ଲୋକେ ଅସୁବିଧା ଭୋଗିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଜିଲ୍ଲାପାଳ ମହୋଦୟ ଏଥିପ୍ରତି ଗୁରୁତ୍ୱ ଦେଇ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.