ପୁଣି ସ୍କୁଲ ଯିବ କୁନି ଝିଅ ରଶ୍ମିତା 

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସମାଜସେବୀଙ୍କ ସହଯୋଗ ଫଳରେ ପୁଣି ଥରେ ବିଦ୍ୟାଳୟ ଯାଇ ପାଠ ପଢିବ କୁନି ଝିଅ ରଶ୍ମିତା ମାଝୀ । ଏଥିପାଇଁ ସେ ବେଶ୍ ଖୁସି ଥିବାବେଳେ ସମାଜସେବୀ ଯଶୋବନ୍ତ ରଣାଙ୍କ ଏହି ମହତ କାର୍ଯ୍ୟଧାରା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ପ୍ରାପ୍ତ ସୂଚନା ଆଧାରରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଳକ ଚାନ୍ଦୋପଳା ଗାଁର ଚତୁର୍ଭୁଜ ମାଝୀ ଓ ଚିତ୍ରରେଖା ମାଝୀଙ୍କ ଝିଅ ରଶ୍ମିତା ମାଝୀ । ରଶ୍ମିତା ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ନିଜ ଗାଁ ବିଦ୍ୟାଳୟରେ ପାଠ ପଢି ଆସୁଥିଲେ । ଗାଁରେ ପଞ୍ଚମ ଶ୍ରେଣୀ ପ୍ରଯ୍ୟନ୍ତ ଥିବାରୁ ସେ ପଞ୍ଚମ ସରିଲା ପରେ ଅନ୍ୟ ସ୍କୁଲରେ ନାମ ଲେଖାଇବାପାଇଁ ବିଦ୍ୟାଳୟ ପରିତ୍ୟାଗ ପତ୍ର ଗତ ବର୍ଷ ନେଇଥିଲେ । ତେବେ ପାରିବାରିକ ଅସୁବିଧା ହେତୁ ସେ ଆଉ ଆଗକୁ ପାଠ ପଢ଼ିପାରିଲେ ନାହିଁ । ସେ ଗୋଟିଏ ବର୍ଷ ପାଇଁ ଡ୍ରପ ଆଉଟ ହେଇଗଲେ । ହେଲେ ଆଗକୁ ପଢ଼ିବାରେ ହର ମାନି ନଥିଲେ । ସେ ପଢ଼ିବାର ଆଗ୍ରହ ଦେଖେଇ ଜୁନାଗଡ଼ ସ୍ଥିତ ଏସ.ଏସ.ଡି. ଆଶ୍ରମ ସ୍କୁଲ ରେ ଏକ ଲିଖିତ ପରୀକ୍ଷା ଦେଇ ନାମ ଲେଖାଇବାପାଇଁ ମନୋନୀତ ହୋଇଥିଲେ । ହେଲେ ସାମାନ୍ୟ ତୃଟି ପାଇଁ ଆଡ଼ମିସନ ହେଇ ପାରୁନଥିଲା । ତାଙ୍କର ଟ୍ରାନ୍ସଫର ସେର୍ଟିଫିକେଟ ନଥିବାରୁ ଆଡ଼ମିସନ ହେଇପାରିଲା ନାହିଁ । ଏହି ସମସ୍ୟା ବିଷୟରେ କିଛିଦିନ ତଳେ ସମାଜସେବୀ ଯଶୋବନ୍ତ ରଣା ଜାଣିବାପରେ ସେ ପୂର୍ଣ୍ଣ ସହଯୋଗ କରିବାପାଇଁ ନିଷ୍ପତି ନେଇଥିଲେ । ସେ ରଶ୍ମିତାଙ୍କ ସମସ୍ତ ଡକ୍ୟୁମେଣ୍ଟ ଧରି ଭବାନୀପାଟଣା ଏବିଇଓଙ୍କ ପାଖକୁ ଯାଇ ସମସ୍ୟା ବିଷୟରେ ଜଣେଇଥିଲେ । ଏବିଇଓଙ୍କ ପରାମର୍ଶ କ୍ରମେ ଗତକାଲି ଜୁନାଗଡ଼ ଡବ୍ଲୁଇଓଙ୍କୁ ଭେଟି ଆଡ଼ମିସନ କରିଦେବାପାଇଁ ଅନୁରୋଧ କରିଥିଲେ । ଝିଅ ଗୋଟିଏ ବର୍ଷ ଡ୍ରପ ଆଉଟ ଥିବା ଜାଣି ତୁରନ୍ତ ଆଡ଼ମିସନ କରିବାପାଇଁ ଅନୁମତି ଦେଇଥିଲେ । ପରେ ସମାଜସେବୀଙ୍କ ଉପସ୍ଥିତିରେ ରଶ୍ମିତାଙ୍କୁ କୁରୁଗୁଡା ଆଶ୍ରମ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ଆଡ଼ମିସନ କରିଦିଆଗଲା । ଆଶ୍ରମ ବିଦ୍ୟାଳୟରେ ନାମଲେଖା ହେବାପରେ ଏହି କୁନି ଝିଅ ବହୁତ ଖୁସିଥିବା କହିଛନ୍ତି । ଏହି ଆଡ଼ମିସନ ସମୟରେ ସମାଜସେବୀ ଯଶୋବନ୍ତ ରଣା, ରାଜେଶ ଗୌଡ଼, ମମତା ପ୍ରଧାନ, ବୁଲୁ ପ୍ରଧାନ, ଧୀରେନ୍ଦ୍ର ସୁନାନୀ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.