ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପ ସହାୟକ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଜଳ ଛାୟା ବିଭାଗର ପ୍ରକଳ୍ପ ସହାୟକ ନଗେନ୍ଦ୍ରନାଥ ସ୍ବାଇଁ । ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡି ବସିଛି ଭିଜିଲାନ୍ସ । ୪ଟି ପୋଖରୀ ଖୋଳା କାମ ବାବଦରେ ବିଲ କରିବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେଲା ବେଳେ କୁର୍ତ୍ତମଗଡ଼ ଠାରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଛନ୍ତି । ତାଙ୍କ ନିକଟରୁ ରଙ୍ଗବୋଳା ଟଙ୍କା ଜବତ କରାଯାଇଛି ।


ଏଥିସହ ନଗେନ୍ଦ୍ରନାଥଙ୍କ କାର୍ଯ୍ୟାଳୟ ଏବଂ ବାସଭବନରେ ଚଢ଼ାଉ ଜାରି ରହିଛି । ସୂଚନା ଅନୁସାରେ, ଜଳଛାୟା ବିଭାଗ ପକ୍ଷରୁ ତୁମୁଡିବନ୍ଧ ବ୍ଲକ କୁର୍ତମଗଡ଼ ପଞ୍ଚାୟତ ଡୁ଼ପୀ, ଇଡିପଦର ଗାଁରେ ୪ଟି ପୋଖରୀ ଖନନ କାର୍ଯ୍ୟ ହୋଇଥିଲା । ଏହାର ବିଲ କରିବା ପାଇଁ ପ୍ରକଳ୍ପ ସହାୟକ ନଗେନ୍ଦ୍ରନାଥ ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ହିତାଧିକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ହିତାଧିକାରୀ ଜଣକ କୁର୍ତମଗଡ଼ରେ ତାଙ୍କୁ ଟଙ୍କା ଦେବା ବେଳେ ଭିଜିଲାନ୍ସ କର୍ମଚାରୀ ତାଙ୍କୁ ମାଡି ବସିଥିଲେ । ଏ ନେଇ ଭିଜିଲାନ୍ସ କେଶ ନଂ.୦୬/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.