ମାନ୍ୟବର ମୁଖ୍ୟମନ୍ତ୍ରୀ ମୋ ଉପରେ ରଖିଥିବା ବିଶ୍ୱାସ ଓ ଭରଷାକୁ ଅତୁଟ ରଖିବି -ପୁଷ୍ପେନ୍ଦ୍ର ସିଂଦେଓ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ୨୦୧୭ ତ୍ରୀ-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡିକୁ ମାତ ଦେଇ ବିଜେପି କଳାହାଣ୍ଡିର ୩୬ ଗୋଟି ଆସନ ମଧ୍ୟରୁ ୩୩ ଗୋଟି ଜିଲ୍ଲା ପରିଷଦ ଆସନ ଅକ୍ତିଆର କରି ଜିଲ୍ଲା ପରିଷଦ ଗଠନ କରିଥିଲା କଳାହାଣ୍ଡି ଜିଲ୍ଲାରେ । କଳାହାଣ୍ଡିର ୩୬ ଗୋଟି ଆସନ ମଧ୍ୟରୁ ବିଜେପି ୩୩ ଗୋଟି ଆସନ ନେଇ ଏକ ବଡ ଧରଣର ବିଜୟ ହାସଲ କରିଥିବା ବେଳେ ବାକି ରହିଥିବା ୩ ଗୋଟି ଆସନ ମଧ୍ୟରୁ କଂଗ୍ରେସ ଦୁଇଗୋଟି ଓ ବିଜେଡି ଗୋଟିଏ ଆସନ ନେବାରେ କଷ୍ଟେମଷ୍ଟେ ସକ୍ଷମ ହେଲା । ମଦନପୁର ରାମପୁର ବ୍ଲକର ମୋହନଗିରି ଜୋନରେ ବିଜେଡି ପ୍ରାର୍ଥୀ ଭାବରେ ବିଜୟୀ ହୋଇଥିବା ଜିଲ୍ଲା ପରିଷଦ ରହିଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ବାବୁଙ୍କ ଅତିପ୍ରୀୟ ଦିବଙ୍ଗତ ନେତା, କଳାହାଣ୍ଡିର ଭୂମିପୁତ୍ର ସ୍ୱର୍ଗତ କିରଣ ଚନ୍ଦ୍ର ସିଂଦେଓଙ୍କ ସୁପୁତ୍ର ପୁଷ୍ପେନ୍ଦ୍ର ସିଂଦେଓ । ଗତ ୨୦୧୭ ପଞ୍ଚାୟତରାଜ ନିର୍ବାଚନରେ ବିଜେଡି କଳାହାଣ୍ଡିରେ ଅତି ଲଜ୍ୟା ଜନକ ପରାଜୟ ବରଣ କରିଥିଲା । ହେଲେ କଳାହାଣ୍ଡିରେ ନିର୍ମୁଳ ହେବାରୁ ବିଜେଡିକୁ ଉଦ୍ଧାର କରିଥିବା ପୁଷ୍ପେନ୍ଦ୍ର (ପୁଷୁବାବୁ) ଜିଲ୍ଲାରେ ବିଜେଡିର ମାନ ଇଜ୍ଜତକୁ ବଞ୍ଚାଇ ଥିଲେ ।

୨୦୨୨ ପଞ୍ଚାୟତ ନିର୍ବାଚନରେ ଗତ ଥର ଶିକ୍ଷା ପାଇଥିବା ବିଜେଡି ଜିଲ୍ଲାରେ ଏକ ତରଫା ଭାବରେ ବିଜୟ ଲାଭ କଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବରେ ସର୍ବସମ୍ମତି କ୍ରମେ ପୁଷ୍ପେନ୍ଦ୍ର ସିଂଦେଓ ନିର୍ବାଚିତ ହେଲେ । ଏହାପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ଶ୍ରୀ ସିଂଦେଓ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଟିମ ସହ ଜନସମ୍ପର୍କ ଯାତ୍ରାର ଧାରାକୁ ବଜାଇ ରଖିଛନ୍ତି । ଜିଲ୍ଲା ଅଧିକାରୀ ମାନଙ୍କ ସହ ଜିଲ୍ଲାର ଉନ୍ନୟନ କାର୍ଯ ଓ ବିକାଶ ବିଷୟରେ ଆଲୋଚନା କରିବା ସହ ନିଜ ସହକର୍ମୀଙ୍କୁ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ସେ ସବୁର ସମାଧାନ କରୁଛନ୍ତି । ସେମାନଙ୍କ ସୁଖ ଦୁଃଖରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଓ ବିକାଶ ମୁଖୀ ଯୋଜନା ଗୁଡିକ ବିଷୟରେ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳୁଛି ।

ଗତ ମାର୍ଚ୍ଚ ୩୦ ତାରିଖରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବରେ ଦାଇତ୍ୱ ଗ୍ରହଣ କରିବା ପରେ ପ୍ରଥମ କାର୍ଯ୍ୟକ୍ରମ ଭାବରେ ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହାପରେ ଅପ୍ରେଲ ୩ ମୋହନଗିରି ସ୍ମାର୍ଟ ସ୍କୁଲ ପରିଦର୍ଶନ । ଅପ୍ରେଲ ୩ ନର୍ଲାରେ ଅନୁଷ୍ଠିତ ରାତ୍ରିକାଳୀନ ଫୁଟବଲ ଟୁର୍ଣ୍ଣାମେଣ୍ଟରେ କ୍ରୀଡାବିତ୍ତ ମାନଙ୍କୁ ଉତ୍ସାହିତ କରି ପୁରସ୍କାର ବିତରଣ କରିଥିଲେ ।

ଅପ୍ରେଲ ୬ ରେ ଗୋଲାମୁଣ୍ଡା ବ୍ଲକର ବୃନ୍ଦାବାହଲ ତଥା ଆଖପାଖ ଅଞ୍ଚଳ ଗସ୍ତକରି ଲୋକଙ୍କ ସମସ୍ୟା ବିଷୟରେ ପଚାରି ବୁଝିଲେ । ଅପ୍ରେଲ ୯ ରେ ୫ଟି ସଚୀବ ଭି.କେ ପାଣ୍ଡିଆନଙ୍କୁ ସାକ୍ଷାତ କରି କଳାହାଣ୍ଡି ଜିଲ୍ଲାରେ ରହିଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କଲେ । ଅପ୍ରେଲ ୧୧ ଡୋକରିଚଞ୍ଚରା ଗସ୍ତ ଓ ବିଭିନ୍ନ କାର୍ଯ୍ୟର ସମୀକ୍ଷା । ଅପ୍ରେଲ ୧୨ ବେହେରା ସ୍ମାର୍ଟସ୍କୁଲ ପରିଦର୍ଶନ ।

ଅପ୍ରେଲ ୧୫ ନର୍ଲା ବ୍ଲକ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଐତିହାସିକ କିମ୍ବଦନ୍ତୀ ସ୍ଥଳ ଅସୁରଗଡ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା । ଅପ୍ରେଲ ୧୬ କର୍ଲାମୁଣ୍ଡା ବ୍ଲକର ପୌରକେଲା ଗସ୍ତ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା । ଏଭଳି ଅପ୍ରେଲ ଓ ମଇ ମାସ ସାରା କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା କଥା ବୁଝିବା ସହିତ ବିଭିନ୍ନକାର୍ଯ୍ୟର ସମୀକ୍ଷା କରିଛନ୍ତି । ତାଙ୍କର ଏଭଳି ଜନସମ୍ପର୍କ ଯାତ୍ରା ଓ ଜିଲ୍ଲାର ବିକାଶକୁ ପ୍ରାଧାନ୍ୟ ଦେଉଥିବା ଓ ଜିଲ୍ଲାବାସୀଙ୍କ ପାଇଁ ଦିନରାତି କାମ କରୁଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂଦେଓଙ୍କ କାର୍ଯ୍ୟଧାରାକୁ ଦେଖି ଗତ ୧୪ ଅପ୍ରେଲ ମହାବିଷୁବ ସଂକ୍ରାନ୍ତୀ ଓ ହନୁମାନ ଜୟନ୍ତୀ ଅବସରରେ ଓଡିଶାର ଅଗ୍ରଣୀ ଅନୁଷ୍ଠାନ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣା ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଜିଲ୍ଲାର ବିକାଶ କାର୍ଯ୍ୟକ୍ରମ ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ସାମାଜିକ ଓ ଆନୁଷ୍ଠାନିକ କାର୍ଯ୍ୟକ୍ରମ ଗୁଡିକରେ ଅତିଥି ଭାବରେ ଯୋଗଦାନ କରି ଲୋକମାନଙ୍କ ପାଖକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଇବା ଓ ଯୁବପୀଢୀଙ୍କୁ ଦଳୀୟ ସଂଗଠନ ପ୍ରତି ଆକର୍ଷିତ କରିବାରେ ଜଣେ ସଫଳ ବ୍ୟକ୍ତିତ୍ୱ ଭାବରେ ନିଜକୁ ପ୍ରମାଣିତ କରିପାରିଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂଦେଓ କୁହନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋ ଉପରେ ଭରଷା କରି ମୋତେ କଳାହାଣ୍ଡିର ବିକାଶ ଦାଇତ୍ୱ ଦେଇଛନ୍ତି । ଏଣୁ ଯେତେ ବାଧା ବିଘ୍ନ ଆସିଲେ, ଯେତେ କଷ୍ଟ ହେଲେ ମଧ୍ୟ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ଓ ଭରଷାକୁ ଅତୁଟ ରଖିବି । କଳାହାଣ୍ଡିର ବିକାଶ ହିଁ ମୋର ଏକମାତ୍ର ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.