କବିତା: କଳାହାଣ୍ଡି

✍🏾ସୁଧାଂଶୁ ଶେଖର ପାତ୍ର

କାରୁଣ୍ଡ ବନର ଫାଙ୍କେ
ଆଠ ଅଠର ବାଙ୍କର ଦାଢ଼େ
ଭୁମିଖଣ୍ଡ  ଏଇ କାହିଁ କେଉଁ ଆଦିମ କାଳରୁ
ବିଶ୍ବ ଭୂଗୋଳର ତିଳ ଚିହ୍ନଟିଏ :
କେତେବେଳେ ଶାନ୍ତ-କାନ୍ତ
କମନୀୟ ଚିତ୍ରିତ କଳସ
ଆଉ କେତେବେଳେ ପୁଣି
ଭୀମକାନ୍ତ ଭୈରବର ପରମ ସ୍ତାବକ ।

ଇନ୍ଦ୍ରାବତୀ,ହାତୀ ଆଦି ଅସଂଖ୍ୟ ନିର୍ଝର
କଳ କଳ କାବ୍ୟର ଆଧାର ଏ ମାଟି ବୁକୁରେ
ସେ କଥା କାହାର  ସ୍ମରଣରେ ଅଛି?
ପ୍ରତିଟି ପାହାଡ଼ ଗର୍ଭେ ରତ୍ନମୟ କୋଠା
ପ୍ରଯତ୍ନ ଅଭାବୁ ତେଜ୍ୟ  ଭୂତକୋଠି :
ହାୟ ଇଏ କି ଦୁର୍ଦ୍ଦଶା
ବେଳେ ବେଳେ ଏଠିକାର ଅଧିବାସୀ
ଭୋକ ବିକଳରେ କେତେକ ସମ୍ବାଦ ପୃଷ୍ଠାରେ
କାଙ୍ଗାଳ ସାଜନ୍ତି ।

ଘୁମ୍ ଘୁମ୍ ଘୁମୁରାର ନାଦ
ବୀର ବାଦ୍ୟ   ରଣାଙ୍ଗନେ
ଜାତୀୟ ସଂସ୍କୃତିକୁ ଅନବଦ୍ୟ ଦାନ-
ଏ ସମ୍ପର୍କରେ ଆଜି ବି
ଶହୀଦ  ରିଣ୍ଡୋ ମାଝୀଙ୍କର  ଉର୍ଲାଦାନୀ
ଶୁଣାଣି କରୁଛି ।

ଅକ୍ଷୟ ଭଣ୍ଡାର କେବେ କ’ଣ
ଧ୍ୱସ୍ତ  ହୋଇପାରେ?
ସେଇ ପରା କାଳର ଉର୍ଦ୍ଧ୍ବରେ କଳାହାଣ୍ଡି
ତା ସ୍ବରୂପ ବର୍ଣ୍ଣିବାକୁ କିଏ ସାମରଥ !
ସେଇ ମାଟି ସେଇ ମାଆ ଚିର ବନ୍ଦନୀୟା 
କୋଟି କୋଟି ପ୍ରଣତି ତାହାରେ ।

(ସୌଜନ୍ୟ – ଆକାଶ ବାଣୀ ଭବାନୀପାଟଣା)

ପ୍ରଶାନ୍ତି ଭୂମି, ଖସିଗୁଡା, ଚିଲିଗୁଡା, ଜୁନାଗଡ଼
କଳାହାଣ୍ଡି-୭୬୬୦୧୪
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.