ଓଡିଆ ବାର୍ତ୍ତା/ କଳାହାଣ୍ଡି ( ଲିଙ୍ଗରାଜ ମିଶ୍ର): ନର୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି କେବୁଲ ଓ ପାଣି ପାଇପ ଚୋରୀ । ଗତ ଗୁରୁବାର ନର୍ଲା ବ୍ଲକ ଅଧିନସ୍ଥ ନିଶାଣପୁର ଗ୍ରାମ ପଞ୍ଚାୟତର ଘୁପ୍ଟି ପାଣି ଟ୍ୟାଙ୍କି ପାଖରେ କାମ ପାଇଁ ରଖାଯାଇଥିବା ୬୦ ଗୋଟି ପାଣି ପାଇପକୁ ଚୋରୀ କରି ନେଇଯାଇଥିବା ଚହଗାଁରୁ ଉଦ୍ଧାର କରିଛି କର୍ଲାପଡା ପୋଲିସ । ଏଥିରେ ବ୍ୟବହୃତ ଟାଟା ୪୦୭ ଭ୍ୟାନକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୭ ଜଣ ଚୋରକୁ କର୍ଲାପଡା ଫାଣ୍ଡି ଅଧିକାରୀ ଅକ୍ଷୟ ପଟ୍ଟନାୟକ ଗିରଫ କରିବା ସହ ନର୍ଲା ଥାନାକୁ ହସ୍ତାନ୍ତର କରିଥିବା ଜଣାପଡିଛି । ଖବରରୁ ଜଣାପଡିଛି ଯେ, ନର୍ଲା ବ୍ଲକର ଭିଭିନ୍ନ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ରାଜ୍ୟ ସରକାରଙ୍କର ଘର ଘର ଜଲ ଯୋଜନା ଅଧିନରେ ପାନୀୟ ଜଳ ଯୋଗାଣ ପାଇଁ ଓଭରହେଡ ଟ୍ୟାଙ୍କ ସାଙ୍ଗକୁ ଇନଟେକ କୂଅ ଓ ମାଟିତଳେ ପାଇପ ସବୁ ବିଛେଇବା କାମ ଚାଲିଛି । ଏଥିପାଇଁ ପାଣି ଟାଙ୍କି ନିକଟରେ ଶହ ଶହ ସଂଖ୍ୟାରେ ୭ ରୁ ୧୦ ଫୁଟ ଲମ୍ବର ଲୁହା, ଫାଇବର ଓ ପ୍ଲାଷ୍ଟିକ ପାଇପ ସବୁ ଗଚ୍ଛିତ ରଖିଛନ୍ତି ଠିକାଦାର ମାନେ । ଏବେ ଏକ ପାଇପ ଚୋରୀ ରାକେଟ ନର୍ଲା କାହିଁକି ସାରା କଳାହାଣ୍ଡିରେ ସକ୍ରୀୟ ରହିଥିବା ବେଳେ ନର୍ଲାରେ ଗତ ଡିସେମ୍ବର ମାସରୁ ପାଣି ପାଇପ ଚୋରୀ ଆରମ୍ଭ ହୋଇଛି । ନର୍ଲା ବ୍ଲକ ଅଧିନସ୍ଥ ଶାନ୍ତପୁର ଗ୍ରାମ ପଞ୍ଚାୟତର ଛତିକୁଡାରେ କାମ ଚାଲିଥିବା ବେଳେ ଗତ ୪ ଡିସେମ୍ବର ୨୦୨୧ ରେ ୨୯୮ ଖଣ୍ଡ ଲୁହା ପାଣିପାଇପ ଚୋରୀ ହେଲା । ଯାହାର ବଜାର ମୂଲ୍ୟ ଅନୁ୍ୟନ ୩୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏନେଇ ଉକ୍ତ କାମ କରୁଥିବା ଠିକାଦାର ପ୍ରଭାତ ଧଳ ନର୍ଲା ଥାନାରେ ଏକ ଏଫଆଇଆର୍ ମଧ୍ୟ ଦାଏର କଲେ ହେଲେ ଆଜି ଯାଏଁ ଧରାପଡିଲା ନାହିଁ ଚୋର । ଇତି ମଧ୍ୟରେ ଆଉ ଦୁଇ ତିନିଗୋଟି ସ୍ଥାନରୁ ପାଣି ପାଇପ ସବୁ ମଧ୍ୟ ଅଳ୍ପ ବହୁତେ ଚୋରୀ ଚାଲିଲା । ନର୍ଲା ଥାନାରେ ଏଫ୍ଆଇଆର୍ ଦାଏର ହେଲା ହେଲେ ସବୁ ବୃଥା । ଗତ ଗୁରୁବାର ଦିନ ଠିକାଦାର ଶ୍ରୀ ଧଳ ନିଜ ସାଇଟରୁ ଫେରୁଥିବା ବେଳେ ରୁପ୍ରାରୋଡର ଯୁବ ଠିକାଦାର ଦିନେଶ ଅଗ୍ରୱାଲ କାମ କରୁଥିବା ଘୁପଟି ସାଇଟରେ ଏକ ୪୦୭ ଟାଟା ଭ୍ୟାନ ଲାଗି ପାଇପ ସବୁ ଲୋଡିଂ ହେଉଥିବା ଦେଖି ଗାଡିଟିର ଫଟୋ ଉଠାଇବା ସହ ଛକି ରହିଲେ । ଗାଡିଟି ନିଜ ଗନ୍ତବ୍ୟ ସ୍ଥଳକୁ ବାହାରିବା ମାତ୍ରକେ ତାକୁ ପିଛାକରି ଚାଲିଲେ । ଗାଡିଟି କର୍ଲାପଡା ଚହଗାଁରେ ସକାଳ ୭ ଘଣ୍ଟା ସମୟରେ ପହଞ୍ଚି ପାଇପ ଅନଲୋଡ କରୁଥିବା ସମୟରେ କର୍ଲାପଡା ଫାଣ୍ଡି ଅଧିକାରୀ ଶ୍ରୀ ପଟ୍ଟନାୟକଙ୍କୁ ଖବର କଲେ ଠିକାଦାର ଶ୍ରୀ ଧଳ । ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଅନଲୋଡ ହୋଇଥିବା ୬୦ ଗୋଟି ପାଇପ, ଚୋରୀରେ ବ୍ୟବହୃତ ହୋଇଥିବା ୪୦୭ ଗାଡି ନଂ- ଓଆର ୦୮- ୮୮୧୮ କୁ ଜବତ କରିବା ସହ ଏଥିର ମୁଖ୍ୟ କାର୍ପେଟଦାର ନିଶାଣପୁରର ଅଭିମନ୍ୟୁ ରଣା, ତାଙ୍କ ବାପା ନିତ୍ୟାନନ୍ଦ ରଣା, ନିଜ ୪୦୭ ରେ ପାଇପ ଚୋରୀ କରି ନିଜେ ଡ୍ରାଇଭ କରି ନେଇ ଆସିଥିବା ମୁଖ୍ୟ ଆସାମୀ ଚହଗାଁର କାବାଡିବାଲା ଡୋଳେଶ୍ୱର ସାହୁ, ଲକ୍ଷ୍ମଣ ଯୁଆଡ, ବୀର ସାହୁ, ଘୁଘୁରଚଲାର ଚତୁର ନାଏକ ଓ ଟେକଚନ୍ଦ ସାହୁ ପ୍ରମୁଖଙ୍କୁ ଗିରଫ କରି ନର୍ଲା ଥାନାକୁ ପଠେଇ ଦେଇଥିଲେ ଏସ୍ଆଇ ଶ୍ରୀ ପଟ୍ଟନାୟକ । ଧରାପଡିଥିବା ଚୋର ମାନଙ୍କୁ ପଚରାଉଚୁରା ପରେ ଏଥିରେ ସମ୍ପୃକ୍ତ ରହିଥିବା ଆଉ ତିନିଜଣ ଚୋର ଫେରାର ରହିଥିବା ଜଣାପଡିଛି । ନର୍ଲା ପୋଲିସ୍ ପାଇପ ଚୋରୀରେ ସମ୍ପୃକ୍ତ ଉକ୍ତ ୭ ଜଣ ଚୋରକୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜଣାପଡିଛି । ଆଉ ଏକ ଆଶ୍ଚର୍ଯ୍ୟ ଓ କୌତୁହଳର ବିଷୟ ଯେ ଏହି ପାଇପ ଚୋରୀର ମୁଖ୍ୟ ମାଷ୍ଟର ମାଇଣ୍ଡ ଓ ଚୋରୀ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁକାରୀ ହେଉଛନ୍ତି ଜଣେ ସମ କାର୍ଯ୍ୟରତ ଠିକାଦାର ଅଟନ୍ତି ବୋଲି ଅଭିଯୋଗକାରୀ ମାନଙ୍କ ମଧ୍ୟରେ ଟୁପୁର ଟାପର ଚାଲିଥିବା ଶୁଣିବାକୁ ମିଳିଥିଲା । ଆଉ ଏକ ଆଶ୍ଚର୍ଯ୍ୟର ବିଷୟ ଯେ ପାଇପ ଚୋର ମାନଙ୍କୁ ପୋଲିସ ଗିରଫ କରିବା ସାଙ୍ଗେ ସାଙ୍ଗେ କାବାଡିବାଲା ଡୋଲେଶ୍ୱର ସାହୁଙ୍କୁ ପୋଲିସ୍ ହାଜତରୁ ଖସେଇ ନେବାପାଇଁ ଭବାନୀପାଟଣାର ଦୁଇଜଣ ଓକିଲ ଆସି ନର୍ଲା ଥାନାରେ ଅଭିଯୋଗକାରୀ ମାନଙ୍କୁ ଧମକ ଚମକ ମଧ୍ୟ ଦେଇଥିଲେ ଓ ଜଣେ ନିର୍ବାଚିତ ଲୋକ ପ୍ରତିନିଧି ମଧ୍ୟ ଅଭିଯୋଗକାରୀ ଠିକାଦାର ମାନଙ୍କୁ ଆଗକୁ ନବଢିବା ପାଇଁ ତାଗିଦ୍ କରିଥିବା ସୂଚନା ମିଳିଛି । ଏହାବାଦ୍ କର୍ଲାପଡା ପୋଲିସ୍ ଘଟଣା ସ୍ଥଳରେ ଚୋରୀ ସାମଗ୍ରୀ ଓ ଗାଡି ସହ ଚୋରଙ୍କୁ ଆରେଷ୍ଟ କରିଥିବା ବେଳେ ନର୍ଲା ପୋଲିସ୍ ଉକ୍ତ ପାଇପ ଚୋର ମାନଙ୍କ ପ୍ରତି ନରମ ମନୋଭାବ ପୋଷଣକୁ ଅଭିଯୋଗକାରୀ ଓ ଉପସ୍ଥିତ ଜନସାଧାରଣ ନାପସନ୍ଦ କରିଥିବା ଜଣାପଡିଛି । ଏମାନଙ୍କ ପ୍ରତି ଯଦି ନର୍ଲା ପୋଲିସ୍ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତାହେଲେ କଳାହାଣ୍ଡି ଜିଲ୍ଲାପାଳ ଓ ଏସପିଙ୍କୁ ସାକ୍ଷାତ କରି ଠିକାଦାର ମାନେ ମାସ ମାସ ଧରି କାର୍ଯ୍ୟବନ୍ଦ ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଥିବା ଜଣାପଡିଛି ।