କ୍ରସର ମାଲିକଙ୍କ ବେଆଇନ ବ୍ଲାଷ୍ଟିଂରେ ସ୍ତବ୍ଧ ଗାଁ ଭୂଇଁ: ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ସରକାରୀ ନିୟମକୁ କ୍ରସର ମାଲିକଙ୍କ ଫୁ। ଷ୍ଟୋନ କ୍ରସରରେ ଚାଲିଛି ବେଆଇନ ବ୍ଲାଷ୍ଟିଂ। ବ୍ଲାଷ୍ଟିଂ ଯୋଗୁଁ ସ୍ତବ୍ଧ ଗାଁ ଭୂଇଁ। ଆତଙ୍କିତ ହୋଇ ପଡିଛନ୍ତି ସ୍ଥାନୀୟ ବାସିନ୍ଦା। ଏପଟେ ଜନ ସାଧାରଣଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁନାହିଁ ସ୍ଥାନୀୟ ପ୍ରଶାସନ। ଶହ ଶହ ମେଟାଳ ବୋଝେଇ ଟ୍ରକ ଚଳାଚଳ ଯୋଗୁଁ ରାସ୍ତା ପାଲଟିଛି ମରଣଯନ୍ତା। ବ୍ଲାଷ୍ଟିଂର ମାତ୍ରା ଏତେ ଅଧିକ ରହୁଛି ଯେ ଘରର କାନ୍ଥସବୁ ଫାଟି ଯାଉଛି। ଏପଟେ ଗମନା ଗମନ ପାଇଁ ଲୋକେ ହନ୍ତସନ୍ତ ହେଉଥିବା ଭଳି ଗୁରୁତର ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଳିଆକାନି, ସୁକୁନିମୁଣ୍ଡା, କୁରେସିନି, ଗୋଇନ୍ଦିମୁଣ୍ଡା, ବୈଜଳପୁର ଆଦି ଅଞ୍ଚଳରୁ। ପ୍ରାପ୍ତ ସୂଚନା ଆଧାରରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଲିଆକାନି ପଞ୍ଚାୟତର ସୁକୁନିମୁଣ୍ଡା ଓ ବୃନ୍ଦାବାହାଲ ପଞ୍ଚାୟତର ବୈଜଳପୁରରେ ସ୍ଥାପିତ ହୋଇଛି ପୃଥକ ପୃଥକ ଷ୍ଟୋନ କ୍ରସର । ହେଲେ ଏଥିରେ ବେଆଇନ ଭାବରେ ଡିନା ମାଇଟ ଓ ଜିଲୋଟିନ ବ୍ଲାଷ୍ଟ କରୁଥିବା ଯୋଗୁଁ ଏହି ଅଞ୍ଚଳରେ ଥିବା ଜନ ବସତି ଯଥା ଖଳିଆକାନି, ସୁକୁନିମୁଣ୍ଡା, କୁରେସିନି, ଗୋଇନ୍ଦିମୁଣ୍ଡା, ବୈଜଳପୁର ଆଦି ଅଞ୍ଚଳର ଘର ଗୁଡ଼ିକ ଫାଟି ଆଁ କରୁଥିବା ବେଳେ ବେଆଇନ ବ୍ଲାଷ୍ଟ ଯୋଗୁଁ ସ୍କୁଲ ଗୁଡ଼ିକର କାନ୍ଥ ବି ଫାଟି ଯାଉଛି। ତା’ ସହିତ ଭୟଙ୍କର ଶବ୍ଦ ଯୋଗୁଁ ସ୍ତବ୍ଧ ହୋଇପଡିଛି ଗାଁ ଭୂଇଁ। ବ୍ଲାଷ୍ଟିଂର ଭୟଙ୍କର ଶବ୍ଦରେ ଆତଙ୍କିତ ଆବାଳ ବୃଦ୍ଧ ବନିତା। କ୍ରସର ଖାଲି ସେତିକି ନୁହେଁ ବିଜୁ ଏକ୍ସପ୍ରେସ ଠାରୁ ଖଲିଆକାନି ଦେଇ ଏକ ମୁଖ୍ୟ ରାସ୍ତା ଯାଇଛି ଯାହାକି ଖଳିଆକାନି, ସୁକୁନିମୁଣ୍ଡା, କୁରେସିନି, ବୈଜଳପୁର, ଧାମନପୁର, ଦଶପୁର ସମେତ ପ୍ରାୟ ୧୫ରୁ ଉର୍ଦ୍ଧ ଗାଁ ଲୋକେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ବେଳେ ସ୍କୁଲ କଲେଜର ଛାତ୍ରଛାତ୍ରୀ ମଧ୍ୟ ଯିବା ଆସିବା କରିଥାନ୍ତି। ହେଲେ ଦୁଇଟି କ୍ରସରରୁ ଅନବରତ ପଥର ବୋଝେଇ ଶହ ଶହ ଗାଡି ଚଳାଚଳ ଯୋଗୁଁ ଏହି ରାସ୍ତା ମରଣଯନ୍ତା ପାଲଟିଛି ଓ କ୍ରସରର ଧୂଳି ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। କେବଳ ଯେ ଯାତାୟାତ ନୁହେଁ ଦୁଇ ଦୁଇଟି କ୍ରସର ୟୁନିଟ ଯୋଗୁଁ ଚାଷ ଜମି ବି ଚାଷ ଉପଯୋଗୀ ହୋଇ ପାରୁନାହିଁ। ସରକାରଙ୍କ ନିୟମ ଅନୁସାରେ କୌଣସି ଜନ ବସତି ଅଞ୍ଚଳରେ କ୍ରସର ୟୁନିଟ ନ ହେବା ସହ ବଡ ଧରଣର ବ୍ଲାଷ୍ଟିଂ ବେଆଇନ ଅଟେ। କିନ୍ତୁ ସରକାରଙ୍କ ନିୟମକୁ ନ ମାନି କ୍ରସର ମାଲିକ ମାନେ ତହସିଲଦାରଙ୍କ ସହ ସଲାସୁତୁରା ରଖି ବ୍ଲାଷ୍ଟିଂ କରୁଥିବା ବେଳେ ଲିଜ ନେଇଥିବା କ୍ୱାରିରୁ ଆବଶ୍ୟକ ଠାରୁ ଅଧିକ ପଥର ମଧ୍ୟ ଖନନ କରି ଅଧିକ ପରିମାଣର ମାଲ ଉତ୍ପାଦନ କରୁଛନ୍ତି ଓ ସରକାରଙ୍କ ରାଜସ୍ବ ହାନି କରୁଛନ୍ତି। ତେଣୁ ଏହାର ଏକ ଭିଜିଲାନ୍ସ ତଦନ୍ତ ଜରୁରୀ ହୋଇ ପଡ଼ିଛି। ଯଦି ଭିଜିଲାନ୍ସ ତଦନ୍ତ ହୁଏ ତା ହେଲେ କ୍ରସର ମାଲିକ ମାନେ କେଉ କେଉଁ ପ୍ଲଟରୁ କେତେ ପରିମାଣର କ୍ୱାରି ଲିଜ ନେଇଛନ୍ତି କେତେ ବର୍ଷପାଇଁ ବର୍ତ୍ତମାନ ସୁଦ୍ଧା କେତେ ମାଲ ଉତ୍ପାଦନ କରିଛନ୍ତି ଓ କେତେ ଟଙ୍କା ସରକାରଙ୍କୁ ବାର୍ଷିକ ରୋଜଗାର ଦେଉଛନ୍ତି ତାହାର ସଠିକ ତଥ୍ୟ ସାମ୍ନାକୁ ଆସିପାରିବ। ଅନ୍ୟପଟେ ସେପରି ବେଆଇନ ବ୍ଲାଷ୍ଟିଂ ହେଉନଥିବା ଓ ବେଆଇନ ବ୍ଲାଷ୍ଟିଂ ଉପରେ ଯଏଣ୍ଟ ତଦନ୍ତ କରାଯିବ ବୋଲି କହିଛନ୍ତି କହିଛନ୍ତି ଗୋଲାମୁଣ୍ଡା ତହସିଲଦାର ସର୍ବେଶ୍ଵର ଜାଲ। ଏଠାରେ ପ୍ରକାଶ ଥାଉ କି ବିଗତ କିଛି ମାସରେ ଗୋଲାମୁଣ୍ଡାର ଏକ କ୍ରସର ୟୁନିଟରେ ବ୍ଲାଷ୍ଟିଂ ଯୋଗୁଁ ଜଣେ ଶ୍ରମିକର ଦୁଇ ହାତ ହରାଇ ଥିବା ନଜିରକୁ ଆସିଥିବା ବେଳେ କ୍ରସରରେ କାମ କରୁଥିବା ଶ୍ରମିକ ମାନଙ୍କ ବିମା ମଧ୍ୟ ନ ଥିବା ଅଭିଯୋଗ ହୋଇଥିଲା ଯାହାକି ପ୍ରଶାସନର ନଜରକୁ ଆସିଥିଲା। କିନ୍ତୁ ସବୁ ଜାଣି ଅଜଣା ରହିଛିକି ପ୍ରଶାସନ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ସରକାରୀ ନିୟମ ନିୟମ ବାଟରେ, ମାନୁ ନାହାନ୍ତି କ୍ରସର ମାଲିକ। ଜଦି ବେଆଇନ ବ୍ଲାଷ୍ଟିଂ ଉପରେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆ ନ ଯାଏ ତା’ ହେଲେ ଆଗାମୀ ଦିନରେ ଅନେକ ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.