ରାଞ୍ଚିରେ ହିଂସା: ୨ ମୃତ, ୮ ଗୁରୁତର

ଓଡ଼ିଆ ବାର୍ତ୍ତା/ ରାଞ୍ଚି: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ହିଂସା ଦେଖାଯାଇଛି । ମହାପୁରୁଷ ମହମ୍ମଦଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟ କାରଣରୁ ହିଂସା ର ସୁତ୍ରପାତ ହୋଇଛି । ଉପଦ୍ରବ ସମୟରେ ଗୁରୁତର ହୋଇଥିବା ୨ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ହୋଇଛି ଓ ୮ଜଣ ଗୁରୁତର ଆହତଙ୍କ ଚିକିତ୍ସା ଚାଲିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶୁକ୍ରବାର ଦିନ ମୁଖ୍ୟ ରାସ୍ତାରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ଶୋଭାଯାତ୍ରା ବାହାର କରିଥିଲେ । ସେମାନେ ଶ୍ଲୋଗାନ ଦେଇଥିଲେ । ଏଥି ସହିତ କୁଶପୁତ୍ତଳିକା ଦାହ କରିଥିଲେ । ଏହା ପରେ ଦେଖୁ ଦେଖୁ ପ୍ରଦର୍ଶନ ହିଂସାରେ ପରିଣତ ହୋଇଥିଲା । ପ୍ରଦର୍ଶନ ଉଗ୍ର ରୂପ ନେବା ପରେ ପୋଲିସ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ କରିଥିଲା ଓ ଫାଙ୍କା ଗୁଳିଚାଳନା କରିଥିଲା । ତେବେ ଭିଡରେ ଥିବା ଲୋକେ ପଥରମାଡ଼ କରିଥିଲେ । ଏଥିରେ କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । କିନ୍ତୁ ପରେ ପୋଲିସ ଭିଡକୁ ନିୟନ୍ତ୍ରଣ କରିପାରିଥିଲା । ହିଂସାରେ ସାମିଲ ଥିବା ୧୦ ଜଣ ଗୁରତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏଥିରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଏବେ ପୂରା ରାଞ୍ଚିରେ କର୍ଫ୍ୟୁ ଲାଗୁ କରିଦିଆଯାଇଛି । ତେବେ ଶାନ୍ତି ପ୍ରତିଷ୍ଠା ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜନସାଧାରଣଙ୍କ ନିକଟରେ ଅପିଲ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.