ସର୍ବପ୍ରଥମ ଅବସର ପ୍ରାପ୍ତ ପଞ୍ଚାୟତ ସଂପାଦକଙ୍କ ଦେହାନ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଚାରବାହାଲ ଗ୍ରାମ ପଞ୍ଚାୟତର ପ୍ରଥମ ସଂପାଦକ ହରିହର ଦୁର୍ଗା (୮୩) ଆଉ ନାହାଁନ୍ତି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ଦେଶ ସ୍ଵାଧୀନ ହେବାପରେ ଯେବେ ଠାରୁ ଗ୍ରାମ ପଞ୍ଚାୟତର ଗଠନ ହେଲା ସେହି ଦିନ ଠାରୁ ଚାରବାହାଲ ସମେତ ତାରାପୁର, ମୋଟର ଅଞ୍ଚଳକୁ ନେଇ ଚାରବାହାଲ ଏକ ସର୍ବ ବୃହତ ପଞ୍ଚାୟତ ଭାବେ ସୁନାମ ଅର୍ଜନ କରିଥିଲା। ସେହି ସମୟରୁ ଶ୍ରୀ ଦୁର୍ଗା ଚାରବାହାଲ ପଞ୍ଚାୟତର ସଂପାଦକ ଭାବେ ଦାୟିତ୍ୱ ଗ୍ରହଣ କରି ନିଜର ଦକ୍ଷତା ପ୍ରତିପାଦନ କରି ଆସିଥିଲେ। ତତ୍କାଳୀନ ବିଶିଷ୍ଟ ସମାଜସେବୀ ଓ ସ୍ଵାଧୀନତା ସଂଗ୍ରାମୀ ହରିଶଙ୍କର ପଣ୍ଡାଙ୍କ ସହିତ ଅଞ୍ଚଳର ବିକାଶ ପାଇଁ ନିଜର ଅହରହ ପ୍ରୟାସ କରି ଲୋକପ୍ରିୟ ହୋଇ ପାରିଥିଲେ। ସଂପାଦକ ଥିବା ବେଳେ ରାଜ୍ୟ ସରକାରଙ୍କ ଠାରୁ ଶ୍ରେଷ୍ଠ ସଂପାଦକ ଭାବେ ପୁରସ୍କୃତ ହୋଇଥିବା ଜଣାଯାଏ। ସେ ଜଣେ ସମାଜସେବୀ ସହିତ କ୍ରୀଡାବିତ, ସଙ୍ଗୀତ, ଜ୍ୟୋତିଷ ବିଦ୍ୟାରେ ପାରଙ୍ଗମ ଥିଲେ। ସ୍ଥାନୀୟ ଡମ୍ ସମାଜର ସମ୍ପାଦକ ଭାବେ ମଧ୍ୟ ଦୀର୍ଘ ବର୍ଷ ନିଜର ଦାୟିତ୍ଵ ତୁଲାଇ ସମସ୍ତଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ। ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ଆଧ୍ୟାତ୍ମିକ ଚିନ୍ତନ ପ୍ରତି ଆକୃଷ୍ଟ ହୋଇ ଜୀବନ ଅତିବାହିତ କରିଥିଲେ। ଚାରବାହାଲ ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କର ତିନି ପୁଅ ବୋହୂ ଓ ନାତି ନାତୁଣୀ ଉପସ୍ଥିତ ରହିଥିଲେ। ସନ୍ଧ୍ୟା ବେଳକୁ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମାପନ ହୋଇଥିଲା, ଜ୍ୟେଷ୍ଠ ପୁତ୍ର ଲକ୍ଷ୍ମୀକାନ୍ତ ଦୁର୍ଗାଙ୍କ ସମେତ ଗୌରୀ ଶଙ୍କର ଦୁର୍ଗା, ସତ୍ୟବାଦୀ ଦୁର୍ଗା, ନାତି ଓମ୍ ପ୍ରକାଶ ଦୁର୍ଗା ଓ ଜୟକିଷନ୍ ଦୁର୍ଗା ପ୍ରମୂଖ ଉପସ୍ଥିତ ରହିଥିଲେ। ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବନ୍ଧୁ ବାନ୍ଧବ ଓ ଆତ୍ମୀୟ ସୋଦର ଶୋକାକୁଳ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିବା ଦେଖିବାକୁ ମିଳିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.