ଇଟା ଚୋରୀ ଅଭିଯୋଗ ବାହାନା, ମୋତେ ବଦନାମ କରିବା ବିରୋଧୀଙ୍କ ମୁଖ୍ୟ ଉଦ୍ଦେଶ୍ୟ -ଗୋପାଳ ହାତୀ, ବାଗପୁର ସରପଞ୍ଚ

ସରପଞ୍ଚଙ୍କ ନାମରେ ଇଟା ଚୋରୀ ଅଭିଯୋଗ ପ୍ରସଙ୍ଗ: ବାଗପୁର ସରପଞ୍ଚ କହିଲେ -ମୋତେ ରାଜନୈତିକ ଚକ୍ର ବ୍ୟୁହରେ ଫସାଇ ଦିଆଯାଇଛି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ବାଗପୁର ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ଯୁବ ସରପଞ୍ଚ ଗୋପାଳ ହାତୀ ଇଟା ଚୋରୀ କରିଥିବା ନେଇ ନର୍ଲା ଥାନାରେ ଏତେଲା ଦାଏର ହୋଇଛି । ଗତ ୬/୬ ରେ ଏତେଲା ଦାଏର କରିଛନ୍ତି ଜଗବନ୍ଧୁ ନାଏକ । ଏବେ ତଦନ୍ତ ମଧ୍ୟ ଚାଲିଥିବା ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ ବାଗପୁରର ରଥ ବାଗ ଓ ରିମାଞ୍ଚଳ ସାହୁ ନିଜର ବ୍ୟକ୍ତିଗତ କାମ ନେଇ ଇଟା ଆଣିବା ପାଇଁ ସରପଞ୍ଚ ଶ୍ରୀ ହାତୀଙ୍କର ଟ୍ରାକ୍ଟର ନଂ- ଓଡି ୦୮ ଏମ୍ ୪୪୩ ଭଡାରେ ନେଇ ବାଗପୁରର ଟୁକୁ ନାଏକଙ୍କ ଭାଟିରୁ ଇଟା ଆଣିବା ପାଇଁ ଟ୍ରାକ୍ଟର ଡ୍ରାଇଭର ଓ ଟ୍ରାକ୍ଟରରେ କାମ କରୁଥିବା ଶ୍ରମିକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବାଗପୁର ନଦୀ କୂଳରେ ଅନେକ ବ୍ୟକ୍ତି ଇଟା ଭାଟି କରି ଇଟା ପୋଡିଥିବା ଜଣାପଡେ । ତନ୍ମଧ୍ୟରୁ ଟୁକୁ ନାଏକ ଓ ଜଗବନ୍ଧୁ ନାଏକ ଦୁଇ ଭାଇଙ୍କ ଇଟା ଭାଟି ପାଖ ପାଖରେ ରହିଥିବାରୁ ଟ୍ରାକ୍ଟର ଡ୍ରାଇଭର ଓ ଶ୍ରମିକ ମାନେ ଜାଣି ପାରିଲେନି କୋଉଟା ଟୁକୁ ନାଏକଙ୍କ ଇଟା ଭାଟି ବୋଲି । ଭୁଲ ବସତଃ ଜଗବନ୍ଧୁ ନାଏକଙ୍କ ଇଟା ଭାଟିରୁ ୪୦୦ ଇଟା ଟ୍ରାକ୍ଟରରେ ଲୋଡ କରି ସାରିଥିଲେ ଶ୍ରମିକ ମାନେ । ଠିକ୍ ଏହି ସମୟରେ ଇଟା ଭାଟି ମାଲିକ ଟୁକୁ ଆସି ଏଇଟା ମୋର ଇଟା ଭାଟି ନୁହଁ । ଏଇଠୁ କାହିଁକି ଇଟା ଲୋଡ କରୁଛ ବୋଲି କହିବାରୁ ଇଟାକୁ ହାଇଡୋଲିକ ଯୋଗେ ସେଇଠି ହିଁ ଇଟା ଅନଲୋଡ କରିଦେଇଥିଲେ ଟ୍ରାକ୍ଟର ଡ୍ରାଇଭର । ଏବଂ ଟୁକୁ ନାଏକଙ୍କ ଭାଟିକୁ ଯାଇ ସେଇଠୁ ଆବଶ୍ୟକ ପରିମାଣର ଇଟା ନେଇଯାଇଥିବା ଜଣାପଡିଛି । ଏଠାରେ ସ୍ପଷ୍ଟ ଜଣାପଡୁଛି ଯେ ସରପଞ୍ଚ ଶ୍ରୀ ହାତୀଙ୍କର ଇଟାର ଆବଶ୍ୟକ ନଥିଲା । କେବଳ ତାଙ୍କର ଟ୍ରାକ୍ଟର ଭଡାରେ ଲାଗିଥିଲା । ଇଟା କିଣି ନେବା ଲୋକ ଅନ୍ୟ ଦୁଇଜଣ ଥିଲେ । ଇଟା ଭାଟି ମାଲିକ ଠିକ ସମୟରେ ଆସି ତାଙ୍କ ଭାଇ ଜଗବନ୍ଧୁ ନାଏକଙ୍କ ଇଟା ନେବାପାଇଁ ବାରଣ କରିଥିଲେ । ତାହେଲେ ବାଗପୁର ସରପଞ୍ଚ ଇଟା ଚୋରୀକଲେ କେତେବେଳେ? ଆଉ ବହୁତ ଦୁଃଖର ବିଷୟ ଏଇୟା ଯେ ନର୍ଲା ପୋଲିସ୍ ଜଣେ ସାଧାରଣ ବ୍ୟକ୍ତିଙ୍କ କଥାକୁ ବିଶ୍ୱାସ କରି ଜଣେ ନିର୍ବାଚିତ ଲୋକ ପ୍ରତିନିଧି ସରପଞ୍ଚଙ୍କ ନାମରେ ବିନା ସାକ୍ଷ୍ୟ ପ୍ରମାଣରେ କେସ୍ ରୁଜ୍ଜୁ କଲେ । ଯୋଉମାନେ କେସର ସାକ୍ଷ୍ୟ ଅଛନ୍ତି ପିପଲପଦର ଗ୍ରାମର ବିଷ୍ଣୁ ନାଏକ, ଗଙ୍ଗା ରଣା, ଭାସ୍କର ନାଏକ, ଲଳିତ ରଣା ପ୍ରମୁଖ ସେମାନଙ୍କ ପ୍ରତିକ୍ରୀୟାରେ କହିଛନ୍ତି ସରପଞ୍ଚ ନିର୍ଦୋଷ । କେବଳ ତାଙ୍କ ଟ୍ରାକ୍ଟର ଭଡାରେ ଲାଗିଥିଲା । ଇଟା ନେବା ସହିତ ତାଙ୍କର କୌଣସୀ ସମ୍ପର୍କ ନାହିଁ । ଦୁଇ ଭାଇଙ୍କର ଇଟାଭାଟି ପାଖ ପାଖରେ ରହିଥିବାରୁ ଟ୍ରାକ୍ଟର ଡ୍ରାଇଭର ଓ ଶ୍ରମିକ ମାନେ ଜାଣି ନପାରି ଭୁଲ ବଶତଃ ଟୁକୁ ନାଏକଙ୍କ ଇଟା ଭାଟି ବଦଳରେ ଜଗବନ୍ଧୁ ନାଏକଙ୍କ ଭାଟିରୁ ମାତ୍ର ୪୦୦ ଇଟା ଟ୍ରାକ୍ଟରରେ ଲୋଡ କରିଥିଲେ । ଘରେ ପଖାଳ ଖାଇସାରି ଇଟା ଭାଟିକୁ ଟୁକୁ ନାଏକ ଆସି ମନା କରିବା ପରେ ଇଟା ମଧ୍ୟ ଭାଟି ପାର୍ଶ୍ଵରେ ହିଁ ଖାଲି କରି ଦେଇ ଟୁକୁ ନାଏକଙ୍କ ଭାଟିରୁ ଇଟା ନେଇଥିଲେ । ତେବେ ଏଇଠି ପ୍ରଶ୍ନ ଉଠୁଛି ବାଗପୁର ସରପଞ୍ଚ ଇଟା ଚୋରୀ କଲେ କେତେବେଳେ? ଏ ବିଷୟରେ ବାଗପୁର ସରପଞ୍ଚ ଶ୍ରୀ ହାତୀଙ୍କ ମତାମତ ନେବାରୁ ମୋର କାର୍ଯ୍ୟକଳାପ, ଚାଲିଚଳନ, ସେବା ମନୋବୃତ୍ତିକୁ ଦେଖି ମୋର ଅଞ୍ଚଳବାସୀ ମତେ ଭୋଟ ଦେଇ ବିଜୟୀ କରାଇଛନ୍ତି । ଏଥିରେ ମୋର ବିରୋଧି ମାନେ ପ୍ରତିହିଂସା ପରାୟଣ ହୋଇ କୁଟଚକ୍ରାନ୍ତ କରି ମୋତେ ରାଜନୈତିକ ଚକ୍ରବ୍ୟୁହରେ ଫସାଇ ଦେଇଛନ୍ତି । ମୁଁ ତ ନିର୍ଦୋଷ। ଇଟା ଚୋରୀ ପ୍ରସଙ୍ଗ ହେଉଛି ଗୋଟିଏ ବାହାନା ମାତ୍ର। ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ କରାଇ ମୋତେ ବଦନାମ କରିବା ହେଉଛି ମୋର ବିରୋଧୀଙ୍କ ମୁଖ୍ୟ ଉଦ୍ଦେଶ୍ୟ । ମୁଁ କେମିତିକା ବ୍ୟକ୍ତି ସମସ୍ତେ ଜାଣିଛନ୍ତି । ମୋ ପାଇଁ ଭଗବାନ ଅଛନ୍ତି । ଅବଶ୍ୟ ନର୍ଲା ପୋଲିସ୍ ସାକ୍ଷ୍ୟ ମାନଙ୍କୁ ଡକାଇ ତଦନ୍ତ କରୁଥିବା ଜଣାପଡିଛି । ଦେଖାଯାଉ କେସ୍ ଆଗକୁ କୋଉ ମୋଡ ନେଉଛି ? ନର୍ଲା ପୋଲିସ କଣ ପଦକ୍ଷେପ ନେଉଛି ?

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.