ବଜ୍ରାଘାତରେ ଆଦିବାସୀଙ୍କ ୧୦ ଗୋଟି ଗାଈ ମୃତ, ସହାୟତା ପାଇଁ ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ଅପରାହ୍ନ ସାଢ଼େ ୪ ଘଣ୍ଟା ସମୟରେ ଲାଞ୍ଜିଗଡ଼ ବ୍ଳକ ଦୁର୍ଗମ ତ୍ରିଲୋଚନପୁର ପଞ୍ଚାୟତ ଅଞ୍ଚଳରେ ପ୍ରବଳ ବର୍ଷା ସହିତ ବଜ୍ରାଘାତ ହୋଇଥିଲା। ଏହି ସମୟରେ ତ୍ରିଲୋଚନପୁର ପଞ୍ଚାୟତ ଅଧୀନରେ ଥିବା ବୀରସିଙ୍ଗେର ଗାଁର ଲୋକେ ଗାଈ ଚରାଇବାକୁ ଯାଇଥିଲେ। ପ୍ରବଳ ବର୍ଷା ଓ ଘଡ଼ଘଡି ଯୋଗୁଁ ଗାଈ ଗୁଡିକ ଗାଁ ନିକଟରେ ଥିବା ଏକ ମହୁଲ ଗଛ ତଳେ ଗୋଠ କରିଦେଇ ଗାଈ ଚରାଳି ମାନେ ନିଜ ନିଜ ଘରକୁ ଚାଲି ଆସିଥିଲେ। ଠିକ ସନ୍ଧ୍ୟା ସାଢ଼େ ୪ ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡି ସହିତ ବଜ୍ର ପାତ ହୋଇଥିଲା। ଗଛ ମୂଳରେ ଗୋଠ ହୋଇ ରହିଥିବା ଗାଈ ମାନଙ୍କ ମଧ୍ୟରୁ ୧୦ ଗୋଟି ଗାଈର ବଜ୍ରାଘାତରେ ମୃତ୍ୟୁ ଘଟିଛି। ବୀରସିଙ୍ଗେର ଗାଁର ପାତ୍ର ମାଝୀଙ୍କ ୩ ଗୋଟି ଗାଈ, ବୁଦୁ ମାଝୀଙ୍କ ଗୋଟିଏ, ଲକ୍ଷ୍ମଣ ମାଝୀଙ୍କ ଗୋଟିଏ, ଲାଲୁ ମାଝୀଙ୍କ ଗୋଟିଏ, ରିଣଜ୍ଞା ମାଝୀଙ୍କ ଗୋଟିଏ ଗାଈ ରହିଥିବା ବେଳେ ସେହି ଗାଈ ଗୋଠରେ ଲାଞ୍ଜିଗଡ ପଞ୍ଚାୟତ ଭଟାଝରି ଗାଁର ବାରିକ ମାଝୀଙ୍କ ଗୋଟିଏ ଓ ରବି ମାଝିଙ୍କ ଗୋଟିଏ ଗାଈ ବଜ୍ରାଘାତରେ ମୃତ୍ୟୁ ବରଣ କରିଛନ୍ତି। ଗାଈ ଗୁଡିକ ରଖି ଗୋରସ ବିକ୍ରି କରି ସେହି ପଇସାରେ ନିଜ ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ଗାଈ ଗୁଡିକର ମୃତ୍ୟୁ ପରେ ଏହି ଆଦିବାସୀ ମାନେ ସମ୍ପୁର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି। ତାଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.