ବାଲିଗୁଡାରେ ରଜ ମଉଜ: ଗାଇଲେ ରଜ ଗୀତ, ଖେଳିଲେ ଦୋଳି

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ସାରା ଓଡିଶାରେ ତିନି ଦିନିଆ ରଜ ପର୍ବ ଧୁମ ଧାମରେ ପାଳିତ ହେଉଥିବା ବେଳେ କନ୍ଧମାଳ ଜ଼ିଲ୍ଲାର ବାଲିଗୁଡା ବ୍ଲକର ଉପାନ୍ତ ଗାଁ ଗୁଡିକରେ ମଧ୍ୟ ରଜ ପର୍ବ ମାହା ଆଡମ୍ବର ପାଳିତ ହୋଇଯାଇଛି । ବିଭିନ୍ନ ଗାଁ ଗହଳିରେ ଧୂମଧାମରେ ଘରେ ଓ ବାହାରେ ଦୋଳି ବାନ୍ଧି କୁଆଁରି ଝିଅମାନେ ପାଳନ କରୁଛନ୍ତି ରଜ ପର୍ବ । ନୂଆ ଲୁଗା ଓ ପୋଷାକ ପିନ୍ଧି ବିଭିନ୍ନ ପ୍ରକାରର ପିଠା ପଣା ସାଙ୍ଗକୁ ମେହେନ୍ଦି, ଅଳତା ଲଗାଇ ସଜବାଜ ହୋଇ ରଜ ପାନ ଖାଇ ଦୋଳି ଖେଳରେ ସାମିଲ ହୋଇଥିଲେ ।


ଏହି ପରିପ୍ରେକ୍ଷୀରେ ବାଲିଗୁଡା ବ୍ଲକ ରେବିଙ୍ଗିଆ ପଂଚାୟତର ବୁଡ଼ାଗୁଡ଼ା ସାହିର ସମସ୍ତ ଯୁବକ ଯୁବତୀ ଏକତ୍ରିତ ହୋଇ ପାରମ୍ପରିକ ରଜପର୍ବ ପାଳନ କରିଛନ୍ତି । ଗାଁ ପରିବେଶ ମଧ୍ୟରେ ଗଛ ଡାଳରେ ଦୋଳିକୁ ସଜାଇ କୁଆଁରୀ ଝିଅ ସଜବାଜ ହୋଇ ଦୋଳି ଖେଳିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ପାରମ୍ପରିକ ନୃତ୍ୟ ସଂଗୀତରେ ଗାଁ ପରିବେଶ ପ୍ରକମ୍ପିତ ହୋଇଥିଲା ।


ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ସମ୍ମାନିତ ଅତିଥି ଭାବେ ରେବିଙ୍ଗିଆ ସରପଞ୍ଚ ରଞ୍ଜୁଲତା ମଳିକ ଏବଂ ପୁରସ୍ତମ ବେହେରା ପ୍ରମୁଖ ମଂଚାସୀନ ଥିଲେ । ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ରେବିଙ୍ଗିଆ ଗ୍ରାମର ଗ୍ରାମବାସୀ କଳା ଓ ସଂସ୍କୃତିକୁ ଉଜ୍ଜୀବିତ କରୁଥିବା ପ୍ରୟାସ କୁ ଉଚ୍ଚ ପ୍ରଶଂସା କରିଥିଲେ । ଶେଷରେ ଗ୍ରାମର ଯୁବକ ଯୁବତୀ ମାନେ ମଞ୍ଚରେ ନିଜ ନିଜର କଳା ପରିବେଷଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.