ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଐତିହାସିକ, ପ୍ରାତ୍ନତାତ୍ତ୍ବିକ ଓ ଧାର୍ମିକ ବିଭବରେ ବିମଣ୍ଡିତ ଦେବଗିରି ବୁଢିପଦରରେ ରଜର ମାହୋଲ ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢିପଦର ସ୍ଥିତ ଦେବଗିରିର କୁଆଁରୀ କନ୍ୟା ଓ ମହିଳାମାନେ ମିଳିତ ଭାବେ ତିନି ଦିନ ଧରି ରଜ ପର୍ବ ପାଳନ କରୁଛନ୍ତି। ଗ୍ରାମର ଝିଅମାନେ ସୁନ୍ଦର ଭାବରେ ସଜ୍ଜିତ ହୋଇ ରଜ ପର୍ବରେ ସାମିଲ ହୋଇଛନ୍ତି।
ଗାଁ ତୋଟାରେ ଦୋଳି ପ୍ରସ୍ତୁତ କରି ପାରମ୍ପରିକ ରଜ ଗୀତ ସହ ଚାଲିଛି ଦୋଳି ଖେଳ। ଘରେ ଘରେ ପିଠାପଣା ଓ ବିବିଧ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି।
ଏଠାରେ ପ୍ରକାଶଯୋଗ୍ୟ ଯେ, ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରୁ ଖ୍ରୀଷ୍ଟିୟ ଦ୍ବିତୀୟ ଶତାବ୍ଦୀ ପର୍ଯ୍ୟନ୍ତ ଗତିଶୀଳ ଦେବଗିରି ପ୍ରାଚୀନ କାଳରେ କନକଗିରି ନାମରେ ଖ୍ୟାତ ଥିଲା। ଏହାର ବର୍ଣ୍ଣନା ସଂସ୍କୃତ ମହାଭାରତ, ଶାରଳା ମହାଭାରତ, ପଦ୍ମ ପୁରାଣ ସହ ଅନେକ ଗୁଡ଼ିଏ ପୁରାଣ/ ଉପପୁରାଣରେ ଦେଖିବାକୁ ମିଳେ।
ପ୍ରାଚୀନ ମହାକାନ୍ତାର ସଭ୍ୟତାର ରାଜଧାନୀ ଅସୁରଗଡର ପ୍ରତିରକ୍ଷା ଘାଟି ଥିଲା ଦେବଗିରି। କିମ୍ବଦନ୍ତୀ ଅନୁସାରେ ଅସୁରଗଡର ରାଜା ଗୋସିଂହ ଦୈତ୍ୟ ଏଠାରେ ଶିବଙ୍କ ଉପାସନା କରୁଥିଲେ।
ସମୟର କରାଳ ଗ୍ରାସରେ ଏହି ସଭ୍ୟତା ବିଳିନ ହେବାପରେ ୧୮୦୦ ଶତାବ୍ଦୀ ପରେ ପରେ କଳାହାଣ୍ଡି ନାଗବଂଶୀ ରାଜାମାନେ ଦେବଗିରିର ପୁନରୁଦ୍ଧାର କରିଥିଲେ। ଉତ୍କଳୀୟ ବୈଷ୍ଣବ ଗୋଷ୍ଠୀର ସନ୍ୟାସୀ ଦିନବନ୍ଧୁ ଦାସ ୧୮୮୩ ମସିହାରେ ଦେବଗିରି ମଠ ସ୍ଥାପନ କରିଥିଲେ।
ବୁଢିପଦରର ସାମ୍ରାନ୍ତ ଯାଦବ ମାନଙ୍କ ଦ୍ବାରା ଏଠାରେ ଜଗନ୍ନାଥ ମନ୍ଦିର ସ୍ଥାପିତ ହୋଇ ପୁରୀରୁ ଦଧିବାମନ ମୂର୍ତ୍ତି ଆନିତ ହୋଇ ସ୍ଥାପିତ ହେଲେ। ୧୯୨୪ ମସିହାରେ କଳାହାଣ୍ଡି ମହାରାଜ ବ୍ରଜମୋହନ ଦେଓ ଦେବଗିରି ମଠର ସୁପରିଚାଳନା ପାଇଁ ୭୨ ଏକର ଜମି ପ୍ରଦାନ କରିଥିଲେ, ଯାହା ଆଜି ମଧ୍ୟ ମଠ ନାମରେ ରେକର୍ଡଭୁକ୍ତ ହୋଇ ରହିଛି।
ପୁରୀରୁ ଦଧିବାମନ ଆସିବା ପରେ ଦେବଗିରିରେ କନ୍ଧ, ଡମ୍ବ ଓ ଯାଦବ ସଂସ୍କୃତି ସହ ଜଗନ୍ନାଥ ସଂସ୍କୃତିର ମହାମିଳନ ହୋଇଥିଲା। ଏହି କ୍ରମରେ ପୁରୀ ଜଗନ୍ନାଥ ମନ୍ଦିରରେ ପାଳିତ ହେଉଥିବା ରିତିନିତିର ଅନେକ ବିଭବ ଦେବଗିରିରେ ମଧ୍ୟ ଅନୁସୃତ ହୋଇ ଆସୁଛି। ରଜ ପର୍ବ ମଧ୍ୟ ଏଠାରେ କେଉଁ ଏକ ସ୍ମରଣାତିତ କାଳରୁ ପାଳିତ ହୋଇ ଆସୁଛି।
ଦେବଗିରିରେ ବସୁମତୀ ସ୍ନାନବିଧି ଉତ୍କଳୀୟ ବୈଷ୍ଣବ ନିତି ଅନୁକ୍ରମେ ସଂପାଦିତ ହୋଇଥାଏ। ଦେବଗିରି ବୁଢିପଦର ବ୍ୟତିରେକ ନର୍ଲା ବ୍ଲକର ସର୍ଗିଗୁଡା, ରୁପ୍ରାରୋଡ, ରୁପ୍ରା, ତୁଳାପଡା, ଶାନ୍ତପୁର, ବଡଧାରପୁର, ନର୍ଲାରୋଡ, ଗିଗିନା, ପଲମ, ଟକର୍ଲା, ଭୀମକେଲା, ଉଲିକୁପା, ନିଶାଣପୁର, ନର୍ଲା, ରାକ୍ସି, ସରିଆଁ, ମାଣ୍ଡେଲ, ସେରଗଡ ଆଦି ସ୍ଥାନ ମାନଙ୍କରେ ରଜ ପର୍ବ ପାଳିତ ହୋଇଥିବା ଜଣାପଡିଛି।