ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭାଇଙ୍କ ବାସଭବନରେ ସିବିଆଇ ଚଢ଼ାଉ

ଓଡ଼ିଆ ବାର୍ତ୍ତା/ ଯୋଧପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭାଇ ଅଗ୍ରସେନ ଗେହଲଟଙ୍କ ବାସଭବନରେ ଆଜି ଚଢାଉ କରିଛି କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) । ଅଗ୍ରସେନ ଗେହଲଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭାଇ । ସେ ଜଣେ ସାର ବ୍ୟବସାୟୀ ଏବଂ ପୂର୍ବରୁ ସାର ଘୋଟାଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତାଙ୍କୁ ପଚରାଉଚରା କରିଥିଲେ । ୟୁପିଏ ସରକାର କ୍ଷମତାରେ ଥିବାବେଳେ ୨୦୦୭ ରୁ ୨୦୦୯ ମଧ୍ୟରେ ସବସିଡିଯୁକ୍ତ ସାର ରପ୍ତାନି କରୁଥିବା ନେଇ ଅଗ୍ରସେନ ଗେହଲଟଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏହା କୁହାଯାଉଛି ଯେ, ୨୦୦୭ ରୁ ୨୦୦୯ ମଧ୍ୟରେ, ଅଗ୍ରସେନ ମ୍ୟୁରେଟ ଅଫ ପୋଟାସ (MoP) କୁ ନେଇ ଘୋଟାଲା କରି ବିପୁଳ ପରିମାଣର ବିଦେଶକୁ ରପ୍ତାନି କରିଥିଲେ, ଯାହା ଭାରତୀୟ ଚାଷୀଙ୍କୁ ରିହାତି ମୂଲ୍ୟରେ ଦେବାରେ ଥିଲା । ଆଜି ଏହି ମାମଲା ସିବିଆଇ ଚଢାଉର କାରଣ ବୋଲି ଜଣାପଡିଛି । ରାହୁଲ ଗାନ୍ଧୀଙ୍କୁ ଇଡିର ପଚରାଉଚୁରା ମଧ୍ୟରେ ଅଗ୍ରସେନ ଗେହଲଟଙ୍କ ବାସଭବନରେ ସିବିଆଇ ଚଢ଼ାଉ ରାଜନୈତିକ କରିଡରରେ ହଇଚଇ ସୃଷ୍ଟି କରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.