ରାମକୃଷ୍ଣ ଆଶ୍ରମରେ ଥଇଥାନ ହେଲେ ଉଦ୍ଧାର ହୋଇଥିବା ଅସହାୟ ବୃଦ୍ଧା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ନିଜର ବୋଲି ଦୁନିଆରେ କେହି ନଥିବା ଜଣେ ଅସହାୟ ବୃଦ୍ଧା ମହିଳା ଅନ୍ୟ ଲୋକଙ୍କ ଘରେ ଆଶ୍ରୟ ନେଇଥିଲେ। ତାଙ୍କୁ ଭବାନୀପାଟଣା ଓ୍ବାରିୟର ଓ ନେହେରୁ ଯୁବ କେନ୍ଦ୍ରର ସ୍ବେଚ୍ଛାସେବୀମାନେ ଉଦ୍ଧାର କରି ମ.ରାମପୁର ସ୍ଥିତ ରାମକୃଷ୍ଣ ଆଶ୍ରମରେ ଥଇଥାନ କରାଇଛନ୍ତି। ପ୍ରାପ୍ତ ସୂଚନା ଆଧାରରେ ଭବାନୀପାଟଣା ବ୍ଳକ ଦୁଆରସୁଣୀ ପଞ୍ଚାୟତ ଦାମଦୋରପୁର ଗାଁର ସୁମିତ୍ରା ବିଶି (୭୦) ତାଙ୍କର ସ୍ୱାମୀଙ୍କ ଦେହାନ୍ତ ପରେ ବେସାହାରା ହୋଇ ବହୁତ ଅସୁବିଧାରେ କାଳାତିପାତ କରୁଥିଲେ। ଏହି ସମସ୍ୟା ଫଟକାମାଲ ସରପଞ୍ଚ ସୁବୋଧ ରଣାଙ୍କ ନଜରରେ ଆସିଲା ପରେ ସେ ନେହେରୁ ଯୁବକେନ୍ଦ୍ର ସଂଗଠନର ସ୍ୱେଚ୍ଛାସେବୀ ଯଶୋବନ୍ତ ରଣାଙ୍କୁ ଜଣେଇଥିଲେ। ପରେ ଯଶୋବନ୍ତ ରଣା ରାମକୃଷ୍ଣ ଆଶ୍ରମର ଲଷ୍ମୀକାନ୍ତଙ୍କ ସହ କଥା ହୋଇ ତାଙ୍କୁ ଆଶ୍ରମରେ ଥଇଥାନ କରିବାକୁ ନିବେଦନ କରିଥିଲେ। ପରେ ଆଶ୍ରମର ମୁଖ୍ୟଙ୍କ ସହ କଥା ହେଲାପରେ ସେଠାରେ ଥଇଥାନ କରିବାକୁ ନିଷ୍ପତି ହେଲା। ଆଜି ଭବାନୀପାଟଣା ୱାରିଅର ସ୍ବେଛାସେବୀ ଓ ନେହେରୁ ଯୁବକେନ୍ଦ୍ରର ସ୍ୱେଚ୍ଛାସେବୀଙ୍କ ଉଦ୍ୟମରେ ବୃଦ୍ଧ ମହିଳାଙ୍କୁ ପଟ୍ଟନାୟକ ଆରୋ ସେଲ ଆଣ୍ଡ ସର୍ଭିସର ଗାଡ଼ିରେ ଆଣି ମଦନପୁର ରାମପୁର ସ୍ଥିତ ଆଶ୍ରମକୁ ନେଇ ଥଇଥାନ କରାଗଲା। ସେ ସେଠାକୁ ପହଂଚିବା ପରେ ଖୁସି ହୋଇ ତାଙ୍କୁ ସେଠାରେ ନେଇ ରଖିଥିବାରୁ ସମସ୍ତ ସ୍ବେଛାସେବୀଙ୍କୁ ଆଶୀର୍ବାଦ କରିଥିଲେ। ବୃଦ୍ଧ ମହିଳାଙ୍କୁ ନେଇ ଥଇଥାନ କରିବାରେ ନେହେରୁ ଯୁବକେନ୍ଦ୍ର ସଂଗଠନର ସ୍ବେଛାସେବୀ ଯଶୋବନ୍ତ ରଣା, ଭବାନୀପାଟଣା ୱାରିଅରର ରାଜେଶ ଗୌଡ଼, ପ୍ରତାପ ସାହୁ, ନୀତେଶ ଶବର, ଦୟାସାଗର ରଣା, ସୁଶାନ୍ତ ପଟ୍ଟନାୟକ, ଭକ୍ତ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ। ସମାଜସେବୀ ମାନଙ୍କ ଏହିପରି କାର୍ଯ୍ୟକୁ ଅଞ୍ଚଳର ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଭବାନୀପାଟଣା ୱାରିଅର ସଂଗଠନ ପକ୍ଷରୁ ଅନେକ ଥର ସହରର ବୃଦ୍ଧ, ବୃଦ୍ଧା, ମାନସିକ ବିକୃତ ଲୋକଙ୍କୁ ଉଦ୍ଧାର କରି ବିଭିନ୍ନ ଆଶ୍ରମରେ ଥଇଥାନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.