ସତ୍ୟବାଦୀ ଯୁଗର ବରଣ୍ୟେ ସ୍ରଷ୍ଟା ପଣ୍ଡିତ କୃପାସିନ୍ଧୁ ମିଶ୍ର

✍🏾ବିଶ୍ବବିଜୟୀ ଦାଶ

୧୮୮୭ ମସିହା ଜୁନ ୨୭ ତାରିଖ ଦିନ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ସ୍ଥିତ ବୀରହରେକୃଷ୍ଣପୁର ଗ୍ରାମର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲ କୃପାସିନ୍ଧୁ ମିଶ୍ର। ବାଲ୍ୟକାଳରୁ ତାଙ୍କର ପିତାଙ୍କର ଦେହାନ୍ତ ଘଟିଥିଲା ଓ ସେ ନିଜ ମାଉସୀ ଘରକୁ ପୋଷ୍ୟ ପୁତ୍ର ହୋଇଯାଇଥିଲେ। ତୁଳସୀ ଦୁଇପତ୍ରରୁ ବାସିଲା ଭଳି ପିଲାବେଳୁ ତାଙ୍କ ଜ୍ଞାନ ଓ ବିଚକ୍ଷଣ ବୁଦ୍ଧିର ପରିଚୟ ମିଳିଥିଲା। କୃପାସିନ୍ଧୁ ମିଶ୍ର ଗାଁ ସ୍କୁଲରୁ ଉତ୍ତୀନ୍ନ ହୋଇ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଥିଲେ, ପରବର୍ତ୍ତୀ ସମୟରେ ପୁରୀ ଜିଲ୍ଲା ସ୍କୁଲରୁ ନାମ କଟେଇ କଟକର ରେଭେନ୍‌ସା କଲିଜିଏଟ ସ୍କୁଲରେ ନାମ ଲେଖାଇଲେ। ଏହା ତାଙ୍କ ଜୀବନର ଗତିପଥକରେ କିଛି ପରିବର୍ତ୍ତନ ଆଣିଦେଲା। ଆତ୍ମନିର୍ଭରଶୀଳ ହେବା ପାଇଁ, ସେ ଟିଉସନ କରୁଥିଲେ। ଏଣ୍ଟ୍ରାନ୍ସ ପରୀକ୍ଷାରେ ପାସ କରି, ସେ ୧୫ଟଙ୍କା ବୃତ୍ତି ପାଉଥିଲେ ।ପରବର୍ତ୍ତୀ ସମୟରେ ସେ ରେଭେନ୍ସା ମହାବିଦ୍ୟାଳୟରୁ ଏଫ.ଏ ଓ ବି.ଏ ପାସ କରିଥିଲେ। ୧୯୧୪ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ।

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, କୃପାସିନ୍ଧୁ ୧୯୧୪ ମସିହାରେ ସତ୍ୟବାଦୀ ବନ ବିଦ୍ୟାଳୟରେ ଜଣେ ସହକାରୀ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ। ତାଙ୍କ ଯୋଗଦେବା ବେଳକୁ ପଣ୍ଡିତ ନୀଳକଣ୍ଠ ଦାସ ଓ ପଣ୍ଡିତ ଗୋଦାବରୀଶ ମିଶ୍ର ସେଠାରେ ଯୋଗ ଦେଇ ସାରିଥାନ୍ତି । ଏମାନଙ୍କଦ୍ୱାରା କୃପାସିନ୍ଧୁ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ପଢ଼ିବା ଓ ପଢ଼େଇବାରେ କୃପାସିନ୍ଧୁଙ୍କର ଆନନ୍ଦ ଥିଲା। ତାଙ୍କର ସଂସ୍କୃତ, ଓଡ଼ିଆ ଓ ଇଂରାଜୀ ଭାଷାରେ ଅଗାଧ ପାଣ୍ଡିତ୍ୟ ଥିଲା ଓ ସେ ଅନର୍ଗଳ ବକ୍ତୃତା ମଧ୍ୟ ଦେଇ ପାରୁଥିଲେ। ସର୍ବଦା ଧୋତି କୂର୍ତ୍ତା ପରିଧାନ କରିଥିବା କୃପାସିନ୍ଧୁଙ୍କର ନିରାଡ଼ମ୍ବର ଜୀବନଶୈଳୀ ଓ ସରଳ ବ୍ୟକ୍ତିତ୍ୱ ଛାତ୍ରମାନଙ୍କୁ ପ୍ରଭାବିତ କରୁଥିଲା। ଛାତ୍ରମାନଙ୍କ ମନରେ ଦେଶପ୍ରେମ ଓ ସେବାମୂଳକ ମନୋଭାବ ଜାଗ୍ରତ କରାଇବା ପାଇଁ ସେ ଥିଲେ ଯତ୍ନଶୀଳ।୧୯୨୦ମସିହାରେ ସେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥି ମୃତ୍ୟୁପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇଥିଲେ । ବ୍ୟାସକବି ଫକୀର ମୋହନ ସେନାପତି, ସତ୍ୟବାଦୀ ବନ ବିଦ୍ୟାଳୟ ପରିଭ୍ରମଣରେ ଆସି ‘ଉତ୍କଳ ଭ୍ରମଣ’ରେ ଲେଖିଥିଲେ :

“କୃପାମୟ କୃପାସିନ୍ଧୁ ଜନହିତକର,
କାର୍ଯ୍ୟସାଧନରେ ଅବତୀର୍ଣ୍ଣ ଧରାଧାମେ,
ସମବେତ ସେମାନେ ତ ସତ୍ୟବାଦୀ ଗ୍ରାମେ,
ଜ୍ଞାନରାଶି, ପବିତ୍ରତା, ଉଭୟ ତ ଠୁଳ
ଉଦ୍ଧରିବେ ଭଗୀରଥ ସମାନରେ କୂଳ ।”

ଉତ୍କଳ ଇତିହାସ, କୋଣାର୍କ, ବାରବାଟୀ ଦୁର୍ଗର ଇତିହାସ ଲେଖି ନିଜର ଐତିହାସିକ ଓ ଗବେଷକ ଜୀବନ ଓ ଉତ୍କଳ ପ୍ରାଣତାର ସୁସ୍ପଷ୍ଟ ପରିଚୟ ଦେଇଥିଲେ କୃପାସିନ୍ଧୁ ମିଶ୍ର। ତାଙ୍କ ଦ୍ବାରା ଲିଖିତ ସାହିତ୍ୟ କୃତି ଗୁଡ଼ିକ ହେଲା ନବ ଯୌବନର ବିପଦ, କା, ଅଦୃଷ୍ଟ ବାଦ, ଲୀଳା, କବିତା, ରାଜଭକ୍ତି, ପ୍ରାଚ୍ୟ ଭୂଖଣ୍ଡର ଅଭ୍ୟୁତଥାନ, ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାର, ଭାରତ ଇତିହାସରେ ବୈଦେଶିକ ଆକ୍ରମଣ, ହିନ୍ଦୁର ସମାଜ ବିଧାନ। ତାଙ୍କ ଲେଖା ଗୁଡ଼ିକରେ ଜାତୀୟତାବାଦର ଛୁଙ୍କ ବାରି ହୋଇପଡ଼େ। ଓଡ଼ିଆ ସାହିତ୍ୟ, ସଂସ୍କୃତି ଇତିହାସ କ୍ଷେତ୍ରରେ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କର ଅବଦାନ ଥିଲା ଅତୁଳନୀୟ ଓ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାରେ ଯେଉଁ ପଞ୍ଚସଖାଙ୍କର ଆର୍ବିଭାବ ହୋଇଥିଲା ଓ ଯେଉଁମାନେ ଏକ ନୂତନ ଯୁଗର ଆବିଷ୍କାର କରିଥିଲେ ସେମାନଙ୍କ ଭିତରେ ଜଣେ ଥିଲେ କୃପାସିନ୍ଧୁ ମିଶ୍ର। ସେ ଓଡ଼ିଶା ଇତିହାସରେ ଚିର ଅମ୍ଳାନ ହୋଇ ରହିଛନ୍ତି। କୃପାସିନ୍ଧୁଙ୍କ ପ୍ରବନ୍ଧରେ ତାଙ୍କର ନିଜସ୍ୱ ଦୃଷ୍ଟିଭଙ୍ଗୀ ଦେଖିବାକୁ ମିଳେ। ସେ ତାଙ୍କ ଲେଖାରେ ଶବ୍ଦର କୌଳିନ୍ୟ ଦେଖାଇଛନ୍ତି। ସାଧୁ ଭାଷାରେ ଗଦ୍ୟ କିପରି ଲେଖା ହୁଏ ତାହା ସେ ଶିଖାଇଛନ୍ତି। ଗଦ୍ୟ ସାହିତ୍ୟ ଯଦି ଅନ୍ୟର ଅନ୍ତରକୁ ନ ଛୁଏଁ ତାହାଲେ ତା’ର ମୂଲ୍ୟ କିଛି ନାହଁ ବୋଲି କହୁଥିଲେ କପୃାସିନ୍ଧୁ ମିଶ୍ର। ତାଙ୍କ ଲେଖାରେ ଥାଏ ଦେଶଭକ୍ତିର ଭାବ। କାରଣ ସେ ଜାଣିଥିଲେ ଦେଶ ଭକ୍ତି ନଥିଲେ କେହି ଭଲ ନାଗରିକ ହୋଇପାରିବ ନାହିଁ। ସ୍ୱାଭିମାନୀ କୃପାସିନ୍ଧୁ ମିଶ୍ର ଓଡ଼ିଶାର ଲୁପ୍ତ ଇତିହାସ ଓ ସଂସ୍କୃତିକୁ ଆଧାର କରି ବହୁ କାଳଜୟୀ ରଚନା କରିଛନ୍ତି।

୧୯୨୦ ସେପ୍ଟେମ୍ବର ୪ ତାରିଖରେ କୋଲକାତାଠାରେ ଲାଲ ଲଜପତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ଯୋଗ ଦେଇଥିଲେ କୃପାସିନ୍ଧୁ । ୧୯୨୪ରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ପୁରୀ ଜିଲ୍ଲା ବୋର୍ଡର ସଭ୍ୟ ଭାବେ କାର୍ଯ୍ୟ କରିବା ସହିତ ଜିଲ୍ଲା ଶିକ୍ଷା କମିଟିରେ ସଭ୍ୟ ଥିଲେ। ସେହି ସାରସ୍ବତ ସାଧକ ଙ୍କର ୧୯୨୬ ମସିହା ଫେବ୍ରୁଆରି ୧୨ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁରେ ମର୍ମାହତ ହୋଇ ପଣ୍ଡିତ ଗୋପବନ୍ଧୁ ଦାସ ଲେଖିଥିଲେ: ଉତ୍କଳର ଶିକ୍ଷକ ସମାଜରୁ ଗୋଟିଏ ଉଜ୍ଜ୍ୱଳ ନକ୍ଷତ୍ର ଖସି ପଡିଲା। ସେ ଏକାଧାରାରେ ଜଣେ ଓଡ଼ିଆ ସାହିତ୍ୟିକ, ଐତିହାସିକ, ବିଶିଷ୍ଟ ଶିକ୍ଷାବିଦ୍ ଓ ସମାଜସେବୀ। ଆଜି ତାଙ୍କର ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳୀ ଓ କୋଟି କୋଟି ପ୍ରଣାମ।

ବି.ଏସସି,ବି.ଇଡ଼ି(ସ୍ବତନ୍ତ୍ର ଶିକ୍ଷା)
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା
ପିନ୍- ୭୫୨୦୩୫
ମୋବାଇଲ ନଂ: ୬୩୭୦୨୦୮୪୨୮
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.