ଝାରସୁଗୁଡା,୧୭/୧୧:
ଝାରସୁଗୁଡା ଜିଲ୍ଲା ଲଇକେରା ଠାରେ ଏକ ପାଉଁଶ ବୋଝେଇ ଟ୍ରକ ଚଢ଼ି ଯିବାରୁ ଜଣେ ମହିଳାଙ୍କ ଦୁଇ ଗୋଡ଼ ଛିଣ୍ଡିଯାଇଛି । ମହିଳା ଜଣକ ହେଲେ ଅନୀତା ମେହେର(୨୭)। ସେ ତାଙ୍କ ସ୍ୱାମୀ ଅଶୋକ ମେହେର ଏବଂ ଦୁଇ ଛୋଟ ଛୁଆଙ୍କୁ ନେଇ ନିକଟସ୍ଥ କୁଅଁରମାଲ – ପାକେଲମାଳର ଅନ୍ଧାରି ପାହାଡ଼ରେ ଆୟୋଜିତ ହେଉଥିବା ଅନ୍ଧାରି ଯାତ୍ରା ଦେଖିବାକୁ ଯାଉଥିଲେ। ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଲଇକେରା ଠାରେ ଏକ ପାଉଁଶ ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଟ୍ରକକୁ ଓଭରଟେକ କରିବା ବେଳେ ଅନୀତା ବାଇକରୁ ଖସି ପଡ଼ିଥିଲେ। ଫଳରେ ମହିଳାଙ୍କ ଗୋଡ ଉପରେ ପାଉଁଶ ବୋଝେଇ ଦଶ ଚକିଆ ଟ୍ରକ ଚଢ଼ି ଯିବାରୁ ଦୁଇଗୋଡ଼ ସଂପୂର୍ଣ୍ଣ ଛିଣ୍ଡି ଯାଇଥିଲା। ଘଟଣା ସ୍ଥଳର ଦୃଶ୍ୟ ବେଶ ହୃଦୟ ବିଦାରକ ଥିଲା।