କ୍ଷୁଦ୍ର ଚଳଚ୍ଚିତ୍ର ‘ହ୍ବିସ୍ପର ଅଫ ଦ କ୍ରାଉନ’ ପାଇଁ ନିର୍ଦ୍ଦେଶକ ଓମ ପାଣିଗ୍ରାହୀ ପୁରସ୍କୃତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ଗ୍ରାମର ଯୁବକ ଓମ ପାଣିଗ୍ରାହୀଙ୍କ ଏକ ବିଶାଳ ସଫଳତା ହାସଲ କରିଛନ୍ତି। ଓଡିଶା ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ପୁରୀ ଟାଉନ ହଲ ଠାରେ ଆୟୋଜିତ ଜାତୀୟ ସଡକ ନିରାପତ୍ତା କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବରେ ଅଣ ଓଡିଆ ବର୍ଗରେ ଓମ ପାଣିଗ୍ରାହୀଙ୍କ ଦ୍ଵାରା ନିର୍ଦ୍ଦେଶିତ “ହ୍ବିସ୍ପର ଅଫ ଦ କ୍ରାଉନ” କ୍ଷୁଦ୍ର ଚଳଚିତ୍ରକୁ ଉଚ୍ଚ ପ୍ରଶଂସିତ ସହ ପୁରସ୍କୃତ କରାଯାଇଛି। ଏହି କ୍ଷୁଦ୍ର ଚଳଚ୍ଚିତ୍ର ହ୍ବିସ୍ପର ଅଫ ଦ କ୍ରାଉନ ସଡକ ସୁରକ୍ଷାକୁ ନେଇ ହେଲମେଟ ବ୍ୟବହାର ଉପରେ ନିର୍ମାଣ କରାଯାଇଛି। ପୁରୀ ଟାଉନ ହଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଯୋଗଦେଇ କିଛି ମୁହୂର୍ତ୍ତ ର କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଲୋକଙ୍କୁ ସଡ଼କ ସୁରକ୍ଷା ବିଷୟରେ ସଚେତନତା କରିବା ବାସ୍ତବିକ ଆହ୍ୱାନପୂର୍ଣ୍ଣ ବୋଳି ମତ ରଖିଥିଲେ। ଏହା ବ୍ୟତୀତ ଏହି ଉତ୍ସବରେ ହାଇକୋର୍ଟର ଅନ୍ୟତମ ବିଚାରପତି ମୁରାହାରି ଶ୍ରୀରମଣ, ପୋଲିସ ଡିଜି ସୁନିଲ ବଂଶଲ, ରାଜ୍ୟ ପରିବହନ କମିଶନର ଅରୁଣ ବୋଥ୍ରା ପ୍ରମୂଖ ଅତିଥି ଭାବେ ଉପସ୍ଥିତ ରହିଥଲେ। କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବରେ ବିଚାରକ ଭାବେ କୁନା ତ୍ରିପାଠୀ, ସିଦ୍ଧାନ୍ତ ମହାପାତ୍ର, ଧରିତ୍ରୀ ପଟ୍ଟନାୟକ, ସୁଜିତ ମହାପାତ୍ର, ରାଜେଶ ଟଚରିଭର ରହିଥିଲେ। ଅଣ ଓଡିଆ ବର୍ଗର କ୍ଷୁଦ୍ର ଚଳଚ୍ଚିତ୍ର ହ୍ବିସ୍ପର ଅଫ ଦ କ୍ରାଉନ ପାଇଁ ଓମ ପାଣିଗ୍ରାହୀ ଓ ବିବେକ ବିଜୟନଙ୍କୁ ଯୁଗ୍ମ ନିର୍ଦ୍ଦେଶକ ଭାବେ ପୁରସ୍କୃତ କରାଯାଇଛି। ଓମ ପାଣିଗ୍ରାହୀ ହେଉଛନ୍ତି କୋକସରା ବ୍ଲକ ମାଝୀଗୁଡା ଗାଁର ଶିକ୍ଷକ ରାଜାରାମ ପାଣିଗ୍ରାହୀ ଓ ହୀରାଦ୍ରୀଙ୍କ ଜ୍ୟେଷ୍ଠ ପୁତ୍ର। ଓମ କୋରାପୁଟ ସେଣ୍ଟ୍ରାଲ ୟୁନିଭରସିଟିରେ ଏମ.ବି.ଏ କରିବା ପରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତି ଆକର୍ଷିତ ହୋଇ ସେହି କ୍ଷେତ୍ରରେ ନିଜର ପାରିଦର୍ଶିତାରେ ସଫଳ ନିର୍ଦେଶନା ଦେଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଶ୍ରୀ ପାଣିଗ୍ରାହୀଙ୍କ ଏହି କୃତିତ୍ୱ ପାଇଁ କଳାହାଣ୍ଡି ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.