ଭାରସାମ୍ୟ ହରାଇ ଗଛରେ ପିଟିହେଲା ଟ୍ରକ: ଡ୍ରାଇଭର ଆହତ, ହେଲ୍ପର ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ଦିନ ୧୨ଟା ସମୟରେ ଲାଞ୍ଜିଗଡ ପୋଖରୀବନ୍ଧ ଛକରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ବୋରଗୁଡା ଛକ ନିକଟରେ ଭାରସାମ୍ୟ ହରାଇ ଏକ ୭୦୯ ଟ୍ରକ୍ ଏକ ଗଛରେ ପିଟି ହୋଇଯିବାରୁ ସାମ୍ନାପଟ ଚେପା ହୋଇଯାଇଛି । ଏଥିରେ ଚାଳକ ଜଣକ ଆହତ ହୋଇଥିବାବେଳେ ତାଙ୍କ ସହଯୋଗୀ ଗୁରୁତର ହୋଇପଡିଛନ୍ତି । ୭୦୯ ଟ୍ରକଟି ରାୟଗଡା ପଟୁ ଭବାନୀପାଟଣା ଯାଉଥିବାବେଳେ ଆଜି ଦିନ ତମାମ ଝିପିଝିପି ବର୍ଷା ଓ କୋହଲା ପାଗ ଯୋଗୁଁ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡିଛି । ଏ ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ବିଶ୍ୱନାଥପୁର ପୁଲିସ ପକ୍ଷରୁ ଏଏସ୍‌ଆଇ ବୁଦ୍ଧେଶ୍ୟାମ ମାଝୀଙ୍କ ନେତୃତ୍ୱରେ ପୁଲିସବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବାବେଳେ ଚାଳକଙ୍କ ସହଯୋଗୀ ଚେପା ହୋଇଥିବା ଟ୍ରକ ଭିତରେ ଫସି ରହିଥିଲେ । ତାଙ୍କୁ ଲାଞ୍ଜିଗଡ ସ୍ଥିତ ଅଗ୍ନିଶମ ବିଭାଗର ସହାୟତାରେ ଟ୍ରକ ଭିତରୁ ବାହାର କରାଯିବା ପରେ ଅତ୍ୟନ୍ତ ଗୁରୁତର ଭାବେ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଟ୍ରକ ଉପରୁ ଚାଳକ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଲା ବୋଲି କୁହାଯାଉଛି । ତେବେ ଖବର ପାଇବାକ୍ଷଣି ବିଶ୍ୱନାଥପୁର ପୁଲିସ, ଲାଞ୍ଜିଗଡ ଅଗ୍ନିଶମ ବିଭାଗ ଏବଂ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ସ୍ଥାନୀୟ ଲୋକେ ପୁଲିସ, ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.