୩୬ ବର୍ଷ ପରେ ରିଷିଡା ଜେକେ କଲେଜକୁ ମିଳିଲା ଜମିପଟ୍ଟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିଛି। ୩୬ ବର୍ଷ ପରେ ରିଷିଡା ଜେକେ କଲେଜକୁ ମିଳିଛି ଜମି ପଟ୍ଟା। କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଜେକେ କଲେଜ) କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପ୍ରମୁଖ ମହାବିଦ୍ୟାଳୟ ଭାବେ ସୁପରିଚିତ। ତେବେ ଏହି କଲେଜ ନାମରେ ଜମି ପଟ୍ଟା ହୋଇପାରିନଥିଲା। ତେବେ ସୋମବାର ଦିନ କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟଠାରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଶା ରେଡି ବିଦ୍ୟାଳୟର ଅଧ୍ୟକ୍ଷ ପି.ଏ.କେ ତ୍ରିପାଠୀଙ୍କୁ ୬୪ ଡିସମିଲ ଜମି ପଟ୍ଟା ପ୍ରଦାନ କରିଥିଲେ। ଏହି ସମୟରେ କର୍ଲାମୁଣ୍ଡା ତହସିଲଦାର ବାସନ୍ତୀ ସେଠୀ, ବିଡ଼ିଓ ପ୍ରିୟ ଦର୍ଶୀନି ମିର୍ଦ୍ଧା, ବ୍ଲକ ଅଧକ୍ଷ୍ୟା କୁନି ସାହୁ, ଅଧ୍ୟାପକ ଗିରିରାଜ ଗହୀର, କ୍ରୀଡା ଶିକ୍ଷକ ଲଳିତ ଦାଶ୍, ଚିନ୍ମୟ ରଣା, ସୌମ୍ୟ ରଞ୍ଜନ ତ୍ରିପାଠୀ, ରିଷିଡା ଗ୍ରାମ ଉନ୍ନୟନ କମିଟି ସମ୍ପାଦକ ନରୋତ୍ତମ ସେଲମା ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଦୀର୍ଘ ୩୬ ବର୍ଷ ପରେ ଏହି ଜୁନିୟର କଲେଜ ନିଜର ଜମି ପଟ୍ଟା ପାଇଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି। ପ୍ରକାଶ ଥାଉ କି ନିକଟ ଅତୀତରେ ରାଜ୍ୟ ସରକାର ଶିକ୍ଷା ଅନୁଷ୍ଠାନ ଗୁଡିକ ସରକାରୀ ଜମିରେ ଥିଲେ, ତାକୁ ଉକ୍ତ ଜମିର ମାଲିକାନାସତ୍ୱ ଦେବା ପାଇଁ ଘୋଷଣା କରିଥିଲେ। ସେହି କ୍ରମରେ ରିଷିଡା ଜେକେ କଲେଜକୁ ପଟ୍ଟା ପ୍ରଦାନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.