ଆଜି ହରାଲି ଉଆଁସ, ଉତ୍ସବମୁଖର ଗ୍ରାମ୍ୟ ପରିବେଶ

ପାରମ୍ପାରିକ ବିଧାନ ଅନୁସାରେ କେନ୍ଦୁଶାଖା ସ୍ଥାପନ ସହ ପର୍ବ ପାଳନ କଲେ ମଗଧା ଯାଦବ ସଂପ୍ରଦାୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କୃଷି ଭିତ୍ତିକ ପର୍ବ ଚିତାଲାଗି ଅମାବାସ୍ୟାକୁ ପଶ୍ଚିମ ଓଡ଼ିଶାରେ ହରାଲି ଉଆଁସ ବୋଲି କୁହାଯାଏ। ଆଜି ଶ୍ରାବଣ କୃଷ୍ଣ ପକ୍ଷ ଅମାବାସ୍ୟାରେ ଏହି ପର୍ବ କଳାହାଣ୍ଡିରେ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ଏହି ଦିନ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ସୁବର୍ଣ୍ଣ ଚିତାଲାଗି ହୋଇଥାଏ। ଚିତାଉ ଅମାବାସ୍ୟା ଓଡିଶାର କୃଷି ଭିତ୍ତିକ ଅନ୍ୟତମ ମହାନ ପର୍ବ ହୋଉଥିବାବେଳେ କଳାହାଣ୍ଡିରେ ଏହା ଭିନ୍ନ ରୂପରେ ପାଳିତ ହୋଇଥାଏ। ଆଜି ହରାଲି ଉଆଁସକୁ ନେଇ ନର୍ଲା ସମେତ କଳାହାଣ୍ଡିର ଗ୍ରାମ୍ୟ ପରିବେଶ ଉତ୍ସବ ମୁଖର ହୋଇଉଠିଛି। ଏହି ଅଞ୍ଚଳର ବିଭିନ୍ନ ସଂପ୍ରଦାୟ କୂଳାଚାର ରିତି ଅନୁସାରେ ପାଳନ କରିଥାନ୍ତି। ତେବେ କଳାହାଣ୍ଡିର ମଗଧା ଯାଦବ ସଂପ୍ରଦାୟ ଭିନ୍ନ ଢ଼ଙ୍ଗରେ ହରାଲି ଉଆଁସ ପାଳନ କରିଥିବା ଦେଖାଯାଇଛି। ଖ୍ରୀଷ୍ଟପୂର୍ବ ୨୬୧ରେ କଳିଙ୍ଗ ଯୁଦ୍ଧରେ ଯୋଗଦେବାକୁ ମଗଧରୁ ଚନ୍ଦ୍ରବଂଶୀ ବା ଯଦୁବଂଶୀ କ୍ଷେତ୍ରୀୟମାନେ ସମ୍ରାଟ ଅଶୋକଙ୍କ ସହ କଳିଙ୍ଗକୁ ଆସିଥିଲେ। କଳିଙ୍ଗ ଯୁଦ୍ଧ ପରେ ଶାନ୍ତି ସ୍ଥାପନ ହେଲା। ତେବେ ସମ୍ରାଟ ଅଶୋକ ବିଜୟୀ ମଗଧା ବାହିନୀକୁ ମଗଧ ନନେଇ କଳିଙ୍ଗର ପଡୋଶୀ ଆଟବିକ ରାଜ୍ୟ (ବର୍ତ୍ତମାନର ଅବିଭକ୍ତ କଳାହାଣ୍ଡି, କୋରାପୁଟ ଓ ବସ୍ତର)ରେ ଥଇଥାନ କରାଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ମହା କୋଶଳ ରାଜ୍ୟ (ବର୍ତ୍ତମାନର ପଶ୍ଚିମ ଓଡ଼ିଶା)ରେ ସ୍ଥାୟୀ ଭାବରେ ବସବାସ କଲେ। ମଗଧରୁ ଆସିଥିବାରୁ ଏହି ଗୋଷ୍ଠୀକୁ ମଗଧା ଯାଦବ ବୋଲି କୁହା ଯାଇଥାଏ। ପରବର୍ତ୍ତୀ ସମୟରେ ଏମାନେ କୃଷିଜୀବୀ ସମୁଦାୟରେ ପରିଣତ ହେଲେ। ତେବେ ସମ୍ରାଟ ଖାରବେଳଙ୍କ ଶାସନ କାଳରେ ଏମାନେ କୃଷିକର୍ମ ଓ କ୍ଷତ୍ରୀୟ ବୃତ୍ତି ଉଭୟ ଆଚରୁଥିଲେ। ହରାଲି ଉଆଁସର ଛତ୍ରେ ଛତ୍ରେ ମଗଧା ଯାଦବଙ୍କ ଗାଥା ବାରିହୋଇ ପଡ଼ିଥାଏ। ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥି ସକାଳୁ ମଗଧା ଯାଦବ ଗୃହକର୍ତ୍ତା ଓ ଗୃହିଣୀ ଗାଧୁଆ ପାଧୁଆ ସାରି ହଳଦୀ ମିଶ୍ରିତ ଅରୁଆ ଚାଉଳରେ ଗାଇ ଗୋରୁଙ୍କୁ ବନ୍ଦାପନା କରିଥିଲେ। ଗୋବନ୍ଦାଣ ପରେ ଗୃହକର୍ତ୍ତା ଓ ଘରର ଅନ୍ୟ ସଦସ୍ୟମାନେ କୃଷି କ୍ଷେତ୍ରକୁ ଯାଇ କେନ୍ଦୁ ବୃକ୍ଷକୁ ପୂଜାର୍ଚ୍ଚନା କରି ସେହି ବୃକ୍ଷର ଏକ ଶାଖା ନେଇ କ୍ଷେତରେ ସ୍ଥାପନ କରିଥିଲେ। କେନ୍ଦୁ ଗଛର ଶାଖାକୁ କ୍ଷେତରେ ସ୍ଥାପନ ସହ କ୍ଷୀର, ହଳଦୀ, ଅରୁଆ ଚାଉଳ, ଦୁବପତ୍ର, ବରପତ୍ର ଦେଇ ବନ୍ଦାପନା କରିଥାନ୍ତି। ଏହାପରେ କୃଷି କ୍ଷେତ୍ରରେ ଚିତାଉ ପିଠା ପକା ଯାଇଥାଏ। ପୂର୍ବେ ମଗଧା ଯାଦବମାନେ ଶ୍ରାବଣ କୃଷ୍ଣ ଅମାବାସ୍ୟା ଦିନ କୃଷି କ୍ଷେତ୍ରରେ କେନ୍ଦୁ ଶାଖା ସ୍ଥାପନ କରି ସମରଭ୍ଯାସ କରିବାକୁ ସୀମାକୁ କିମ୍ବା ଆଖଡାକୁ ଚାଲି ଯାଉଥିଲେ। ସେହି ସମୟରୁ ଆଜି ପର୍ଯ୍ୟନ୍ତ ଏହା ପରମ୍ପରା ହୋଇ ରହିଛି। ଏହି ଦିନ ଚରଡାଙ୍ଗ ଦିଆ ଯାଇଥାଏ। ଗ୍ରୀଷ୍ମ ଋତୁରୁ ଗାଇର ଗୋବରକୁ ସୁଖାଇ ରଖାଯାଇଥାଏ। ହରାଲି ଉଆଁସ ଦିନ ଏହି ସୁଖା ଗୋବରକୁ ଏକ ମାଟି ପାତ୍ର (ତେଲେନ)ରେ ରଖି ନିଆ ଜଳାଇ ଏଥିରେ ଚର ଡାଙ୍ଗକୁ ଗରମ କରାଯାଇ ଛୋଟ ଛୋଟ ଶିଶୁଙ୍କ ପେଟ ଓ ବଡ ମାନଙ୍କ ଆଣ୍ଠୁ ଗଣ୍ଠି, ଗଳା ଆଦିରେ ଚେଙ୍କ ଦିଆଯାଏ। ଏପରି କରିବା ଦ୍ୱାରା ଶିଶୁମାନଙ୍କ ଉଦର ସମ୍ମନ୍ଧିୟ ରୋଗ ବିନାଶ ହେବାସହ ବଡମାନଙ୍କ ବାତରୋଗ ନାଶ ହୋଇଥାଏ ବୋଲି କୁହାଯାଏ। ମଗଧା ଯାଦବଙ୍କ ପ୍ରତ୍ୟେକ ପାର୍ବଣ ପିତୃ ଉପାସନାର ବିବର୍ତ୍ତିତ ଋପ। ହରାଲି ଉଆଁସ ଦିନ ମଧ୍ୟ ପିତୃପୁରୁଷଙ୍କୁ ମସାନ କୁନାରେ ମନସା ଆଦରା କରି ଅସ୍ତ୍ରଶସ୍ତ୍ର ପୂଜା କରାଯାଇ ପିଠା, କ୍ଷୀରୀ, ଅନ୍ନ ବ୍ୟଞ୍ଜନ ଭୋଗ ଲଗାଯାଇଥାଏ। ସନ୍ଧ୍ୟାରେ କୁକୁଡା, ଛେଲି ଆଦି ମାରି ବନ୍ଧୁବାନ୍ଧବ, ହଲିଆ ତୁଲିଆଙ୍କୁ ଡାକି ଭୁରି ଭୋଜନରେ ଆପ୍ୟାୟିତ କରାଯାଇଥାଏ। ଆଜି ନର୍ଲା ବ୍ଲକର ବୁଢିପଦର, ଗୋଖରା, ରାକ୍ସି, ଭୀମକେଲା, ବଲବସପୁର, ଧଅଁରାମାଲ, ଗିଗିନା, ମୁସ୍କୁଟି, ଲାଖପଦର, ଶାନ୍ତପୁର, ରୁପ୍ରାରୋଡ, ରେଖପୁର, ମାଣ୍ଡେଲ, ଜୁର୍କାଭଟା, ସୋନପୁର, ବଡଧାରପୁର, ସରିଆଁ, କେସିଙ୍ଗା ବ୍ଲକର ତୁର୍ଲା, ସିରୋଲ, ପୋଡଖମ୍ବ, ବୋରିଆ, ଉତ୍କେଲା, କାଣ୍ଡେଲ ଆଦି ବିଭିନ୍ନ ଗ୍ରାମ ସହିତ ଜିଲ୍ଲାସାରା କୂଳାଚାର ଭିତ୍ତିରେ ଭିନ୍ନ ଭିନ୍ନ ରୂପରେ ଏହି ପାରମ୍ପରିକ ପର୍ବ ପାଳନ କରିଥିବା ଦେଖାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.