ଦୁର୍ଗମ ତୁର୍କା ଗାଁର ୪ ଆଦିବାସୀ ଝିଅଙ୍କ ଭାଗ୍ୟ ଖୋଲିଲା

ପାଠପଢା ଓ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବାକୁ ଘୋଷଣା କଲେ ରାଜ୍ୟସଭା ସାଂସଦ ସୁଜିତ କୁମାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଲାଞ୍ଜି ଗ୍ରାମପଞ୍ଚାୟତର ଅତ୍ୟନ୍ତ ଦୁର୍ଗମ ଗାଁଟିଏ ତୁର୍କା । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଗାଁ ଦେଖିନଥିଲା ବିକାଶର ଆଲୁଅ । ତେବେ ଏହି ଗାଁର ବିସ୍ମୟ ବାଳକ ନବୀନ ମାଝୀଙ୍କ ଉଦ୍ୟମରେ ଶାସନ ପ୍ରଶାସନ ଗାଁ ସଂପର୍କରେ ଜାଣିବା ପରେ ଲାଞ୍ଜିଗଡ ବ୍ଲକ ପ୍ରଶାସନର ଉଦ୍ୟମ କ୍ରମେ ଗାଁକୁ ରାସ୍ତା ନିର୍ମାଣ କାମ ଜାରି ରହିଛି । ଗାଁର ପ୍ରଥମ ଛାତ୍ର ଭାବେ ନବୀନ ଏବେ ଦଶମ ଶ୍ରେଣୀ ପାସ୍ କରିଛନ୍ତି । ତାଙ୍କଠାରୁ ପ୍ରେରଣା ପାଇ ଏବେ ଗାଁର ୪ ଜଣ ଝିଅ ପାଠ ପଢିବାକୁ ଭଟାଙ୍ଗପଦର ଆବାସିକ ବିଦ୍ୟାଳୟରେ ନାମ ଲେଖାଇଛନ୍ତି । ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ବ୍ଲକ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟଙ୍କ ସମେତ ଯୁବ ସମାଜସେବୀ ଧର୍ମେନ୍ଦ୍ର ପଣ୍ଡା, ସିଆର୍‌ସିସି ଭାରତଭୂଷଣ ସାହୁ ପ୍ରମୁଖଙ୍କ ଉଦ୍ୟମରେ ଏହି ଚାରିଜଣ ଝିଅ ସ୍କୁଲ ଦୁଆର ମାଡିଥିବାବେଳେ ସେମାନେ ଏବେ ସ୍କୁଲର ହଷ୍ଟେଲରେ ଅନ୍ତେବାସୀ ଭାବେ ରହି ପାଠ ପଢିବେ । ତେବେ ଚାରିଜଣ ଝିଅଙ୍କ ପାଠ ପଢିବାର ଆଗ୍ରହକୁ ଲକ୍ଷ୍ୟ କରି ଏବେ ସହାୟତାର ହାତ ବଢାଇଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର । ଏମାନଙ୍କ ସଂପର୍କରେ ଅବଗତ ହେବା ପରେ ସେ ଚାରିଜଣ ଝିଅଙ୍କ ପାଠପଢା ସହିତ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଛନ୍ତି । ଏହାସହିତ ତୁର୍କା ଗାଁ ପାଇଁ ମଧ୍ୟ ସେ କିଛି କରିବାକୁ ଚାହାଁନ୍ତି ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି । ସାଂସଦ ଶ୍ରୀ କୁମାରଙ୍କ ଏହି ଘୋଷଣା ପରେ ତୁର୍କା ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.